/odisha-reporter/media/post_attachments/uploadimage/library/16_9/16_9_0/Vehilces_1702649047.jpg)
Vehilces
୨୦୨୪ ଜାନୁଆରୀ ପହିଲାରୁ ପଞ୍ଜୀକରଣ ହେବାକୁ ଥିବା ନୂଆ ଗାଡ଼ିରେ ଲାଗିବ ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ (VLTD)। ଆଜି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ୩୧.୧୨.୨୦୨୩ ବା ତା’ ପୂର୍ବରୁ ପଞ୍ଜିକୃତ ହୋଇଥିବା ଗାଡ଼ି ଗୁଡ଼ିକରେ ଆସନ୍ତା ବର୍ଷ ଜୁନ୍ ୩୦ ସୁଦ୍ଧା VLTD ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରରେ ଉଦ୍ଘାଟିତ ହୋଇଛି ଭିଏଲଟିଡି କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର। ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ଏହି କଣ୍ଟ୍ରୋଲ ସେଣ୍ଟର ୨୪ ଘଣ୍ଟା କାମ କରିବ। ଦୁଇ ଓ ତିନି ଚକିଆ ଗାଡ଼ିକୁ ଛାଡ଼ି ରାଜ୍ୟର ସବୁ ଯାତ୍ରୀବାହୀ, ମାଲବୁହା ଗାଡ଼ି ଓ ଆମ୍ବୁଲାନ୍ସ ଉପରେ ନଜର ରଖିବ ଏହି ସେଣ୍ଟର।
ଗାଡ଼ି ଷ୍ଟାର୍ଟ ହେବା ଠାରୁ ଆରମ୍ଭ କରି କେତେ ବେଗରେ ଚାଲୁଛି, କେଉଁଠି ରହିଲା, କୁଆଡେ ଗଲା, ଗାଡ଼ିରେ କିଛି ସମସ୍ୟା ଉପୁଜିଲା କି, ସେହିପରି କୌଣସି ବିପଦ ଆଶଙ୍କା କରି ଯାତ୍ରୀ ଏମର୍ଜେନ୍ସି ବଟନ୍ ଦବାଇଲେ ଗାଡି ସଂପର୍କିତ ୪୦ ପ୍ରକାର ସୂଚନା କଣ୍ଟ୍ରୋଲ ସେଣ୍ଟରକୁ ଆସିବ। ଏହାସହ ଗାଡ଼ିର ମାଲିକ, ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ, ନିକଟସ୍ଥ ଥାନା, ରକ୍ଷକ ଓ ଟ୍ରମା ସେଣ୍ଟରକୁ ବି ଖବର ପହଞ୍ଚିଯିବ । ଫଳରେ ତତ୍କାଳ ସାହାଯ୍ୟ ଯୋଗାଇ ଦିଆଯାଇପାରିବ ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି VLTDକୁ ଟ୍ୟାମ୍ପର କରାଯାଇପାରିବ ନାହିଁ । ମୋବାଇଲ ନେଟୱର୍କ ନ ଥିବା ଅଞ୍ଚଳରେ ବି ଏହି ଡିଭାଇସ ଗାଡ଼ିର ଗତିବିଧିକୁ ରେକର୍ଡ କରି ରଖିବ। ନେଟୱର୍କ ଅଞ୍ଚଳକୁ ଆସିବା ମାତ୍ରେ କମାଣ୍ଡ ସେଣ୍ଟରକୁ ତଥ୍ୟ ପ୍ରେରଣ କରିବ । ୨୦୧୨ ଦିଲ୍ଲୀ ନିଭର୍ୟା ଘଟଣା ପରେ କେନ୍ଦ୍ର ସରକାର ନିର୍ଭୟା ପାଣ୍ଠିରୁ ରାଜ୍ୟକୁ ଅର୍ଥ ଯୋଗାଇ ଦେଇଥିଲେ। ତେବେ ଆଜି ଯାଏ ଭିଏଲଟିଡି ନିୟମ ଲାଗୁ ହୋଇପାରିନି। ଏ ଭିତରେ ୪ ଥର ବିଜ୍ଞପ୍ତି ବଦଳାଇ ସାରିଲାଣି ପରିବହନ ବିଭାଗ। ଆଜି କମାଣ୍ଡ ସେଣ୍ଟର ଉଦ୍ଘାଟନ ହୋଇଥିବା ବେଳେ ଭିଏଲଟିଡି ପାଇଁ ପୁଣି ନୂଆ ବିଜ୍ଞପ୍ତି ଜାରି ହୋଇଛି। ୨୦୨୪ ଜାନୁଆରୀ ପହିଲାରୁ ପଞ୍ଜୀକରଣ ହେବାକୁ ଥିବା ସବୁ ନୂଆ ଗାଡ଼ିରେ ଓ ଜୁନ୍ ୩୦ ସୁଦ୍ଧା ପୁରୁଣା ଗାଡିରେ ଭିଏଲଟିଡି ଲଗାଇବାକୁ ନିର୍ଦ୍ଦେଶ ରହିଛି।
ରାଜ୍ୟରେ ଗାଡ଼ି ଚୋରି ସାଙ୍ଗକୁ ବେପରୁଆ ଗାଡ଼ି ଚାଳନା ବଢ଼ି ବଢି ଚାଲିଛି। ନୂଆ ଭିଏଲଟିଡି କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ଏସବୁ ରୋକିବାରେ କେତେ ସଫଳ ହେବ, ତାହା ବ୍ୟବସ୍ଥା କାର୍ଯ୍ୟକାରୀ ହେଲା ପରେ ଜଣାପଡ଼ିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
