Advertisment

କେବେ ସମ୍ପୂର୍ଣ୍ଣ ହେବ ମହାପ୍ରଭୁଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ?

ଉତ୍କଳୀୟ ଢାଞ୍ଚାରେ ମଠ ଓ ମନ୍ଦିର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ଏବେ କେବଳ ସାଦା ଖଣ୍ଡୋଲାଇଟ୍‌ ପଥରରେ ନିର୍ମାଣ କରି ବାକି ସବୁ କଥା ଭୁଲି ଯାଇଛନ୍ତି।

author-image
Manoranjan Sial
undefined

Puri

କେବେ ସମ୍ପୂର୍ଣ୍ଣ ହେବ ମହାପ୍ରଭୁଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ? ଲୋକାର୍ପଣର ୭ ମାସ ପରେ ମଧ୍ୟ ଚାଲିଛି ନିର୍ମାଣ କାମ। ଅଧୁରା ରହିଛି ଶ୍ରୀ ସେତୁ ଓ ଶ୍ରୀଦାଣ୍ଡ। ଭଙ୍ଗା ଯାଇଥିବା ରଘୁନନ୍ଦନ ଲାଇବ୍ରେରୀ କଥାକୁ ସମସ୍ତେ ଯେପରି ଭୁଲି ଯାଇଛନ୍ତି। ଏହାକୁ ନେଇ ବୁଦ୍ଧିଜୀବୀ ଓ ଜଗନ୍ନାଥ ପ୍ରେମିଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ନିର୍ବାଚନ ପୂର୍ବରୁ ଅର୍ଥାତ ୨୦୨୪ ଜାନୁଆରୀ ୧୭ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତରବରିଆ ଭାବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିଲାନି ପ୍ରକଳ୍ପ କାର୍ଯ୍ୟ। ଏବେ ମଧ୍ୟ ଶ୍ରୀମନ୍ଦିର ଆଖପାଖରେ ଛୋଟ ବଡ଼ ଅନେକ କାମ ଚାଲିଛି। ଏମାର ମଠ, ବଡ଼ଛତା ମଠ, ପଞ୍ଜାବୀ ମଠର ପୁନଃ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇପାରିନି। ପ୍ରକଳ୍ପ ପରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିବା ଶ୍ରୀଦାଣ୍ଡ ଓ ଶ୍ରୀସେତୁ। ହେଲେ ସେହି କାମ ମଧ୍ୟ ଅଧୁରା ରହିଛି। ବହୁ ପୁରାତନ ରଘୁନନ୍ଦନ ଲାଇବ୍ରେରୀକୁ ଭଙ୍ଗା ଯାଇଛି। ବିଜେଡି ସରକାର କଥା ଦେଇଥିଲେ, ପୁନଃ ନିର୍ମାଣ ହେବ। ହେଲେ ତାହା ହେଇପାରିଲାନି। ଆଉ ଜଗନ୍ନାଥ ରିସେପସନ୍‌ ସେଣ୍ଟର କଥା ଯେମିତି ଭୁଲି ଯାଇଛନ୍ତି ସମସ୍ତେ। ସେହିପରି ଭକ୍ତଙ୍କ ପାଇଁ ନା ଆବଶ୍ୟକ ମୁତାବକ ବସିବା ଜାଗା ଅଛି ନା ପାଣି କିମ୍ବା ଅନ୍ୟ ଆନୁସଙ୍ଗିକ ସୁବିଧା।

ପ୍ରକଳ୍ପ ନିର୍ମାଣ ବେଳେ ଓଡ଼ିଆ କଳା ଓ ସଂସ୍କୃତି ନଷ୍ଟ ହେବା ନେଇ ଲୋକେ ଆଶଙ୍କା ପ୍ରକଟ କରିଥିଲେ। ତାହା ଯେମିତି ଏବେ ସତ ହେବାକୁ ବସିଛି। ଉତ୍କଳୀୟ ଢାଞ୍ଚାରେ ମଠ ଓ ମନ୍ଦିର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ଏବେ କେବଳ ସାଦା ଖଣ୍ଡୋଲାଇଟ୍‌ ପଥରରେ ନିର୍ମାଣ କରି ବାକି ସବୁ କଥା ଭୁଲି ଯାଇଛନ୍ତି। ଶ୍ରୀମନ୍ଦିର ଚାରିପାଖେ ଥିବା ଏମାର, ମଙ୍ଗୁ, ପଞ୍ଜାବୀ, ତ୍ରିମାଳୀ, ରେବେଶା ମଠ ଅବସ୍ଥା ଦେଖିଲେ ସହଜରେ ଅନୁମୟ ହେଉଛି।

Advertisment

ଖାଲି ଏତିକି ନୁହେଁ, ଶ୍ରୀମନ୍ଦିର ପରମ୍ପରା ସହ ଅଙ୍ଗାଅଙ୍ଗି ଭାବେ ଜଡ଼ିତ ଝୁଲଣ ଯାତ୍ରା ସଙ୍କୋଚିତ ହେବାକୁ ବସିଛି। ମଠ ସଂକୀର୍ଣ୍ଣ ହେବା ସହ ମନ୍ଦିର ଗୁଡ଼ିକ ଆଉ ନାହିଁ। ତେଣୁ ଅନେକ ମଠରେ ବନ୍ଦ ହୋଇଯାଇଛି ଝୁଲଣ ଯାତ୍ରା। ଅପରପକ୍ଷରେ ପ୍ରକଳ୍ପ ଅଧୁରା ରହିଥିବା କଥାକୁ ସ୍ୱୀକାର କରିବା ସହ ସବୁ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଥିବା କହିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ।

ପରିକ୍ରମା ପ୍ରକଳ୍ପ ସମେତ ଶ୍ରୀକ୍ଷେତ୍ରର ବିକାଶ ପାଇଁ ୪ ହଜାର ୨୨୪ କୋଟିର ଅନୁଦାନ ମଞ୍ଜୁର କରାଯାଇଥିଲା। କୋଟି କୋଟି ଟଙ୍କା ବ୍ୟୟ ସତ୍ତ୍ୱେ ନା କାମ ସଂପୂର୍ଣ୍ଣ ହୋଇପାରୁଛି ନା ମଠ ମନ୍ଦିର ଗୁଡ଼ିକର ସୌନ୍ଦର୍ଯ୍ୟ ବଜାୟ ରହିପାରିଲା, ଯାହା ଭକ୍ତମାନଙ୍କୁ ବ୍ୟଥିତ କରିଛି।

Puri Shreemandir Puri Sri Jagannath