ସାବଧାନ ମାଫିଆ: ଛକ ଛକରେ ଜଗିଛନ୍ତି ପୁଲିସ

ଫ୍ଲାଗମାର୍ଚ୍ଚର ମୁଖ୍ୟ ଉଦ୍ଦେଶ୍ୟ ହେଉଛି- ମୁଖ୍ୟତଃ ଆସନ୍ତା ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ତଥା ନିର୍ବାଚନକୁ ପ୍ରଭାବିତ କରୁଥିବା କିଛି କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବା।

ପୁଲିସର ଫ୍ଲାଗମାର୍ଚ୍ଚ

  • Published: Thursday, 23 May 2024
  • , Updated: 23 May 2024, 05:23 PM IST

ନିର୍ବାଚନ ଓ ସହର ମଧ୍ୟରେ ଘଟୁଥିବା ବିଭିନ୍ନ ଅପରାଧକୁ ପ୍ରତିହତ କରିବା ପାଇଁ ଭୁବନେଶ୍ୱର-କଟକ ଦ୍ୱୈତ ନଗରୀର ପୁଲିସ କମିଶନର ଓ ଭୁବନେଶ୍ୱର ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଜିଲ୍ଲା ତରଫରୁ ଗତକାଲି ସନ୍ଧ୍ୟାରେ କ୍ୟାପିଟାଲ ଥାନା, ଖଣ୍ଡଗିରି ଥାନା, ଭରତପୁର ଥାନା, ବଡ଼ଗଡ଼ ଥାନା, ଲକ୍ଷ୍ମୀସାଗର ଥାନା, ଶହୀଦନଗର ଥାନା ଓ ମଞ୍ଚେଶ୍ଵର ଥାନା ଅନ୍ତର୍ଗତ ଏକାଧିକ ଖଟି ସ୍ଥାନ ଉପରେ ଚଢଉ କରାଯାଇଥିଲା। ସର୍ବସାଧାରଣ ସ୍ଥାନରେ ବେଆଇନ ଭାବେ ନିଶାଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଧରପଗଡ଼ ଅଭିଯାନ କରାଯାଇଥିଲା। ଏହି ଅଭିଯାନରେ ସମ୍ପୃକ୍ତ ଥାନାର ଅଫିସର, ଥାନା କର୍ମଚାରୀଙ୍କ ସମତେ ଟିମ୍ -୬୦ ଓ ସିଟିଏସ ଟିମ୍ ସାମିଲ ହୋଇଥିଲେ।

ସେହିପରି କ୍ୟାପିଟାଲ ଥାନା ଅନ୍ତର୍ଗତ କେଦାରପଲ୍ଲୀ ବସ୍ତି, ଝରଣାସାହି ବସ୍ତି, ରଡ଼ ଗୋଦାମ ବସ୍ତି, ଫାଳିକିଆ ବସ୍ତି, ଅଶୋକନଗର ଅଞ୍ଚଳ, ବାପୁଜୀନଗର ବଜାର ଅଞ୍ଚଳ ଓ କାଳିବାରି ବସ୍ତି ଅଞ୍ଚଳ, ଖାରବେଳନଗର ଥାନା ଅନ୍ତର୍ଗତ ରାମପୁର ବସ୍ତି, ମା ମଙ୍ଗଳା ବସ୍ତି, ଭଗବତୀ ବସ୍ତି ଓ ମଧୁସୂଦନ ନଗର ଅଞ୍ଚଳ, ଏୟାରପୋର୍ଟ ଥାନା ଅନ୍ତର୍ଗତ କାର୍ଗିଲ ବସ୍ତି, ଲିଙ୍ଗରାଜ ବିହାର, ପଳାସପଲ୍ଲୀ ଛକ ଓ ପୋଖରିପୁଟ ଅଞ୍ଚଳ, ବଡ଼ଗଡ଼ ଥାନା ଅନ୍ତର୍ଗତ ମଇଁଷିଆଖାଲ, ଚିଲିପୋଖରୀ, ଶିବନଗର, ଅଢେଇଖଳା ଓ ବଡ଼ଗଡ଼ ବ୍ରିଟ୍ କଲୋନୀ ଅଞ୍ଚଳ, ଖଣ୍ଡଗିରି ଥାନା ଅନ୍ତର୍ଗତ ଛୋଟରାୟପୁର, ସିଜୁଆ, ରଘୁନାଥ ନଗର, ଯଦୁପୁର, ଜାଗମରା, ସୁବାଶ ନଗର ବସ୍ତି ଓ ତପୋବନ ବସ୍ତି ଅଞ୍ଚଳ, ଭରତପୁର ଥାନା ଅନ୍ତର୍ଗତ ଘାଟିକିଆ, ଆଇଗିଣିଆ ଓ କୋଳଥିଆ ଅଞ୍ଚଳ, ତମାଣ୍ଡୋ ଥାନା ଅନ୍ତର୍ଗତ ତମାଣ୍ଡୋ, ଭଗବାନପୁର, ନରସିଂପୁର ଓ ରେତଙ୍ଗ ଅଞ୍ଚଳ, ଜଟଣୀ ଥାନା ଅନ୍ତର୍ଗତ ତିରାମଲ ଓ ବେଣାପଞ୍ଜରୀ ଅଞ୍ଚଳ ଏବଂ ଶହୀଦନଗର ଥାନା ଅନ୍ତର୍ଗତ ବିଭିନ୍ନ ବସ୍ତି ତଥା ସମ୍ବେଦନଶୀଳ ଅଞ୍ଚଳରେ ପୁଲିସ ନଜର ରଖିଥିଲା।

ସମ୍ପୃକ୍ତ ଥାନାର ଥାନାଧିକାରୀ ଓ ଏସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତଥା ଥାନା କର୍ମଚାରୀ ଓ ମୋଟ ୪ କମ୍ପାନୀ ସି ଏ ପିଏଫ ଯବାନଙ୍କ ମିଳିତ ସହଯୋଗରେ ଫ୍ଲାଗ ମାର୍ଚ୍ଚ କରାଯାଇ ସାଧାରଣ ଲୋକଙ୍କ ମନୋବଳ ସୁଦୃଢ କରିବା ସହ ସେମାନଙ୍କୁ ସଚେତନ କରାଯାଇଥିଲା। ଏହି ଫ୍ଲାଗମାର୍ଚ୍ଚର ମୁଖ୍ୟ ଉଦ୍ଦେଶ୍ୟ ହେଉଛି- ମୁଖ୍ୟତଃ ଆସନ୍ତା ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ତଥା ନିର୍ବାଚନକୁ ପ୍ରଭାବିତ କରୁଥିବା କିଛି କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବା।

Related story