Advertisment

ସରକାରୀ ରେକର୍ଡରେ ‘ହରିଜନ’ ଶବ୍ଦର ଉପଯୋଗ ବ୍ୟାନ୍, ୬ ଜିଲ୍ଲାପାଳଙ୍କୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ

ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ବି.ପରମେଶ୍ୱରନ୍ ମଙ୍ଗଳବାର ସମସ୍ତ ବିଭାଗୀୟ ସଚିବଙ୍କୁ ଚିଠି ଲେଖି ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାରର ରେକର୍ଡ, ଚିଠି ଆଦାନପ୍ରଦାନ, ଜାତି ପ୍ରମାଣପତ୍ର, ପ୍ରକାଶନ ଆଦିରେ ‘ହରିଜନ’ ଶବ୍ଦର ବ୍ୟବହାର ସଂପୂର୍ଣ୍ଣ ବନ୍ଦକୁ ସୁନିଶ୍ଚିତ କରିବାକୁ କହିଛନ୍ତି ।

author-image
Ordigital Desk
loka seva bhawan

Lokaseva Bhavan

ଏଣିକି ସରକାରୀ ରେକର୍ଡ ଓ ଚିଠିପତ୍ରରେ ‘ହରିଜନ’ ଶବ୍ଦ ଉପଯୋଗ ହୋଇପାରିବ ନାହିଁ । ରାଜ୍ୟରେ ସାମାଜିକ ନ୍ୟାୟ ଓ ସାମ୍ବିଧାନିକ ଅଧିକାର ସୁନିଶ୍ଚିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ରାଜ୍ୟ ସରକାର ଆଜି ଏଭଳି ନିର୍ଦ୍ଦେଶନାମା ସମସ୍ତ ବିଭାଗ ଓ ଜିଲ୍ଲାପାଳମାନଙ୍କୁ ଜାରି କରିଛନ୍ତି । ‘ହରିଜନ’ ଶବ୍ଦ ପରିବର୍ତ୍ତେ ‘ଅନୁସୂଚିତ ଜାତି’କୁ ସାମ୍ବିଧାନିକ ଶବ୍ଦ ଭାବେ ଉପଯୋଗ କରିବାକୁ କୁହାଯାଇଛି । ଏହି ନିର୍ଦ୍ଦେଶକୁ ଅନୁପାଳନ କରି ଆକ୍ସନ ଟେକେନ୍ ରିପୋର୍ଟ ଦାଖଲ କରିବାକୁ ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ସରକାରଙ୍କ ନିର୍ଦ୍ଦେଶନାମା ଓ ଅନୁପାଳନ

ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ବି.ପରମେଶ୍ୱରନ୍ ମଙ୍ଗଳବାର ସମସ୍ତ ବିଭାଗୀୟ ସଚିବଙ୍କୁ ଚିଠି ଲେଖି ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାରର ରେକର୍ଡ, ଚିଠି ଆଦାନପ୍ରଦାନ, ଜାତି ପ୍ରମାଣପତ୍ର, ପ୍ରକାଶନ ଆଦିରେ ‘ହରିଜନ’ ଶବ୍ଦର ବ୍ୟବହାର ସଂପୂର୍ଣ୍ଣ ବନ୍ଦକୁ ସୁନିଶ୍ଚିତ କରିବାକୁ କହିଛନ୍ତି । ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ, ପ୍ରତିଷ୍ଠାନ, ସ୍ୱାୟତ୍ତ ସଂସ୍ଥା ଓ ଅଫିସଗୁଡ଼ିକୁ ମଧ୍ୟ ଏହି ନିର୍ଦ୍ଦେଶକୁ ପାଳନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟ ସଚିବଙ୍କ ଅନୁମୋଦନରେ ସେ ଏହି ନିର୍ଦ୍ଦେଶନାମା ଜାରି କରିଥିବା ଏବଂ ଏହାକୁ ଅନୁପାଳନର ଏକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ନିମନ୍ତେ ମଧ୍ୟ ସବୁ ବିଭାଗକୁ କହିଛନ୍ତି । ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର ୨୦୧୨ ନଭେମ୍ବର ୨୨, ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ୨୦୧୩ ଜାନୁୟାରୀ ୧୦ ତାରିଖ ଓ ଓଡ଼ିଶା ମାନବାଧିକାର ଆୟୋଗ(ଓଏଚଆରସି)ଙ୍କ ୨୦୨୫ ଜାନୁୟାରୀ ୩୧ତାରିଖର ଆଦେଶ ଆଧାରରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଥିବା ସଚିବ ଶ୍ରୀ ପରମେଶ୍ୱରନ୍ ଅବଗତ କରାଇଛନ୍ତି । ଭାରତୀୟ ସମ୍ବିଧାନର ଅନୁଚ୍ଛେଦ-୩୪୧ ଅନୁସାରେ ଅନୁସୂଚିତ ଜାତି ବର୍ଗଙ୍କ ନିମନ୍ତେ ଇଂରାଜୀରେ ‘ସିଡ୍ଲ୍ୟୁଲ୍ କାଷ୍ଟ’  ଓ ଓଡ଼ିଆରେ ‘ଅନୁସୂଚିତ ଜାତି’ ଶବ୍ଦ ଉପଯୋଗ କରାଯିବ। ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାରର ରେକର୍ଡ, ଚିଠିପତ୍ର, ଜାତି ପ୍ରମାଣପତ୍ର, ପ୍ରକାଶନ ଆଦିରେ ‘ହରିଜନ’ ଶବ୍ଦର ଉପଯୋଗ ସମ୍ପୂର୍ଣ୍ଣ ବନ୍ଦ ରହିବ । ଏ ସମ୍ପର୍କରେ ସରକାରୀ ଅଫିସରମାନଙ୍କ ମଧ୍ୟରେ ଆବଶ୍ୟକ ସଚେତନତା ସୃଷ୍ଟି ନିମନ୍ତେ ମଧ୍ୟ ବିଭାଗ କହିଛି ।

