Advertisment

ପାଣ୍ଡିଆନପନ୍ଥୀଙ୍କୁ ଓଡ଼ିଶା ଦାୟିତ୍ୱ: ଭିନିଲଙ୍କୁ ବଲାଙ୍ଗୀର ଓ ଭିଭି ଯାଦବଙ୍କୁ ଢେଙ୍କାନାଳ

ପାଣ୍ଡିଆନଙ୍କ କୋରଟିମ୍ ସଦସ୍ୟ ଥିବା ଅଫିସରମାନେ ଜଣକପରେ ଜଣେ ଦିଲ୍ଲୀକୁ ଡେପୁଟେସନରେ ପଳାଇଥିବାବେଳେ ଏବେ ଓଲଟା ଦିଲ୍ଲୀ ଆଡ଼ୁ ସେମାନଙ୍କୁ ଓଡ଼ିଶାର ଦାୟିତ୍ୱ ନ୍ୟସ୍ତ ହୋଇଥିବା ଜଣାପଡ଼ିଛି ।

author-image
Ordigital Desk
IAS

IAS

ଓଡ଼ିଶାରେ ବିଜେପି ସରକାରକୁ ଆଜି ବର୍ଷେ ପୁରିଛି । ଆଉ ଏପଟେ ପାଣ୍ଡିଆନପନ୍ଥୀଙ୍କୁ ମିଳିଛି ଓଡ଼ିଶାର ଆକାଂକ୍ଷୀ ଜିଲ୍ଲାର ପ୍ରଭାରୀ ଦାୟିତ୍ୱ । ପୂର୍ବ ସରକାରରେ ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ହାକିମାତି ବିରୋଧରେ ଜନଆକ୍ରୋଶ ସୃଷ୍ଟି କରି ବିଜେପି ରାଜ୍ୟରେ ନିଜସ୍ୱ ସରକାର ଗଢ଼ିବାରେ ସକ୍ଷମ ହୋଇଛି ସତ କିନ୍ତୁ ପାଣ୍ଡିଆନପନ୍ଥୀଙ୍କ ପ୍ରଭାବ ଉପରେ ଏପର୍ଯ୍ୟନ୍ତ ଅଙ୍କୁଶ ଲଗାଇ ପାରିନଥିବା ଚର୍ଚ୍ଚା ହେଉଛି ।

Advertisment

ପାଣ୍ଡିଆନଙ୍କ କୋରଟିମ୍ ସଦସ୍ୟ ଥିବା ଅଫିସରମାନେ ଜଣକପରେ ଜଣେ ଦିଲ୍ଲୀକୁ ଡେପୁଟେସନରେ ପଳାଇଥିବାବେଳେ ଏବେ ଓଲଟା ଦିଲ୍ଲୀ ଆଡ଼ୁ ସେମାନଙ୍କୁ ଓଡ଼ିଶାର ଦାୟିତ୍ୱ ନ୍ୟସ୍ତ ହୋଇଥିବା ଜଣାପଡ଼ିଛି । ମାତ୍ର ୧୫ଦିନ ପୂର୍ବରୁ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ପାଣ୍ଡିଆନଙ୍କ ଖାସ୍ ଆଇଏଏସ୍ ଆର.ଭିନିଲକ୍ରିଷ୍ଣା ଓ ଭିଭି ଯାଦବଙ୍କୁ ଦୁଇଟି ଆକାଂକ୍ଷୀ ଜିଲ୍ଲାର କେନ୍ଦ୍ରୀୟ ପ୍ରଭାରୀ ଭାବେ ଅବସ୍ଥାପିତ କରାଯାଇଛି । ଯାହାକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ପାଣ୍ଡିଆନପନ୍ଥୀଙ୍କୁ ଓଡ଼ିଶା ପ୍ରଭାରୀ ଦାୟିତ୍ୱ

