କେବେ ନିଯୁକ୍ତ ହେବେ ଶ୍ରୀମନ୍ଦିର ସ୍ଥାୟୀ ମୁଖ୍ୟ ପ୍ରଶାସକ?

୪ ଦ୍ୱାର ସିନା ଖୋଲାହେଲା କିନ୍ତୁ ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ହୋଇପାରୁ ନାହିଁ। ଯଦି ଜଣେ ସ୍ଥାୟୀ ପ୍ରଶାସକ ନିଜେ ଏସବୁ ପ୍ରସଙ୍ଗକୁ ଅନୁଧ୍ୟାନ କରିଥାନ୍ତେ, ତାହାଲେ ଅନେକ ସମସ୍ୟାର ସମାଧାନ ହୋଇପାରିଥାନ୍ତା।

ପୁରୀ ଶ୍ରୀମନ୍ଦିର (ଫାଇଲ ଫଟୋ)

  • Published: Sunday, 23 June 2024
  • , Updated: 23 June 2024, 09:26 PM IST

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନୀତିରେ ବାରମ୍ବାର ବିଭ୍ରାଟ ହେଉଛି। ଆଗକୁ ରଥଯାତ୍ରା ଆସୁଛି। ଏଥିସହ ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ବି ଏଯାଏ କୌଣସି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ହୋଇପାରୁନି। ଏହାବାଦ୍ ଶ୍ରୀମନ୍ଦିରରେ ସଂସ୍କାରମୂଳକ ପଦକ୍ଷେପ ସବୁକୁ କାର୍ଯ୍ୟକାରୀ କରିବାରେ ବି ଉପୁଜିଛି ସମସ୍ୟା। ଯାହାକୁ ନେଇ ସେବାୟତ ଓ ଭକ୍ତ ଉଦବେଗ ପ୍ରକାଶ କରିଥିବା ବେଳେ ପୁରୀ ଶ୍ରୀମନ୍ଦିର ପାଇଁ କେବେ ନିଯୁକ୍ତ ହେବେ ସ୍ଥାୟୀ ମୁଖ୍ୟ ପ୍ରଶାସକ, ତା’କୁ ନେଇ ଉଠିଛି ପ୍ରଶ୍ନ।

କାହିଁକି ଶ୍ରୀମନ୍ଦିର ପାଇଁ ନିଯୁକ୍ତ ହେଉନାହାନ୍ତି ଜଣେ ସ୍ଥାୟୀ ମୁଖ୍ୟ ପ୍ରଶାସକ? ଜଣେ ଆଇଏଏସ୍ କ୍ୟାଡର ଅଫିସରଙ୍କୁ ଶ୍ରୀମନ୍ଦିର ସ୍ଥାୟୀ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେବା ଲାଗି ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି। କ’ଣ ପାଇଁ ଏହାର ଅନୁପାଳନରେ ଅବହେଳା କରାଯାଉଛି, ତା’କୁ ନେଇ ଉଠିଛି ପ୍ରଶ୍ନ।

ସ୍ନାନ ଯାତ୍ରା ସରିଛି, ଆଗକୁ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା। ତା’ସହିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ମଧ୍ୟ ଝୁଲି ରହିଛି। ଏଭଳି ସମୟରେ ଶ୍ରୀମନ୍ଦିରର ସ୍ଥାୟୀ ମୁଖ୍ୟ ପ୍ରଶାସକ ନଥିବାରୁ ପ୍ରକାଶ ପାଇଛି ଉଦବେଗ। ଭକ୍ତମାନେ ଅଭିଯୋଗ କରିଛନ୍ତି ଯେ ସ୍ଥାୟୀ ମୁଖ୍ୟ ପ୍ରଶାସକ ରହୁ ନଥିବାରୁ ଶ୍ରୀମନ୍ଦିର ସଂସ୍କାର ବ୍ୟବସ୍ଥାରେ ସୃଷ୍ଟି ହେଉଛି ପ୍ରତିବନ୍ଧକ।

୪ ଦ୍ୱାର ସିନା ଖୋଲାହେଲା କିନ୍ତୁ ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ହୋଇପାରୁ ନାହିଁ। ଯଦି ଜଣେ ସ୍ଥାୟୀ ପ୍ରଶାସକ ନିଜେ ଏସବୁ ପ୍ରସଙ୍ଗକୁ ଅନୁଧ୍ୟାନ କରିଥାନ୍ତେ, ତାହାଲେ ଅନେକ ସମସ୍ୟାର ସମାଧାନ ହୋଇପାରିଥାନ୍ତା।