୬ ଜିଲ୍ଲାପାଳଙ୍କୁ ଆକ୍ସନଟେକେନ୍ ରିପୋର୍ଟ

ନୟାଗଡ଼, କଟକ, ପୁରୀ, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ଭଦ୍ରକ ଜିଲ୍ଲାପାଳମାନଙ୍କୁ ତୁରନ୍ତ ନିଜ ନିଜ ଅଂଚଳରେ ଥିବା ସ୍କୁଲଗୁଡ଼ିକର ନାମରେ ‘ହରିଜନ’ଶବ୍ଦ ଉପଯୋଗ ହୋଇଥିଲେ ତାକୁ ହଟାଇବା ସହ ଏ ସଂକ୍ରାନ୍ତରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାଫଳରେ ଧାର୍ଯ୍ୟ ସମୟସୀମା ମଧ୍ୟରେ କୋର୍ଟଙ୍କୁ ଅବଗତ କରାଯାଇପାରିବ ବୋଲି ବିଭାଗ କହିଛି । ଓଡ଼ିଶାର ବହୁଜନ ଛାତ୍ର ଓ ଯୁବ ମୋର୍ଚ୍ଚାର ରାଜ୍ୟ ସଂଯୋଜକ ଅନୀଲ କୁମାର ମଲ୍ଲିକଙ୍କ ଦ୍ୱାରା ଦାଏର ଏକ ମାମଲାର ବିଚାର କରି ଓଡ଼ିଶା ମାନବାଧିକାର ଆୟୋଗ(ଓଏଚଆରସି) ୨୦୨୫ ଜାନୁୟାରୀ ୩୧ତାରିଖରେ ମଧ୍ୟ ଅନୁରୂପ ନିର୍ଦ୍ଦେଶ ଜାରି କରିଛନ୍ତି । ଶ୍ରୀ ମଲ୍ଲିକ ସରକାରୀ ସଂସ୍ଥା, ଶିକ୍ଷାନୁଷ୍ଠାନ ଓ ସରକାରୀ ଯୋଗାଯୋଗରେ ‘ହରିଜନ’ଶବ୍ଦର ଉପଯୋଗ ବନ୍ଦ ପାଇଁ ଦାବି ଜଣାଇଥିଲେ । ଏହି ଶବ୍ଦର ଉପଯୋଗ ଅନୁସୂଚିତ ଜାତି ବର୍ଗର ସାମ୍ବିଧାନିକ ଅଧିକାରର ଉଲ୍ଲଘଂନ ବୋଲି ଦର୍ଶାଇବା ସହ କେତେକ ସ୍କୁଲରେ ଏହି ଶବ୍ଦ ବ୍ୟବହାର ହେଉଥିବାର ତାଲିକା ମଧ୍ୟ ପ୍ରଦାନ କରିଥିଲେ ।

Advertisment

ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବଙ୍କ ଦ୍ୱାରା ମଙ୍ଗଳବାର ଜାରି ନିର୍ଦ୍ଦେଶନାମା ପୂର୍ବରୁ ୧୯୮୨ ଫେବୃୟାରୀ ୧୦ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଅନୁସୂଚିତ ଜାତି ପ୍ରମାଣପତ୍ରରେ ‘ହରିଜନ’ ଶବ୍ଦ ବ୍ୟବହାର ନକରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ୧୯୯୦ ଅଗଷ୍ଟ ୧୬ତାରିଖରେ ମଧ୍ୟ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ସରକାରୀ କାର୍ଯ୍ୟ ଓ ଯୋଗାଯୋଗରେ କେବଳ ‘ଅନୁସୂଚିତ ଜାତି’ ଶବ୍ଦ ଏବଂ ଏହାର ଅନ୍ୟ ଭାଷାରେ ଅନୁବାଦ ବ୍ୟବହାର କରିବାକୁ ଅନୁରୋଧ କରିଥିଲେ ।  ୨୦୧୦ ଅଗଷ୍ଟ ୧୯ତାରିଖରେ ମଧ୍ୟ କେନ୍ଦ୍ର  ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର ସଂସଦୀୟ ସ୍ଥାୟୀ କମିଟି ତାଙ୍କର ନବମ ରିପୋର୍ଟରେ ମଧ୍ୟ ଏହି ‘ହରିଜନ’ ଶବ୍ଦ ଉପଯୋଗ ବନ୍ଦ ହେଉନଥିବା ନେଇ ଚିନ୍ତାପ୍ରକଟ କରି ନୂଆ ନିର୍ଦ୍ଦେଶନାମା ଜାରି ପାଇଁ ସୁପାରିଶ କରିଥିଲେ ।