Advertisment

କଟକରେ କେବେ ଖୋଲିବ ସର୍ବସାଧାରଣଙ୍କ ପାଇଁ ତିଆରି ହୋଇଥିବା ଶୌଚାଳୟ

ନୂତନ ଭାବେ ନିର୍ମିତ ‘ବାୟୋ ଶୌଚାଳୟ’ କାହିଁକି ବନ୍ଦ ପଡ଼ିଛି।

author-image
Jitendra Garnayak
Public Toilet

Public Toilet

କଟକ ସହରରେ ଦୀର୍ଘ ଦିନ ଧରି ବନ୍ଦ ହୋଇ ରହିଛି ସର୍ବସାଧାରଣ ଶୌଚାଳୟ। ଗତ ସେପ୍ଟେମ୍ବର ମାସରେ ତରବରିଆ ଭାବେ ନୂଆ କରି ନିର୍ମିତ ହୋଇଥିବା ଏହି ଶୌଚାଳୟଗୁଡ଼ିକରେ ଝୁଲୁଛି ତାଲା। ଶୌଚାଳୟ ଖୋଲିବାକୁ କଟକବାସୀ ଦାବି କରୁଥିବା ବେଳେ କଟକ ମହାନଗର ନିଗମ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ କଟକ ମେୟର କହିଛନ୍ତି ଯେ ଖୁବ୍‌ ଶୀଘ୍ର ଟେଣ୍ଡର କରାଯାଇ ସମସ୍ତ ଟଏଲେଟ ଖୋଲାଯିବ।

Advertisment

ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଗତ ସେପ୍ଟେମ୍ବର ମାସରେ କଟକ ମହାନଗର ନିଗମ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ନୂତନ ଭାବେ ନିର୍ମାଣ କରାଯାଇଥିଲା ‘ବାୟୋ ଶୌଚାଳୟ’। ସହରର ବିଭିନ୍ନ ସ୍ଥାନ, ଯେମିତିକି ବାରବାଟୀ ଷ୍ଟାଡିୟମ, ସିଡିଏ ବିଜୁ ପଟ୍ଟନାୟକ ପାର୍କ, ଜଗତପୁର ଓ ବିକାଶ ଭବନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ କରାଯାଇଛି ବାୟୋ ଶୌଚାଳୟ। ଏହି ଶୌଚାଳୟ ନିର୍ମାଣକୁ ଇତି ମଧ୍ୟରେ ୭ ମାସ ବିତିଗଲାଣି, ହେଲେ ସବୁଠି ଝୁଲୁଛି ତାଲା। ଲୋକମାନେ ଏଗୁଡ଼ିକୁ ବ୍ୟବହାର କରିପାରୁ ନାହାନ୍ତି। କେତେକ ସ୍ଥାନରେ ବାୟୋ ଶୌଚାଳୟରେ ଲାଗିଥିବା ପଙ୍ଖା ଚୋରି ହୋଇଯାଇଛି। ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଏହି ଟଏଲେଟଗୁଡ଼ିକୁ ଯଥାଶୀଘ୍ର ଖୋଲିବାକୁ କଟକବାସୀ ଦାବି କରିଛନ୍ତି।

ପ୍ରତି ଦିନ ହଜାର ହଜାର ଲୋକ ବାଦାମବାଡ଼ି, ବାରବାଟୀ ଷ୍ଟାଡିୟମ ଓ ରିଂ ରୋଡ୍‌ ଅଞ୍ଚଳରେ ଯାତାୟାତ କରିଥା’ନ୍ତି। ମେଡିକାଲ ଠାରୁ ଆରମ୍ଭ କରି ଅନ୍ୟାନ୍ୟ କାମ ପାଇଁ ବ୍ୟସ୍ତବହୁଳ ରହିଥାଏ ଏହି ରାସ୍ତା। କିନ୍ତୁ ପରିସ୍ରା ଲାଗିଲେ ଅବା ଶୌଚ ହେବାକୁ ଅନେକ ସମସ୍ୟା ହୋଇଥାଏ ଲୋକଙ୍କୁ। କଟକ ମେୟର ସୁବାସ ସିଂଙ୍କର କହିବା କଥା ଗତ ସେପ୍ଟେମ୍ବରରେ ଏହି ଶୌଚାଳୟ ନିର୍ମାଣ କାମ ଶେଷ ହୋଇଛି। ତେବେ କିଛି ଜାଗାରେ ଟିକେ ଟିକେ କାମ ବାକି ରହିଯାଇଛି। ସବୁ ଶୌଚାଳୟଗୁଡ଼ିକର କାମ ଶେଷ ହୋଇଗଲା ପରେ ଓ ରକ୍ଷଣାବେକ୍ଷଣ ନେଇ ଟେଣ୍ଡର ମାଧ୍ୟମରେ ଦାୟିତ୍ୱ ଦିଆଯିବା ପରେ ସେଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବ। ମାସେ ଦେଢ଼ ମାସ ମଧ୍ୟରେ ସେଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବ ବୋଲି ମେୟର କହିଛନ୍ତି।

Advertisment
Cmc