ଶ୍ରୀମନ୍ଦିର ସଂସ୍କାର ପଦକ୍ଷେପ କ୍ରମେ ଶ୍ରୀମନ୍ଦିରରେ ଜଣେ ଆଇଏଏସ କ୍ୟାଡର ଅଫିସରଙ୍କୁ ସ୍ଥାୟୀ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେବାକୁ ଗତ ୨୦୧୯ରେ ସୁପ୍ରିମକୋର୍ଟ କହିଥିଲେ। ହେଲେ ବହୁ ବିଳମ୍ବରେ ଗତ ୨୦୨୩ ମସିହାରେ ଏହାର ଅନୁପାଳନ କରିଥିଲେ ନବୀନ ସରକାର। ୨୦୨୩ ମସିହା ୨୯ ତାରିଖରେ ଆଇଏଏସ ଅଧିକାରୀ ରଞ୍ଜନ ଦାସଙ୍କୁ ଏ ପଦରେ ନିଯୁକ୍ତି ଦେଇଥିଲେ। ଫଳରେ ସେ ଆସିବା ପରେ ଶ୍ରୀମନ୍ଦିରରେ ଭକ୍ତ ଓ ସେବାୟତଙ୍କ ପାଇଁ ଡ୍ରେସକୋଡ୍, ପାନ-ଗୁଟଖା ବନ୍ଦ, ସେବାୟତଙ୍କୁ ପରିଚୟପତ୍ର, ସେବାୟତ ପିଲାଙ୍କ ପାଇଁ ଗୁରୁକୂଳ ଓ ସ୍ୱଳ୍ପ ମୂଲ୍ୟରେ ଭକ୍ତ ନିବାସ ନିର୍ମାଣ ଭଳି ବହୁ ସଂସ୍କାର କାର୍ଯ୍ୟକ୍ରମ ବି ହାତକୁ ନିଆଯାଇଥିଲା।

ହେଲେ ମାତ୍ର ୮ ମାସ ପରେ ହଠାତ୍ ତାଙ୍କୁ ପଦରୁ ହଟାଇ ନିଆଯାଇଥିଲା ଓ ତାଙ୍କ ସ୍ଥାନରେ ପୁରୀର ପୂର୍ବତନ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଶ୍ରୀମନ୍ଦିରର ଅତିରିକ୍ତ ମୁଖ୍ୟ ପ୍ରଶାସକ ଦାୟିତ୍ୱ ଦିଆଯାଇଥିଲା। ତା’ପରେ ପୂର୍ତ୍ତ ସଚିବ ଦାୟିତ୍ୱରେ ଥିବା ବୀର ବିକ୍ରମ ଯାଦବଙ୍କୁ ପୁଣି ଥରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ଦିଆଯାଇଛି।

ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବରିଷ୍ଠ ସେବାୟତ। ସେମାନେ କହିଛନ୍ତି ଯେ ଆଗକୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ତା’ସହ ରତ୍ନଭଣ୍ଡାର ଖୋଲାଯିବାକୁ ବି ଯୋଜନା ରହିଛି। ତେଣୁ ଜଣେ ସ୍ଥାୟୀ ମୁଖ୍ୟ ପ୍ରଶାସକଙ୍କ ବିନା ଏସବୁ ହେବା ଅସମ୍ଭବ।

ତେଣେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟ ସରକାରଙ୍କ ପ୍ରଥମ ୧୦୦ ଦିନର କାର୍ଯ୍ୟସୂଚୀରେ ଶ୍ରୀମନ୍ଦିରରେ ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି ଏକ ମୁଖ୍ୟ ପ୍ରସଙ୍ଗ ରହିବ ଓ ଏ ବାବଦରେ ଖୁବଶୀଘ୍ର ସ୍ପଷ୍ଟ ନିଷ୍ପତ୍ତି ନିଆଯିବ।

ଏବେ ଦେଖିବାର କଥା କେତେ ଶୀଘ୍ର ଶ୍ରୀମନ୍ଦିରରେ ନିଯୁକ୍ତ ହେଉଛନ୍ତି ଜଣେ ସ୍ଥାୟୀ ମୁଖ୍ୟ ପ୍ରଶାସକ।

Related story