/odisha-reporter/media/post_attachments/uploadimage/library/16_9/16_9_0/Odisha_1758530721.jpg)
Odisha
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକାଧିକ ନିର୍ଦ୍ଦେଶକୁ ବାରମ୍ବାର ଉଲ୍ଲଘଂନ କରି ଗୋଟିଏ ଘରୋଇ କମ୍ପାନୀକୁ ୭.୮୪କୋଟି ଟଙ୍କାର କାର୍ଯ୍ୟାଦେଶ ଦେଇଥିବା ଓଡ଼ିଶା ପୁଲିସ ଏବେ ହରଡ଼ଘଣାରେ । କେନ୍ଦ୍ର ଗୃହ ସଚିବ ଗତମାସରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏଭଳି କାର୍ଯ୍ୟକୁ ନାପସନ୍ଦ କରିବା ସହ ରାଜ୍ୟ ମୁଖ୍ୟ ସଚିବଙ୍କୁ ଅବଗତ କରାଇବା ପରେ ମଧ୍ୟ ସେହି ଘରୋଇ କମ୍ପାନୀଠୁ ମୋହଭଙ୍ଗ କରିପାରିନି ଓଡ଼ିଶା ପୁଲିସ ।
ନୂଆ ଅପରାଧିକ ଆଇନଗୁଡ଼ିକର କାର୍ଯ୍ୟକାରିତା ସମ୍ପୂର୍ଣ୍ଣ ଭାବେ ଟେକ୍ନୋଲୋଜି ଆଧାରିତ ହୋଇଥିବାରୁ ତୁରନ୍ତ ଥାନାଗୁଡ଼ିକୁ ଆବଶ୍ୟକ ହାଇସ୍ପିଡ୍ ବ୍ୟାଣ୍ଡୱିଥ୍ ସହ ଅପଟିକାଲ ଫାଇବର ସଂଯୋଗ (ସ୍ୱାନ୍ ଓ ଭାରତ ନେଟ୍) ବାଧ୍ୟତାମୂଳକ ଭାବେ ଯୋଗାଇ ଦେବାକୁ କେନ୍ଦ୍ର ଗୃହ ସଚିବ ନିର୍ଦ୍ଦେଶ ଦେବାର ମାସେ ବିତିଯିବା ପରେ ମଧ୍ୟ ‘ଓଡ଼ିଶା ପୁଲିସ’ ନିଦାବିଷ୍ଣୁ ସାଜିଛି । ସେପଟେ ‘ଓଡ଼ିଶା ପୁଲିସ’ର ଏହି ଘରୋଇ କମ୍ପାନୀ ପ୍ରୀତିକୁ ନେଇ ‘ଓଡ଼ିଶା ରିପୋର୍ଟର’ରେ ୨୦୨୫ ଜୁଲାଇ ୭ତାରିଖରେ ଏକ ଖବର ପ୍ରକାଶ ପାଇବା ପରେ ରାଜ୍ୟ ଗୃହ ବିଭାଗ ମଧ୍ୟ ହାତ ଟେକି ଦେଇ ସେହି ଫାଇଲକୁ ଅନୁମୋଦନ ନଦେଇ ଫେରାଇ ଦେଇଥିବା ଜଣାପଡ଼ିଛି ।
ଘରୋଇ କମ୍ପାନୀ ପ୍ରେମରେ ଉବୁଟୁବୁ ‘ଓଡ଼ିଶା ପୁଲିସ’
କେନ୍ଦ୍ର ସରକାରଙ୍କ କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଂ ନେଟୱାର୍କ ଆଣ୍ଡ ସିଷ୍ଟମସ (ସିସିଟିଏନଏସ) ପ୍ରୋଜେକ୍ଟ ଅର୍ନ୍ତଗତ ରାଜ୍ୟର ସମସ୍ତ ଅପରାଧ ଓ ଅପରାଧୀଙ୍କ ଡାଟାବେସ୍ ସମେତ ନାଗରିକଙ୍କୁ ଅନଲାଇନରେ ପୁଲିସ ସେବା ପ୍ରଦାନ କରାଯାଉଛି । ଏଥିପାଇଁ ବିଜେଡି ଶାସନ କାଳରେ ୨୦୨୩ ଜାନୁୟାରୀ ମାସରେ ତ୍ରୈମାସିକ ୪୬ଲକ୍ଷ ଟଙ୍କାରେ ‘ଡେଡିକେଟେଡ୍ ଲିଜଡ୍ ଲାଇନ’ ମାଧ୍ୟମରେ ସମସ୍ତ ଥାନା ଓ ପୁଲିସ ପ୍ରତିଷ୍ଠାନକୁ ନେଟୱାର୍କ ସେବା(ବ୍ୟାଣ୍ଡୱିଥ ୪ଏମବିପିଏସରୁ ୧୨ଏମବିପିଏସ) ପ୍ରଦାନ ନିମନ୍ତେ ଏୟାରଟେଲ୍ କମ୍ପାନୀ ସହ ୨୦୨୬ ମାର୍ଚ ୩୧ତାରିଖ ପର୍ଯ୍ୟନ୍ତ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି ।
