Advertisment

କେଉଁ କାରଣରୁ ହୋଇଥିଲା ମୃତ୍ୟୁ? ଆସିଲା ତଦନ୍ତ ରିପୋର୍ଟ

ଆମ୍ବ ଟାକୁଆ ଜାଉ ଘଟଣାରେ ତେଜିଛି ରାଜନୀତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି, ଆମ ସରକାରର ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରି ଦେଲା।

author-image
Manoranjan Sial
Mango

Mango

ଆମ୍ବ ଟାକୁଆ ଜାଉ ମୃତ୍ୟୁ ଘଟଣାରେ ଆସିଲା ତଦନ୍ତ ରିପୋର୍ଟ। ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ତଦନ୍ତ ରିପୋର୍ଟରେ ବିଷାକ୍ତ ଖାଦ୍ୟ ହିଁ ମୃତ୍ୟୁର କାରଣ ବୋଲି ସ୍ପଷ୍ଟ ଭାବେ ଦର୍ଶାଯାଇଛି। କନ୍ଧମାଳ ଦାରିଙ୍ଗବାଡ଼ି ମାଣ୍ଡିପଙ୍କାରେ ଘଟିଥିବା ଅଘଟଣରେ ଦୁଇଜଣଙ୍କ ଜୀବନ ଯିବା ପରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ତଦନ୍ତ କରିଥିଲେ। ସଂଗୃହୀତ ଆମ୍ବ ଟାକୁଆ ଓ ପାଣି ନମୁନାରୁ ରୋଗ ସୃଷ୍ଟିକାରୀ ଜୀବାଣୁ ମିଳିଛି।

Advertisment

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ଖାଦ୍ୟରେ ହାଇଡ୍ରୋଜେନ ସଲଫାଇଡ୍‌ ଟେଷ୍ଟ ପଜିଟିଭ ରହିଛି। ସନ୍ଦେହ କରୁଛୁ ଖାଦ୍ୟ ବିଷାକ୍ତ ହୋଇଥିଲା ବୋଲି। ଆମ୍ବ ଟାକୁଆ ଖାଇ ଯେଉଁ ୨ଜଣ ଏବେ SCBରେ ଚିକିତ୍ସତ ହେଉଛନ୍ତି, ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ଦ୍ୱିତୀୟ ଥର ଡାଏଲିସିସ୍‌ କରାଯିବା ପରେ ସେମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟୁଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ସେ ଆହୁରି କହିଛନ୍ତି, ଆମ୍ବ ଟାକୁଆ ଜାଉ ପ୍ରଥମ ଦିନ ଯେଉଁମାନେ ଖାଇଥିଲେ କିଛି ହେଇନଥିଲା। ଏହା ଦୁଇ ଦିନ ରହିଯିବା ଫଳରେ ବିଷାକ୍ତ ହେଇଯାଇଥିବା ଅନୁମାନ କରାଯାଉଛି। ଖାଦ୍ୟ ନମୁନା ପରୀକ୍ଷାରୁ ମଧ୍ୟ ଏହା ଖରାପ ହୋଇଥିବା ଜଣାପଡ଼ିଛି।

Advertisment

ସେପଟେ ଆମ୍ବ ଟାକୁଆ ଜାଉ ଘଟଣାରେ ତେଜିଛି ରାଜନୀତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି, ଆମ ସରକାରର ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରି ଦେଲା। ଆମେ ଆରମ୍ଭ କରିଥିବା ବିକାଶ ମୂଳକ ଯୋଜନା ଲୋକଙ୍କୁ ବଞ୍ଚିବାକୁ ଶକ୍ତି ଦେଇଥିଲା। ଏବେ ବିନା କାରଣରେ ଗରିବ ଆଦିବାସୀ ଭାଇ ଭଉଣୀଙ୍କ ଚାଉଳକୁ ବନ୍ଦ କରିଛନ୍ତି ରାଜ୍ୟ ସରକାର। ଯେଉଁଥିପାଇଁ ସେମାନେ ଆମ୍ବ ଟାକୁଆ ଖାଉଛନ୍ତି।

ନବୀନଙ୍କୁ କାଉଣ୍ଟର କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଏହା ବିଷାକ୍ତ ଖାଦ୍ୟଜନିତ ମୃତ୍ୟୁ ବୋଲି ଡାକ୍ତର କହିସାରିଛନ୍ତି। ଏନେଇ ଅଯଥା ରାଜନୀତି କରାନଯାଉ।

ସେ କହିଛନ୍ତି, ୨୪ ବର୍ଷର କଥା ଛାଡ଼, ବାର ବର୍ଷ ଧରି ଯଦି ଠିକ୍‌ ଭାବେ ତପସ୍ୟା କରିଥାଆନ୍ତେ, ତାହାହେଲେ ଭଲ ଭାବରେ ଓଡ଼ିଆ କହିପାରିଥାଆନ୍ତେ। ସିଏ ଆଦୌ ତପସ୍ୟା କରିନାହାନ୍ତି। ୨୪ ବର୍ଷ କାଳ ସେମାନଙ୍କ ବିଧାୟକ ଓ ମନ୍ତ୍ରୀମାନେ ରାଜ୍ୟକୁ ଲୁଟିଛନ୍ତି। କେତେ ଲୁଟିଛନ୍ତି, ତାହାର ହିସାବ ନାହିଁ। ତେଣୁ ତପସ୍ୟା ଶବ୍ଦଟା ତାଙ୍କ ମୁହଁରେ ଶୋଭା ପାଉନି। ମୁଁ କେବେ କାହିଁ ଜାଣିନି ସେ କ’ଣ ତପସ୍ୟା କରିଛନ୍ତି? ତାଙ୍କ ସମୟରେ ରାୟଗଡ଼ା ଜିଲ୍ଲା କାଶୀପୁରରେ ଟାକୁଆ ଖାଇ ୧୬ ଜଣଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ କ’ଣ ଚାଉଳର ଅଭାବ ଥିଲା କି ବୋଲି ପ୍ରଶ୍ନ କରିଥିଲେ ଶ୍ରୀ ପାତ୍ର।

ଘଟଣାର RDC ସ୍ତରୀୟ ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ଗ୍ରାଉଣ୍ଡ ଜିରୋକୁ ଯାଇ RDC ଓ ସ୍ୱାସ୍ଥ୍ୟ ବିଭାଗ ଅନୁଧ୍ୟାନ କରିଛନ୍ତି। ଅସ୍ୱାସ୍ଥ୍ୟକର ଖାଦ୍ୟ ନଖାଇବାକୁ ସରକାର ପରାମର୍ଶ ଦେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କୁ ସଚେତନ କରାଯାଉଛି।

BjD Bjp Naveen Patnaik Kandhamal