ପୋଖରୀରେ ବୁଲୁଛି କୁମ୍ଭୀର। ଗୋଟିଏ ପୋଖରୀରୁ ମାଛ ଖାଇ ସଫା କରିବା ପରେ ଆଉ ଏକ ପୋଖରୀକୁ ଚାଲି ଯାଉଛି। ଫଳରେ କୁମ୍ଭୀରଟି ଗାଁରେ ଆତଙ୍କ ଖେଳି ରଖିଛି। ମାତ୍ର ବନ ବିଭାଗ ସବୁ ଜାଣି ବି ନୀରବଦ୍ରଷ୍ଟା ସାଜିଥିବାରୁ ଶେଷରେ ଗ୍ରାମବାସୀ ଜାଲ ପକାଇ କୁମ୍ଭୀରଟିକୁ କାବୁ କରିଛନ୍ତି । ଏପରି ଏକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଗଜରାଜପୁର ଗାଁରେ ଘଟିଛି। ଏକ ୬ ଫୁଟ ଲମ୍ବର ବଉଳା କୁମ୍ଭୀରକୁ ପୋଖରୀରୁ ଧରି ଲୋକେ ବାନ୍ଧି ରଖିଛନ୍ତି l
ପ୍ରାୟ ମାସେ ହେବ ନିକଟସ୍ଥ କେନାଲରୁ କୁମ୍ଭୀରଟି ଉଠି ଆସି ଗାଁ ପୋଖରୀରେ ପଶି ଯାଇଥିଲା। ଗୋଟିଏ ପୋଖରୀରୁ ମାଛ ଖାଇ ଶେଷ ଦେବା ପରେ ଆଉ ଏକ ପୋଖରୀକୁ ଚାଲି ଯାଉଥିଲା। କେତେବେଳେ ଅତର୍କିତ ଆକ୍ରମଣ କରିବ ଭାବି ଗ୍ରାମବାସୀ ଭୟରେ କାଳାତିପାତ କରୁଥିଲେ।
ଘଟଣା ସମ୍ପର୍କରେ ଗ୍ରାମବାସୀ ବନ ବିଭାଗକୁ ଜଣାଇଲେ । ମାତ୍ର ବିଭାଗୀୟ ଅଧିକାରୀ କିଛି ପଦକ୍ଷେପ ନେଉନଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ଆଜି ସକାଳୁ କୁମ୍ଭୀରଟି ପୋଖରୀରେ ଭାସୁଥିବା ବେଳେ ଗ୍ରାମବାସୀ ତାହାକୁ ଜାଲ ପକାଇ ଧରିଛନ୍ତି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିନାହାନ୍ତି ।
ଗ୍ରାମବାସୀ କହିଛନ୍ତି, କୁମ୍ଭୀରଟି ମାସକ ତଳେ କେନାଲରୁ ଉଠି ପୋଖରୀକୁ ଚାଲି ଆସିଥିଲା। ଏନେଇ ବନ ଅଧିକାରୀଙ୍କୁ ଖବର ଦେଇଥିଲୁ। ସେମାନେ ଆସି ବୁଲି ଯାଇଥିଲେ ବି କୌଣସି ସମାଧାନ କରି ନ ଥିଲେ। ଆମ ପିଲାମାନେ ଚଳପ୍ରଚଳ କରୁଥିବାରୁ ଆମେ ସବୁବେଳେ ଭୟଭୀତ ହୋଇ ରହୁଥିଲୁ। ଆଜି କୁମ୍ଭୀରଟି ପୋଖରୀରେ ଭାସୁଥିବା ବେଳେ ଆମେମାନେ ଜାଲ ପକାଇ ତାହାକୁ ଧରି ଦେଇଛୁ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।