ନିତି ଆୟୋଗଙ୍କ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶା କ୍ୟାଡ଼ରର ଦୁଇ ଆଇଏଏସ୍ ଆର.ଭିନିଲକ୍ରିଷ୍ଣା ଓ ବୀରବିକ୍ରମ ଯାଦବଙ୍କ ସମେତ ଅନ୍ୟ ଦୁଇଜଣ ଓଡ଼ିଆ ଅଫିସରଙ୍କୁ ୪ଟି ଆକାଂକ୍ଷୀ ଜିଲ୍ଲାର କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ଭାବେ ନିଯୁକ୍ତି ମିଳିଛି । କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ଦ୍ୱାରା ଗୁରୁବାର(ଜୁନ୍ ୧୨ତାରିଖ) ଏହି ନିଯୁକ୍ତି ଦିଆଯାଇଛି । କେନ୍ଦ୍ର କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ଆର.ଭିନିଲକ୍ରିଷ୍ଣାଙ୍କୁ ବଲାଙ୍ଗୀର ଜିଲ୍ଲା, କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ବୀରବିକ୍ରମ ଯାଦବଙ୍କୁ ଢେଙ୍କାନାଳ, କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଂଟନ ବିଭାଗର ଯୁଗ୍ମସଚିବ ଅନୀତା କରନ(ଭାରତୀୟ ଜଙ୍ଗଲ ସେବା)ଙ୍କୁ କଳାହାଣ୍ଡି ଜିଲ୍ଲା ଏବଂ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ଯୁଗ୍ମସଚିବ ସମର ନନ୍ଦ(ଭାରତୀୟ ରାଜସ୍ୱ ସେବା)ଙ୍କୁ ନୂଆପଡ଼ା ଜିଲ୍ଲାର ‘କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ’ ଭାବେ ନିଯୁକ୍ତି ମିଳିଛି ।

Advertisment

ଆଇଏଏସ୍ ଭିନିଲକ୍ରିଷ୍ଣା ଓ ଭିଭି ଯାଦବ ଉଭୟ ଗତ ସପ୍ତାହରେ ଓଡ଼ିଶା ଛାଡ଼ିଥିଲେ ଏବଂ ପାଣ୍ଡିଆନଙ୍କ କୋରଟିମ୍ ସଦସ୍ୟ ଭାବେ ମଧ୍ୟ ପରିଚିତ । ପାଣ୍ଡିଆନଙ୍କ ଖାସ୍ ଭାବେ ଭିନିଲ୍ ତୃତୀୟ ମହଲାରେ ଅବସ୍ଥାପିତ ଥିଲେ ଓ ଭିଭି ଯାଦବଙ୍କୁ ଦୁଆଁଳିଆ ବିଭାଗର ସଚିବ ପଦରେ ନିଯୁକ୍ତି ଦେଇ ପାଣ୍ଡିଆନ ଅବାଧରେ ନିଜର ମାମଲାତି ଜାରି ରଖିଥିଲେ ବୋଲି ଚର୍ଚ୍ଚା ହୁଏ ।

ପାଣ୍ଡିଆନପନ୍ଥୀ ଅଫିସରମାନଙ୍କ ବିରୁଦ୍ଧରେ ବିଭିନ୍ନ ଅଭିଯୋଗ ପୂର୍ବରୁ ରହିଥିଲେ ମଧ୍ୟ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନନେଇ କେନ୍ଦ୍ରୀୟ ଡେପୁଟେସନରେ ପଠାଇ ଦିଆଯିବା ଏବେବି ରହସ୍ୟମୟ ଘଟଣା ହୋଇ ରହିଛି । ତେବେ ସେମାନଙ୍କୁ ଓଡ଼ିଶା ବ୍ୟାପାରରୁ ଦୂରେଇ ରଖି ରାଜ୍ୟରେ ପ୍ରଶାସନିକ ଓ ବିକାଶ କାର୍ଯ୍ୟକୁ ଗତିଶୀଳ କରିବା ନିମନ୍ତେ ଦିଲ୍ଲୀ ପଠାଇ ଦିଆଯାଉଛି ବୋଲି ବିଜେପି ସମର୍ଥିକମାନେ ଦାବି କରୁଥିଲେ । କିନ୍ତୁ ଏବେ ପାଣ୍ଡିଆନପନ୍ଥୀ ଅଫିସରମାନଙ୍କୁ ଯେଭଳି ଢଙ୍ଗରେ ଉପରଆଡ଼ୁ ଓଡ଼ିଶା ବ୍ୟାପାରରେ ଲଦି ଦିଆଯାଇଛି ତାକୁ ନେଇ ପାୱାର କରିଡରରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି ।

