ଲାଗିଛି ଡୋରି। ଯିବି ମୁଁ ପୁରୀ...। ଚାରିଧାମ୍ ଯାତ୍ରାରେ ବାହାରିଛନ୍ତି ଉତ୍ତରପ୍ରଦେଶର ଯୁବକ। ପାଦରେ ଚାଲି ଚାଲି ୧୨୦୦ କିମି ଅତିକ୍ରମ କରି ସେ ଓଡ଼ିଶାରେ ପହଞ୍ଚିଛନ୍ତି। ୧୦ରୁ ୧୫ ଦିନ ପରେ ଶ୍ରୀକ୍ଷେତ୍ରରେ ପହଞ୍ଚିବେ। ପ୍ରଭୁଙ୍କ ଆଶୀର୍ବାଦ ନେଇ ରାମଶ୍ୱରମ୍ ଅଭିମୁଖେ ଯାତ୍ରା କରିବେ ବୋଲି ଜଣାପଡ଼ିଛି।
ଉତ୍ତରପ୍ରଦେଶ ଉନ୍ନାଓ ଜିଲ୍ଲା ରୁକ୍ନାପୁର ଗାଁର ମିଥିଲେଶ କୁମର ମୌର୍ଯ୍ୟ। ଚାରି ଧାମ ଯାତ୍ରା ପାଇଁ ମାଆଙ୍କ ପାଖରେ ଆଗ୍ରହ ପ୍ରକାଶ କରିଥିଲେ। ଘରର ଏକମାତ୍ର ପୁଅ ହୋଇଥିବାରୁ ପ୍ରଥମେ ମାଆ ରାଜି ହୋଇନଥିଲେ। ପରେ ଯିବା ପାଇଁ ମାଆ ଅନୁମତି ଦେଇଥିଲେ। ମାଆଙ୍କଙ୍କଠାରୁ ଆଶୀର୍ବାଦ ନେଇ ଅକ୍ଟୋବର ୨୩ ତାରିଖରେ ଘରୁ ବାହାରିଥିଲେ ମିଥିଲେଶ। ସେ ପ୍ରଥମ ଚାଲିଚାଲି ଅଯୋଧ୍ୟା ଯାଇଥିଲେ। ସେଠାରେ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ।
ଅଯୋଧ୍ୟାରୁ କାଶି ବିଶ୍ୱନାଥ ଯାଇଥିଲେ ମିଥିଲେଶ। ବାବାଙ୍କୁ ଦର୍ଶନ କରିବା ପରେ ସେ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ୫୩ ଦିନ ହେଲା ପାଦରେ ଚାଲୁଛନ୍ତି। ପିଠିରେ ଝୁଲୁଥିବା ବ୍ୟାଗରେ ତ୍ରିରଙ୍ଗା ଓ ସନାତନ ପତାକୁ ଉଡାଇ ଚାଲିଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ୧୨୦୦ କିମି ଅତିକ୍ରମ କରିସାରିଲେଣି। ରବିବାର ସେ ଓଡ଼ିଶା ଭିତରେ ପ୍ରବେଶ କରିଛନ୍ତି। ୧୦ରୁ ୧୫ ଦିନ ଭିତରେ ସେ ଶ୍ରୀକ୍ଷେତ୍ରରେ ପହଞ୍ଚିବେ ବୋଲି ଆଶାବ୍ୟକ୍ତ କରିଛନ୍ତି। ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ ରାମଶ୍ୱରମ ଅଭିମୁଖେ ଯାତ୍ରା କରିବେ ବୋଲି ଜଣାପଡ଼ିଛି।
ନିଜର ଯାତ୍ରା ସମ୍ପର୍କରେ ମିଥିଲେଶ କୁମର ମୌର୍ଯ୍ୟ କହିଛନ୍ତି, ଦିନ ସାରା ଚାଲୁଛି। ସଞ୍ଜ ନଇବା ପୂର୍ବରୁ କୌଣସି ମନ୍ଦିର ବା ଧର୍ମଶାଳା ଦେଖି କଣ ଟିକେ ଖାଇ ବିଶ୍ରାମ ନେଉଛି। ମାଆଙ୍କ ସହିତ କଥା ହେଉଛି। ଯେଉଁଠାରେ ବିଶ୍ରାମ ନେଉଛି, ମାଆଙ୍କୁ ପୂରା ଠିକଣା ଦେଉଛି। ରାତି ପାହିଲେ ଗାଧୋଇ ପାଧୋଇ ପୁଣି ଗନ୍ତବ୍ୟ ପଥରେ ବାହାରି ପଡ଼ୁଛି। ରାସ୍ତାରେ ଗଲା ବେଳେ ପ୍ରଭୁଙ୍କ ନାମ ଜପୁଛି। ଜମାରୁ ଭୟ ଲାଗୁନି ବୋଲି ମିଥିଲେଶ କହିଛନ୍ତି।
ସେ ଆହୁରି କହିଛନ୍ତି, ବାଂଲାଦେଶରେ ଯାହା ହେଉଛି, ତାହା ଠିକ୍ ହେଉନି। ଆଗାମୀ ଦିନରେ ଭାରତରେ ସେମିତି ହେବନି, ତଥାପି ଭୟ ଲାଗୁଛି। ବେଳ ଥାଉଁ ଥାଉଁ ସବୁ ସନାତନି ଏକ ହେବା ଦରକାର। ସନାତନିଙ୍କୁ ଏକ ହେବାର ବେଳ ଆସିଛି ବୋଲି ସେ କହିଛନ୍ତି।
ରିପୋର୍ଟ- ବୀରମିତ୍ରପୁରରୁ ରାକେଶ କୁମାର ସାହୁ