Advertisment

Ollywood ଲୋକପ୍ରିୟ ଗାୟକ ହ୍ୟୁମାନ୍ ସାଗରଙ୍କ ଅକାଳ ବିୟୋଗ: ଓଡ଼ିଶା ସଙ୍ଗୀତ ଜଗତରେ ଶୋକ

ଆକ୍ୟୁଟ୍ ଅନ୍‌-କ୍ରୋନିକ୍ ଲିଭର ଫେଲ୍ୟୁଓର, ଡିଲେଟେଡ୍ କାର୍ଡିଓମାୟୋପ୍ୟାଥି, ନିମୋନିଆ ଓ ରକ୍ତ ସଂକ୍ରମଣ ଭଳି ସମସ୍ୟାରେ ପୀଡ଼ିତ ଥିଲେ । ନଭେମ୍ବର ୧୬ ତାରିଖରେ ତାଙ୍କର ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ଆସିଥିଲେ ମଧ୍ୟ ସୋମବାର ସନ୍ଧ୍ୟାରେ ଅଧିକ ବିଗିଡ଼ି ଯାଇଥିଲା ।

author-image
Odisha Reporter
Humane-sagar

Humane Sagar

‘ମନ ଯଦି ତୋର...’, ‘ଏକା ତୁମେ ସାଥୀ ତୁମେ...', ଓ ‘ଇସ୍କ ତୁ ହିଁ ତୁ..' ଭଳି ଅନେକ ଲୋକପ୍ରିୟ ଗୀତରେ ନିଜର ମଧୁର ସ୍ୱର ଦେଇ ଓଡ଼ିଆ ସଙ୍ଗୀତ ଶ୍ରୋତାଙ୍କ ହୃଦୟରେ ରାଜ୍ କରୁଥିବା ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ଆଜି ସନ୍ଧ୍ୟାରେ ଅକାଳ ବିୟୋଗ ହୋଇଛି । ମାତ୍ର ୩୪ ବର୍ଷ ବୟସରେ ପ୍ରତିଭାବାନ ଯୁବ ଗାୟକଙ୍କ ବିଦାୟ ଓଡ଼ିଶାର ସଙ୍ଗୀତ ଜଗତକୁ ଗଭୀର ଆଘାତ ଦେଇଛି ଏବଂ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ଲିଭରଜନିତ ସମସ୍ୟା ସହିତ ଏକାଧିକ ଅଙ୍ଗ ଅଚଳ ହେବାର ଗୁରୁତର ସମସ୍ୟା ଯୋଗୁଁ ସୋମବାର ସନ୍ଧ୍ୟାରେ  ଭୁବନେଶ୍ୱରରେ ଏମସ୍ ହସସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛ । ତାଙ୍କର ଏହି ବିୟୋଗ ଓଡ଼ିଆ ସଙ୍ଗୀତ ପାଇଁ ଏକ ଅପୂରଣୀୟ କ୍ଷତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି ।

Advertisment

୧୪ ତାରିଖରୁ ଏମ୍ସରେ ଭର୍ତ୍ତି ହୋଇଥିଲେ

ହ୍ୟୁମାନ୍ ସାଗରଙ୍କ ସ୍ୱାସ୍ଥ୍ୟବସ୍ଥା ଗତ ନଭେମ୍ବର ୧୪ ତାରିଖରୁ ଗୁରୁତର ହେବାରେ ଲାଗିଥିଲା । ତାଙ୍କ ଲିଭର ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ଫୁସଫୁସ, କିଡନି, ଲିଭର ଏବଂ ବ୍ରେନ୍ ଭଳି ଏକାଧିକ ଅଙ୍ଗ ପ୍ରଭାବିତ ହୋଇଥିଲା । ଏମସ ହସ୍ପିଟାଲର ଇମର୍ଜେନ୍ସୀ ୱାର୍ଡରେ ଭର୍ତ୍ତି ହେବାପରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା । ଡାକ୍ତରୀ ଟିମ୍‌ଙ୍କ ସୂଚନା ଅନୁଯାୟୀ, ସାଗର ମଲ୍‌ଟି ଅର୍ଗାନ୍ ଡିସଫଙ୍କସନ୍ ସିଣ୍ଡ୍ରୋମ୍ (ଏମଓଡିଏସ)ରେ ଆକ୍ରାନ୍ତ ଥିଲେ । ଏଥିସହ ସେ ଆକ୍ୟୁଟ୍ ଅନ୍‌-କ୍ରୋନିକ୍ ଲିଭର ଫେଲ୍ୟୁଓର, ଡିଲେଟେଡ୍ କାର୍ଡିଓମାୟୋପ୍ୟାଥି, ନିମୋନିଆ ଓ ରକ୍ତ ସଂକ୍ରମଣ ଭଳି ସମସ୍ୟାରେ ପୀଡ଼ିତ ଥିଲେ । ନଭେମ୍ବର ୧୬ ତାରିଖରେ ତାଙ୍କର ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ଆସିଥିଲେ ମଧ୍ୟ ସୋମବାର ସନ୍ଧ୍ୟାରେ ଅଧିକ ବିଗିଡ଼ି ଯାଇଥିଲା । ତାଙ୍କୁ ରାଜ୍ୟ ବାହାରେ ଅତ୍ୟାଧୁନିକ ଚିକିତ୍ସା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ମଧ୍ୟ ସମ୍ମତି ଜଣାଇଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଏମସ କର୍ତ୍ତୃପକ୍ଷଙ୍କ ସହ ନିୟମିତ ଯୋଗାଯୋଗରେ ଥିଲେ ବୋଲି ସୂଚନା ମିଳିଛି । 

