Advertisment

ପ୍ରତିଶ୍ରୁତି ରଖିଲେନି ମୁଖ୍ୟମନ୍ତ୍ରୀ; ଜିଲ୍ଲାପାଳ କାର୍ଯ୍ୟାଳୟ ପଦ୍ମପୁର ଲେଖିଲେ ଲୋକେ

ଆଜି ନୂଆବର୍ଷ। ୨୦୨୩ ମସିହା ଯାଇ ୨୦୨୪ ମସିହା ପଦାର୍ପଣ କଲାଣି। ହେଲେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ବାହାରିଲା ନାହିଁ। ଯାହାକୁ ନେଇ ପଦ୍ମପୁରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

author-image
Manoranjan Sial
ଅଦ୍ୟତନ ହୋଇଛି
Padmapur

Padmapur

ପଦ୍ମପୁର ଉପ ନିର୍ବାଚନ ସମୟରେ ଜିଲ୍ଲା ମାନ୍ୟତା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ପ୍ରତିଶ୍ରୁତି ପାଳନ କଲେନି ରାଜ୍ୟ ସରକାର। ତେଣୁ ‘ଉପ’ ଶବ୍ଦରେ କାଳି ବୋଳି ଜିଲ୍ଲାପାଳ କାର୍ଯ୍ୟାଳୟ ପଦ୍ମପୁର ଲେଖିଲେ ଲୋକେ। ଖାଲି ସେତିକି ନୁହେଁ, ପଡ଼ୋଶୀ ଛତିଶଗଡ଼ ରାଜ୍ୟରେ ମିଶିବେ ବୋଲି ଧମକ ଦେଲେ।

Advertisment

ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ୍‌ ପ୍ରଚାରରେ ଯାଇ ପଦ୍ମପୁର ଜିଲ୍ଲା ଗଠନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ କଥାକୁ ବିଶ୍ୱାସ କରି ପଦ୍ମପୁର ନିର୍ବାଚନମଣ୍ଡଳୀର ଭୋଟରମାନେ ବିଜେଡି ପ୍ରାର୍ଥୀ ବର୍ଷା ସିଂବରିହାଙ୍କୁ ବିପୁଳ ଭୋଟ୍‌ ଦେଇ ବିଜୟୀ କରାଇଥିଲେ। ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଗସ୍ତରେ ଯାଇଥିଲେ। ଆଉ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଜନତାଙ୍କୁ ଧନ୍ୟବାଦ ଦେଇଥିଲେ। ୨୦୨୩ ଡିସେମ୍ୱର ୩୧ ତାରିଖ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ଭାବେ ଘୋଷଣା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ।

ଆଜି ନୂଆବର୍ଷ। ୨୦୨୩ ମସିହା ଯାଇ ୨୦୨୪ ମସିହା ପଦାର୍ପଣ କଲାଣି। ହେଲେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ବାହାରିଲା ନାହିଁ। ଯାହାକୁ ନେଇ ପଦ୍ମପୁରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ରାଜବୋଡାସମ୍ୱର କୃଷକ ସଂଗଠନର ଶତାଧିକ ଚାଷୀ ପଦ୍ମପୁର ଉପ-ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଏକ ବିଶାଳ ସଭା ଆୟୋଜନ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ତା’ପରେ ଚାଷୀମାନେ ପଦ୍ମପୁର ଉପ-ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଲେଖାଯାଇଥିବା (ଉପ ଜିଲ୍ଲାପାଳ କାର୍ଯ୍ୟାଳୟ) ‘ଉପ’ ଶବ୍ଦକୁ କାଳିରେ ଲିଭାଇ ଜିଲ୍ଲାପାଳ କାର୍ଯ୍ୟାଳୟ ପଦ୍ମପୁର ଲେଖିଦେଲେ। ଅର୍ଥାତ ବର୍ତ୍ତମାନ ଜିଲ୍ଲାପାଳ କାର୍ଯ୍ୟାଳୟ ପଦ୍ମପୁର ଲେଖା ରହିଛି।

Advertisment
Padampurଲୋକମାନେ ପ୍ରତିବାଦ କରୁଛନ୍ତି

ଭୌଗୋଳିକ ଦୃଷ୍ଟି କୋଣରେ ଦେଖରବାକୁ ଗଲେ ପଦ୍ମପର ଜିଲ୍ଲା ପାଇଁ ଯୋଗ୍ୟ। ପଦ୍ମପୁର ଛତିଶଗଡ଼ ସୀମାନ୍ତରେ ଅବସ୍ଥିତ। ଏଠାକାର ଲୋକମାନେ ଛତିଶଗଡ଼ର ଲୋକମାନଙ୍କ ସହ ବନ୍ଧୁ ବାନ୍ଧବ ଭାବରେ ସମ୍ପର୍କ ରଖି ଆସୁଛନ୍ତି। ପଦ୍ମପୁରଠାରୁ ୧୦ କିମି ଦୂରରେ ଛତିଶଗଡ଼ ରାଜ୍ୟ ରହିଛି। ଓଡ଼ିଶାରେ ଚାଷୀଙ୍କଠାରୁ ଏକର ପ୍ରତି ୧୩ କ୍ୱିଣ୍ଟାଲ୍‌ ଧାନ କିଣା ହେଉଥିବା ବେଳେ ଛତିଶଗଡରେ ୨୦ କ୍ୱିଣ୍ଟାଲ୍‌ ଧାନ କିଣାଯାଉଛି। ଓଡ଼ିଶାଠାରୁ ଛତିଶଗଡ଼ରେ ଧାନ ଦର ଅଧିକ ରହିଛି। ସେଠାକର ଚାଷୀମାନଙ୍କୁ ବିଦ୍ୟୁତ ବିଲରେ ରିହାତି ଦିଆଯାଇଥିବା କରାଣରୁ ଚାଷୀମାନେ ଛତିଶଗଡ଼ରେ ମିଶିବାକୁ ଦାବି କଲେଣି।

ରିପୋର୍ଟ- ପଦ୍ମପୁରରୁ ସୋମେଶ ଚନ୍ଦ୍ର ମହାନ୍ତି

BARAGADA Padampur