ମାତ୍ର କେନ୍ଦ୍ର ସରକାର ବ୍ରିଟିଶ ଅମଳର ଅପରାଧ ଆଇନକୁ ସଂଶୋଧନ କରି ୨୦୨୪ ଜୁଲାଇ ୧ରୁ ନୂଆ ଅପରାଧ ଆଇନଗୁଡ଼ିକୁ କାର୍ଯ୍ୟକାରୀ କରିବାପରେ ଓଡ଼ିଶା ପୁଲିସ ନିଜର ବ୍ୟବସ୍ଥାଗତ ସୁଧାର ଆଣିବାରେ ତତ୍ପରତା ଦେଖାଇ ନଥିବା ଜଣାପଡ଼ିଛି । ଏହି ନୂଆ ଅପରାଧ ଆଇନଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଟେକ୍ନୋଲୋଜି ଉପରେ ନିର୍ଭରଶୀଳ ଥିବା ଜାଣି ମଧ୍ୟ ରାଜ୍ୟର ଥାନା ଓ ପୁଲିସ ପ୍ରତିଷ୍ଠାନଗୁଡ଼ିକୁ ହାଇସ୍ପିଡ୍ ସରକାରୀ ଅପଟିକାଲ ଫାଇବର କେବୁଲ ସଂଯୋଗ(ଷ୍ଟେଟୱାଇଡ୍ ଏରିଆ ନେଟୱାର୍କ-ସ୍ୱାନ୍ କିମ୍ବା ଭାରତନେଟ୍) ପ୍ରଦାନ କରିନାହିଁ ଓଡ଼ିଶା ପୁଲିସ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସମୟରେ ନିର୍ଦ୍ଦେଶକୁ ଖୋଲା ଉଲ୍ଲଘଂନ ତଥା ପୁରୁଣା ଚୁକ୍ତିର ଆଳ ଦେଖାଇ ବିନା ଟେଣ୍ଡରରେ ମନମୁଖୀ ସେହି ‘ଏୟାରଟେଲ’ କମ୍ପାନୀକୁ ହାଇସ୍ପିଡ୍ ବ୍ୟାଣ୍ଡୱି୍ଥ୍ ପ୍ରଦାନ ନିମନ୍ତେ ୭.୮୪କୋଟି ଟଙ୍କାର ନେଟୱାର୍କ ଅପଗ୍ରେଡେସେନ୍ କାର୍ଯ୍ୟାଦେଶ ଟେକିଦେଇଛି ।
ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋର ତତକାଳୀନ ନିର୍ଦ୍ଦେଶିକା ସନ୍ତୋଷ ବାଲା ବିନା ଟେଣ୍ଡର ଓ ବଜାର ଦରକୁ ଅନୁଧ୍ୟାନ ନକରି ଏହି ବ୍ୟାଣ୍ଡୱିଥକୁ ୧୦୦ରୁ ୧୫୦ ଏମବିପିଏସକୁ ବୃଦ୍ଧି(୭.୮୪କୋଟି ଟଙ୍କାର କାର୍ଯ୍ୟାଦେଶ) ନିମନ୍ତେ ଏୟାରଟେଲ୍ କଂପାନୀକୁ ଅନୁମତି ପତ୍ର ଜାରି କରିଥିଲେ । ଏପରିକି ଏହି ସିସିଟିଏନଏସ୍ ନିମନ୍ତେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟରେ ମୋଟ ୨.୭୫ କୋଟି ଟଙ୍କା ବ୍ୟୟବରାଦ ଥିବାବେଳେ ବାକି ୯ମାସ ( ୨୦୨୫ ଜୁଲାଇରୁ ୨୦୨୬ ମାର୍ଚ୍ଚ) ପାଇଁ ୫.୫୫ କୋଟି ଟଙ୍କା ଦେବାକୁ ମଧ୍ୟ ସେ ପୁଲିସ ଡିଜି ଓ ଗୃହ ବିଭାଗର ଅନୁମତି ଲୋଡ଼ିଥିଲେ ।
