ହୀରାକୁଦ ଡ୍ୟାମରୁ ପାଣି ଛାଡ଼ିବା ପରେ ଫୁଲୁଛି ମହାନଦୀ। କଟକ ମୁଣ୍ଡଳିରେ ବଢୁଛି ଜଳସ୍ତର। ସକାଳ ୬ଟା ସୁଦ୍ଧା ମୁଣ୍ଡଳୀ ଦେଇ ୧ ଲକ୍ଷ ୭୦ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି।
ହୀରାକୁଦରୁ ବନ୍ୟାଜଳ ପ୍ରଥମେ ଖଇରାମାଳ ଓ ପରେ ବରମୂଳ ଦେଇ ମୁଣ୍ଡଳିରେ ପହଞ୍ଚିଛି। ହୀରାକୁଦ ଜଳଭଣ୍ଡାରର ୨୦ଟି ଗେଟ ଖୋଲିବା ପରେ ମହାନଦୀରେ ଜଳସ୍ତର ବଢିଛି। ଆଜି ହୀରାକୁଦ ଡ୍ୟାମର ଜଳ ପତ୍ତନ ୬୧୪.୮୫ ଫୁଟ ରହିଛି । ଏବେ ଡ଼୍ୟାମ ମଧ୍ୟକୁ ସେକେଣ୍ଡକୁ ୨ ଲକ୍ଷ ୦୪ ହଜାର ୧୦୩ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୪୫ ହଜାର ୩୨୬ ଘନଫୁଟ ଜଳ ନିଷ୍କାସିତ ହେଉଛି ।
ଗତକାଲି ରାତିରୁ ମୁଣ୍ଡଳିରେ ବନ୍ୟାଜଳ ନିଷ୍କାସିତ ହେବା ଆରମ୍ଭ କରିଛି। ମହାନଦୀର ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହ ନଦୀ କୂଳିଆ ଲୋକଙ୍କ ଚିନ୍ତା ବଢ଼ିଛି। ବନ୍ୟା ଆଶଙ୍କା ନ ଥିଲେ ବି ମହାନଦୀ ଅବବାହିକାର ତଳମୁଣ୍ଡରେ ଥିବା ୭ ଜିଲ୍ଲାକୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ଏହି ଜିଲ୍ଲାଗୁଡ଼ିକ ହେଉଛନ୍ତି ସମ୍ବଲପୁର, ସୋନପୁର, ନୟାଗଡ଼, ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ।
ମହାନଦୀ ଭିତରକୁ ଲୋକ ପ୍ରବେଶ ନକରିବା ସହ ଗୋରୁଗାଈ ଆଦି ଗୃହପାଳିତ ପଶୁଙ୍କୁ ଛାଡ଼ିବା ଉପରେ ବାରଣ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।