ଆକାଂକ୍ଷୀ ଜିଲ୍ଲାର କେନ୍ଦ୍ରୀୟ ପ୍ରଭାରୀ

ନିତି ଆୟୋଗ ୨୦୧୮ ମସିହାରୁ ଓଡ଼ିଶାର ୧୦ଟି ସମେତ ଦେଶର ୧୧୨ଟି ଅତ୍ୟନ୍ତ ପଛୁଆ ଜିଲ୍ଲାର ସାମଗ୍ରିକ ବିକାଶ ନିମନ୍ତେ ‘ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ’ ଆରମ୍ଭ କରିଥିଲେ । ଏହି ସମସ୍ତ ଜିଲ୍ଲା ଦାୟିତ୍ୱରେ ଜଣେ ଲେଖାଏଁ କେନ୍ଦ୍ରୀୟ ପ୍ରଭାରୀ ଅଫିସରଙ୍କୁ ନିଯୁକ୍ତି କେନ୍ଦ୍ର ସରକାର ଦେଇଛନ୍ତି । ସମ୍ପୃକ୍ତ ପ୍ରଭାରୀ ଅଫିସରମାନେ କେନ୍ଦ୍ର ସରକାର ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଏକ ବ୍ରିଜ୍ ଭଳି କାର୍ଯ୍ୟ କରି ଆକାଂକ୍ଷୀ ଜିଲ୍ଲାର କାର୍ଯ୍ୟସୂଚୀକୁ ସଫଳ କରିବା ନିମନ୍ତେ ଦିଗଦର୍ଶନ ଓ ସହଯୋଗ ଯୋଗାଇବା ସହ ସମ୍ପୃକ୍ତ ଜିଲ୍ଲାର ବିକାଶର ମୂଲ୍ୟାୟନର ରିପୋର୍ଟ ମଧ୍ୟ ଦେବେ ।

ଦିଲ୍ଲୀ ଯିବେ ଆଉ ଦୁଇ ପାଣ୍ଡିଆନପନ୍ଥୀ

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ପାଣ୍ଡିଆନଙ୍କ ଖାସ୍ ହୋଇ ଉଭୟ ସରକାର ଓ ଦଳୀୟ କାର୍ଯ୍ୟରେ ମାମଲାତି କରୁଥିବା ଅଫିସରମାନେ ଜଣକପରେ ଜଣେ କେନ୍ଦ୍ରୀୟ ଡେପୁଟେସନରେ ପଳାଇବାରେ ସକ୍ଷମ ହୋଇଛନ୍ତି । ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାତ୍ତିକେୟନ ରାଉତଙ୍କ ଭିଆରଏସ୍ ଆବେଦନକୁ କେନ୍ଦ୍ର ସରକାର ମାତ୍ର ଗୋଟିଏ ଦିନ ମଧ୍ୟରେ ଅନୁମୋଦନ କରିବା ସହ ପାଣ୍ଡିଆନପନ୍ଥୀ ଅଫିସର ଭାବେ ପରିଚିତ ଡିଏସ୍ କୁଟ୍ଟେ, ଆଶୀଷ ସିଂ, ରବିକାନ୍ତ, ମିତ୍ରଭାନୁ ମହାପାତ୍ର ,ଆଶୀଷ ଠାକରେ, ଭିନିଲକ୍ରିଷ୍ଣା, ଭିଭି ଯାଦବଙ୍କୁ କେନ୍ଦ୍ରରେ ନିଯୁକ୍ତି ମିଳିସାରିଛି । ଏବେ ପାଣ୍ଡିଆନପନ୍ଥୀ ସର୍ବଭାରତୀୟ ସେବାର ଦମ୍ପତି ମଧ୍ୟ ଡେପୁଟେସନରେ ଯିବାକୁ ଆବେଦନ କରିଥିବା ସୂଚନା ମିଳିଛି ।

Odisha Ias Officer Vk Pandian