ଆଉ ୨୦୨୫ ଜୁନ୍ ୩୦ତାରିଖରେ ଶ୍ରୀମତୀ ବାଲା ରାଜ୍ୟର ମୋଟ୍ ୯୨୭ଟି ପୁଲିସ ପ୍ରତିଷ୍ଠାନକୁ ଚିଠି ଲେଖି ସ୍ପିଡ୍ ଅପଗ୍ରେଡେସନ୍ କାର୍ଯ୍ୟରେ ଏୟାରଟେଲ୍ କମ୍ପାନୀକୁ ଆବଶ୍ୟକ ସହଯୋଗ କରିବାକୁ ଜଣାଇଥିଲେ । ରାଜ୍ୟସ୍ତରୀୟ କ୍ରୟ କମିଟି ଓ ସରକାରଙ୍କ ବିନାନୁମତିରେ ବଜାର ଦରକୁ ଅନୁଧ୍ୟାନ ନକରି ଏକ ଘରୋଇ କମ୍ପାନୀ ସପକ୍ଷରେ କିଭଳି ଏତେ ବଡ଼ଧରଣର ଆର୍ଥିକ ନିଷ୍ପତ୍ତି ‘ଓଡ଼ିଶା ପୁଲିସ’ ନିଜଆଡ଼ୁ ନେଲା ତାକୁ ନେଇ ‘ଓଡ଼ିଶା ରିପୋର୍ଟର’ରେ ଖବର ପ୍ରକାଶ ପାଇବା ପରେ ଗୃହ ବିଭାଗର ଚେତା ପଶିଥିଲା । ଆଉ ସେହି ସଂକ୍ରାନ୍ତ ଫାଇଲ ଉପରେ କାର୍ଯ୍ୟାନୁଷ୍ଠାନ ନନେଇ ଓଲଟା ପୁଲିସ ଡିଜିଙ୍କ ଉପରେ ନିଷ୍ପତ୍ତି ଛାଡ଼ି ଦେଇଥିବା ଜଣାପଡ଼ିଛି । ତେବେ ଏହି ସନ୍ଦେହଜନକ କାରବାର ପରେ ଏତେ ପରିମାଣର ଟଙ୍କା ସମ୍ପୃକ୍ତ ଘରୋଇ କମ୍ପାନୀକୁ କିଏ ଦେବ ଓ କାହାଠୁ ଭରଣା ହେବ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।
କାହିଁକି ନାପସନ୍ଦ କଲେ କେନ୍ଦ୍ର ଗୃହ ସଚିବ
ନୂଆଦିଲ୍ଲୀର ‘କର୍ତ୍ତବ୍ୟ ଭବନ’ କନଫରେନ୍ସ ରୁମରେ ଗତ ଅଗଷ୍ଟ ୧୮ତାରିଖରେ କେନ୍ଦ୍ର ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ୩ଟି ନୂଆ ଅପରାଧ ଆଇନ(ଭାରତୀୟ ନ୍ୟାୟ ସଂହିତା,ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ସାକ୍ଷ୍ୟ ଅଧିନିୟମ-୨୦୨୩)ର କାର୍ଯ୍ୟକାରିତା ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା । ତେବେ ନୂଆ ଅପରାଧ ଆଇନଗୁଡ଼ିକର କାର୍ଯ୍ୟକାରିତା ସମ୍ପୂର୍ଣ୍ଣ ଭାବେ ଟେକ୍ନୋଲୋଜି ଉପରେ ନିର୍ଭରଶୀଳ ଥିବାରୁ କେବଳ ବ୍ରଡ଼ବ୍ୟାଣ୍ଡ ସଂଯୋଗ ଯଥେଷ୍ଟ ନୁହେଁ ବୋଲି କେନ୍ଦ୍ର ଗୃହ ସଚିବ କହିବା ସହ ତୁରନ୍ତ ଆବଶ୍ୟକ ହାଇସ୍ପିଡ୍ ଅପଟିକାଲ କେବୁଲ୍ ଆଧାରିତ ସ୍ୱାନ୍ କିମ୍ବା ଭାରତ ନେଟର ବାଧ୍ୟତାମୂଳକ ସଂଯୋଗ ଥାନା ଓ ପୁଲିସ ପ୍ରତିଷ୍ଠାନଗୁଡ଼ିକୁ ଯୋଗାଇ ଦେବାକୁ କହିଥିଲେ ।
ବର୍ଷକୁ ୪୦୦ରୁ ଅଧିକ ଏଫଆଇଆର ରୁଜୁ କରୁଥିବା ଥାନାଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ୧୫୦ଏମବିପିଏସ୍ ସ୍ପିଡ୍ ଥିବା ଫାଇବର କେବୁଲ୍ ସଂଯୋଗ ଦେବାକୁ ମଧ୍ୟ କହିବା ସହ ସେପ୍ଟେମ୍ବର ୧୦ତାରିଖ ସୁଦ୍ଧା ଆକ୍ସନଟେକେନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଘରୋଇ କମ୍ପାନୀର ନେଟୱାର୍କ ସଂଯୋଗକୁ କେନ୍ଦ୍ର ଗୃହ ସଚିବ ନାପସନ୍ଦ କରିବାର ମାସକ ପରେ ମଧ୍ୟ ଏହି ଘରୋଇ କମ୍ପାନୀରୁ ମୋହ ତୁଟାଇବାରେ ବିଫଳ ହୋଇଛି ଓଡ଼ିଶା ପୁଲିସ ।