ହ୍ୟୁମାନ୍ ସାଗରଙ୍କ ଜୀବନ ଓ ସଙ୍ଗୀତ ଯାତ୍ରା

ହ୍ୟୁମାନ୍ ସାଗର (ପୂର୍ବନାମ: ହ୍ୟୁମାନ୍ ସୁନା) ୧୯୯୦ ନଭେମ୍ବର ୨୫ ତାରିଖରେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼଼ଠାରେ ଏକ ଖୀଷ୍ଟ୍ରିୟାନ୍ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସଙ୍ଗୀତ ସହ ଜଡ଼ିତ ପରିବାରରୁ ଆସିଥିବା ସାଗର ମାତ୍ର ୮ ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ । ତାଙ୍କ ପିତା ଓ ମାତା ଉଭୟ ମଧ୍ୟ ଗାୟକ ଥିଲେ । ପ୍ରାରମ୍ଭରେ ଏମବିବିଏସ୍ ପଢ଼ିବାର ଲକ୍ଷ୍ୟ ଥିଲେ ମଧ୍ୟ ପରେ ସେ ସଂପୂର୍ଣ୍ଣ ଭାବେ ସଙ୍ଗୀତକୁ ସମର୍ପିତ ହୋଇଥିଲେ । ୨୦୧୨ ମସିହାରେ ‘ଭଏସ୍ ଅଫ୍ ଓଡ଼ିଶା ସିଜନ୍ ୨'ରେ ପ୍ରଥମ ସ୍ଥାନ ହାସଲ କରି ସେ ଓଲିଉଡରେ ପ୍ରବେଶ କରିଥିଲେ । ୨୦୧୫ରେ ‘ଇସ୍କ ତୁ ହିଁ ତୁ' ଫିଲ୍ମରେ ପ୍ରଥମ ଥର ପାଇଁ ପ୍ଲେବ୍ୟାକ୍ ଗୀତ ଗାଇ ସେ ଖ୍ୟାତି ଲାଭ କରିଥିଲେ । ତାଙ୍କ ସୁମଧୁର କଣ୍ଠସ୍ୱର ତାଙ୍କୁ ଯୁବ ପିଢ଼ିର ଅତି ପ୍ରିୟ ଗାୟକ କରି ଦେଇଥିଲା । ଶତାଧିକ ଆଲବମ୍‌, ଫିଲ୍ମ ଏବଂ ମେଲୋଡିୟସ୍ ଗୀତ ଗାଇଥିଲେ । ତାଙ୍କ ଗୀତଗୁଡ଼ିକ ଓଡ଼ିଆ ସଙ୍ଗୀତକୁ ଏକ ନୂଆ ଉତ୍କର୍ଷ ଦେଇଥିଲା ।

Advertisment

ବ୍ୟକ୍ତିଗତ ଜୀବନର ଅସ୍ଥିରତା ଏବଂ ବିବାଦ

୨୦୧୮ ମସିହାରେ ହ୍ୟୁମାନ ନିଜର ବାନ୍ଧବୀ ଶ୍ରୀୟା ମିଶ୍ରଙ୍କୁ ବିବାହ କରିଥିଲେ । କିନ୍ତୁ ୨୦୨୩ ମସିହାରେ ଶ୍ରୀୟା ଘରୋଇ ହିଂସା, ଧର୍ମ ପରିବର୍ତ୍ତନ ଓ ଯୌତୁକ ନିର୍ଯାତନାର ଅଭିଯୋଗ ଆଣିବା ସହ ଓ କନ୍ୟା ସନ୍ତାନ ଜନ୍ମ କରିଥିବା ଯୋଗୁ ତାଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣିଥିଲେ । ଅବଶ୍ୟ ହ୍ୟୁମାନ ହସ୍ପିଟାଲରେ ଭର୍ତ୍ତି ହେବାପରେ ତାଙ୍କ ପତ୍ନୀ ଶ୍ରୀୟାଙ୍କୁ ଦେଖିବାକୁ ମିଳିଥିଲା ।