Press Conference
ରାଜ୍ୟ ସରକାରଙ୍କ ସଂସ୍ଥା ‘ବୟନିକା’ରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତାର ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ବୟନିକା ସଭାପତି ପ୍ରକାଶ ମେହେରଙ୍କ ବିରୁଦ୍ଧରେ କ୍ଷମତାର ଅପବ୍ୟବହାର, ସଂପର୍କୀୟଙ୍କୁ ଅନୈତିକ ଲାଭ ପ୍ରଦାନ ଓ କୋଟି କୋଟି ଟଙ୍କାର ଆର୍ଥିକ ହେରଫେରର ସଙ୍ଗୀନ ଅଭିଯୋଗ ଆଣିଛି ଓଡ଼ିଶା ବୁଣାକାର ମହାସଂଘ । ଶୁକ୍ରବାର ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ବୁଣାକାର ମହାସଂଘର ସଭାପତି ଶ୍ରୀଧର ବେହେରା, ସମ୍ପାଦକ ବିଜୟ ମେହେରଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଏହି ଅଭିଯୋଗ ଆଣିବା ସହ ରାଜ୍ୟର ବୁଣାକାରମାନଙ୍କ ସ୍ୱାର୍ଥରକ୍ଷା କରିବା ପାଇଁ ଏହାର ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ଦାବି କରିଛନ୍ତି ।
ସଂପର୍କୀୟଙ୍କୁ ନିଯୁକ୍ତି ଓ ବାହାରୁ ଶାଢ଼ୀ କିଣାରେ ଦୁର୍ନୀତି
ଏହି ସାମ୍ବାଦିକ ସମ୍ମିଳନୀରେ ବୁଣାକାର ମହାସଂଘର ସଭାପତି ଶ୍ରୀଧର ବେହେରା ଅଭିଯୋଗ କରିଛନ୍ତି ଯେ, ବୟନିକାର ସଭାପତି ହେବାପରେ ପ୍ରକାଶ ମେହେର ନିଜ ଭାଇ ପ୍ରମୋଦ ମେହେର ଓ ତାଙ୍କ ସ୍ତ୍ରୀଙ୍କ ନାମରେ ପାଣ୍ଡରାପାଟ ଏସଏଚଜି ମାଧ୍ୟମରେ ବାହାର ରାଜ୍ୟରୁ ଶାଢ଼ୀ କମ୍ ମୂଲ୍ୟରେ କିଣି ବୟନିକାକୁ ଅଧିକ ମୂଲ୍ୟରେ ଯୋଗାଣ କରି ଲକ୍ଷ ଲକ୍ଷ ଟଙ୍କା ଅନୈତିକ ଭାବେ ହଡ଼ପ କରିଛନ୍ତି । ନିଜ ସଢ଼ୁ, ବଡ଼ବାପା ପୁଅ ଭାଇ ଓ ଅନ୍ୟ ସଂର୍ପକୀୟଙ୍କୁ ବୟନିକାରେ ପୁରାଇ କୋଟି କୋଟି ଟଙ୍କାର ଲୁଗା ଯୋଗାଣ କରି ମୋଟା ଅଙ୍କରେ ମୁନାଫା ଅର୍ଜନ କରାଯାଉଛି । ୨୦୨୪-୨୫ ମସିହାରେ ହୋଇଥିବା ଅନିୟମିତତା ସମ୍ପର୍କରେ ମଧ୍ୟ ଶ୍ରୀ ବେହେରା ସୂଚନା ଦେଇଥିଲେ ।
ନିମ୍ନମାନର ପଲିଷ୍ଟର ଶାଢ଼ୀ ଯୋଗାଣ
ସେହିପରି ମହାସଂଘର ସଂପାଦକ ବିଜୟ ମେହେର କହିଛନ୍ତି, “ବୌଦ୍ଧ ଜିଲ୍ଲାର ମନମୁଣ୍ଡାରେ ସନ୍ତୋଷ ମେହେର ନାମକ ଜଣେ ବ୍ୟକ୍ତି ପୂର୍ବରୁ ନକଲି ପଲିଷ୍ଟର ଶାଢ଼ୀକୁ ପାଟଶାଢ଼ୀ (୨ ନମ୍ବର ପାଟଶାଢ଼ୀ ଭଳି ଦେଖାଯାଉଥିବା) ମୂଲ୍ୟରେ ବୟନିକାକୁ ଯୋଗାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିଲେ । କର୍ତ୍ତୃପକ୍ଷ ତାଙ୍କଠାରୁ ଲୁଗା ନ କିଣିବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ପ୍ରକାଶ ମେହେର ନିଜ ସ୍ୱାର୍ଥ ପାଇଁ ପୁଣି ସେହି ବ୍ୟକ୍ତିଙ୍କଠାରୁ ଲୁଗା କିଣୁଛନ୍ତି । ଏହି ଯୋଗାଣରେ ୨୦୨୪-୨୫ ମସିହାରେ ୫୦ ଲକ୍ଷ ଟଙ୍କାରୁ ଅଧିକ ନକଲି ଶାଢ଼ୀ ଯୋଗାଣ ହୋଇଥିବା ପ୍ରମାଣ ଦର୍ଶାଯାଇଛି, ଯାହା ବୟନିକାର ଗୁଣବତ୍ତା ଓ ଖ୍ୟାତିକୁ କ୍ଷତି ପହଂଚାଇଛି ।
ପରିଚାଳନା ପରିଷଦ ନିଷ୍ପତ୍ତିରେ ହେରଫେର
ଶ୍ରୀଧର ବେହେରା ଆହୁରି କହିଛନ୍ତି, "ପରିଚାଳନା ପରିଷଦ ବୈଠକରେ ନିଷ୍ପତ୍ତିଗୁଡ଼ିକୁ ପ୍ରକାଶ ମେହେର ନିଜ ସୁବିଧା ଅନୁସାରେ ବଦଳାଉଛନ୍ତି । ଓଡ଼ିଶା ସମବାୟ ନିୟମ ଅନୁଯାୟୀ ସମସ୍ତ ପ୍ରସ୍ତାବ ସଭା ବହିରେ ଲିପିବଦ୍ଧ ହେବା ଆବଶ୍ୟକ, କିନ୍ତୁ ଧଳା କାଗଜରେ ପ୍ରସ୍ତାବ ଲେଖାଯାଇ ଅଠା ଦ୍ୱାରା ସଭା ବହିରେ ଲଗାଯାଉଛି । ଏହି ଅଭିଯୋଗରେ ୧୦ଟି ଉଦାହରଣ ଉପସ୍ଥାପନ କରାଯାଇଛି, ଯାହା ସମବାୟ ଆଇନର ସ୍ପଷ୍ଟ ଉଲ୍ଲଙ୍ଘନ ବୋଲି ଦର୍ଶାଯାଇଛି ।
ସଭାପତି ପଦର ବୈଧତା ଉପରେ ପ୍ରଶ୍ନ
ମହାସଂଘ ଅଭିଯୋଗ କରିଛି ଯେ, ବୟାନିକା ସଭାପତି ପ୍ରକାଶ ମେହେର ତୂରୀଦେଉଳ ପ୍ରାଥମିକ ସମିତିରୁ ନିର୍ବାଚିତ ହୋଇ ବୟନିକାର ସଭାପତି ହୋଇଛନ୍ତି, କିନ୍ତୁ ସେ ସେହି ସମିତିର ନିୟମିତ ବୁଣାକାର ସଭ୍ୟ ନୁହଁନ୍ତି । ରାଜନୈତିକ ପ୍ରଭାବରେ ସେ ଏହି ପଦ ହାସଲ କରିଛନ୍ତି । ଏହି ଅଭିଯୋଗରେ ନିର୍ବାଚନ ରେକର୍ଡ ଓ ସମିତି ସଦସ୍ୟତାର ପ୍ରମାଣ ଉପସ୍ଥାପନ କରାଯାଇଛି, ଯାହା ତାଙ୍କର ନିର୍ବାଚନ ବୈଧତା ଉପରେ ପ୍ରଶ୍ନ ଉଠାଇଛି । ଏହି ସମସ୍ତ ଅଭିଯୋଗର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମହାସଂଘ ଦାବି କରିଛି । ବର୍ଷବ୍ୟାପୀ ମହାସଂଘ ରାଜ୍ୟର ୩୦ଟି ଜିଲ୍ଲାରେ ୧୫୦ରୁ ଅôଧକ ତାଲିମ କର୍ମଶାଳା ଆୟୋଜନ କରି ୫ହଜାରରୁ ଅଧିକ ବୁଣାକାରଙ୍କୁ ନୂଆ ଡିଜାଇନ୍ ଓ ବଜାର ମାର୍କେଟିଂର ପ୍ରଶିକ୍ଷଣ ଦେଉଛି । ସରକାରୀ ଯୋଜନାଗୁଡ଼ିକର ସୁବିଧା ମଧ୍ୟ ବୁଣାକାରଙ୍କ ପାଖରେ ପହଂଚାଇବାରେ ମଧ୍ୟ ସକ୍ରିୟ ଭୂମିକା ମହାସଂଘ ନିର୍ବାହ କରୁଛି ବୋଲି କହିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1758296196.jpg)