ସରକାରୀ ନିର୍ଦ୍ଦେଶକୁ ବେଖାତିର କରି ଘରୋଇ କମ୍ପାନୀ ପ୍ରୀତି
ଘରୋଇ ଟେଲିକମ୍ ବଦଳରେ ସରକାରୀ ସଂସ୍ଥା ‘ବିଏସଏନଏଲ’ର ଇଂଟରନେଟ, ବ୍ରଡବ୍ୟାଣ୍ଡ, ଲିଜଡ୍ ଲାଇନ୍ ଆଦିର ବାଧ୍ୟତାମୂଳକ ସେବାର ଉପଯୋଗ କରିବାକୁ ସମସ୍ତ ସରକାରୀ ବିଭାଗ ଓ ସଂସ୍ଥାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକାଧିକ ଥର ନିର୍ଦ୍ଦେଶ ଜାରି କରିସାରିଛନ୍ତି । ୨୦୨୪ ଫେବୃୟାରୀ ୧୫ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଆଇସିଜେଏସ୍ (ଇଂଟର ଅପରେବୁଲ କ୍ରିମିନାଲ ଜଷ୍ଟିସ ସିଷ୍ଟମ)-୨ ଗାଇଡଲାଇନ୍ , କେନ୍ଦ୍ର ଟେଲିକମ୍ ମନ୍ତ୍ରଣାଳୟର ୨୦୨୧ ଅକ୍ଟୋବର ୧୨ ଓ ୨୦୨୫ ଏପ୍ରିଲ ୮ତାରିଖର ନିର୍ଦ୍ଦେଶନାମା, ରାଜ୍ୟ ଆଇଟି ଓ ଟେକ୍ନୋଲୋଜି ବିଭାଗର ୨୦୨୧ ଡିସେମ୍ବର ୧ ଓ ୨୦୨୫ ଜୁଲାଇ ୧୮ର ନିର୍ଦ୍ଦେଶନାମାକୁ ଓଡ଼ିଶା ପୁଲିସ ଖୋଲାଖୋଲି ଉଲ୍ଳଘଂନ କରିଛି ।
ସେହିପରି ଓଡ଼ିଶା ସରକାରଙ୍କ ଆର୍ଥିକ ନିୟମ(ଓଜିଏଫଆର)-୨୦୨୩କୁ ଉଲ୍ଲଘଂନ କରି ରାଜ୍ୟସ୍ତରୀୟ କ୍ରୟ କମିଟିର ବିନା ଅନୁମୋଦନରେ ପ୍ରତିଯୋଗିତାମୂଳକ ବିଡିଂ ଓ ବଜାର ଦରକୁ ଅନୁଧ୍ୟାନ ନକରି କାହା ନିର୍ଦ୍ଦେଶରେ ଏୟାରଟେଲକୁ ୭.୮୪କୋଟି ଟଙ୍କାର କାର୍ଯ୍ୟାଦେଶ ଟେକି ଦିଆଗଲା ତାହା ମଧ୍ୟ ଓଡ଼ିଶା ପୁଲିସର ଭୂମିକାକୁ ସନ୍ଦେହଘେରକୁ ଆଣିଛି ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା, ରାଜ୍ୟ ଗୃହ ବିଭାଗ ଏହି ଅନିୟମିତତାକୁ ଜାଣି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଫାଇଲ୍ ଫେରାଇ ଦେଇ ବସି ପଡ଼ିଛି । ଆସନ୍ତାବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ଘରୋଇ କମ୍ପାନୀକୁ ସେବା ପ୍ରଦାନ ନାଁରେ କୋଟିକୋଟି ଟଙ୍କା ଟେକି ଦେବା ପଛରେ କି ରହସ୍ୟ ରହିଛି ଓ ସରକାରୀ ନିର୍ଦ୍ଦେଶ ଅଣଦେଖା କରି ଏଭଳି ମନମୁଖୀ କାର୍ଯ୍ୟ କରିଥିବା ପୁଲିସ ବିଭାଗର ଶୀର୍ଷ ଅଧିକାରୀମାନଙ୍କ ବିରୁଦ୍ଧରେ ସରକାର କାହିଁକି ନିରବ ରହିଛନ୍ତି ତାହା ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
