କିଟ୍ ବିବାଦ ପରଠୁ ଇଡକୋ ୱେବସାଇଟ୍ ଅଚଳ: କେଉଁଠି-କେତେ ସରକାରୀ ଜମି ନେଇଛି କିଟ୍‌, ଦେଖନ୍ତୁ ତାଲିକା

ପ୍ରଥମେ ‘ଅଣ୍ଡର ମେଣ୍ଟେନାନ୍ସ’ ଓ ପରେ ‘ୱେବ ସର୍ଭର ଇଜ୍ ଡାଉନ୍‌’ କରିଦିଆଯାଇଛି । ଯେଭଳି ଇଡକୋ ସଂକ୍ରାନ୍ତ କୌଣସି ତଥ୍ୟକୁ ଗଣମାଧ୍ୟମ କିମ୍ବା ଅନ୍ୟ କେହି ପାଇପାରିବେ ନାହିଁ ସେଭଳି ଉଦ୍ୟମ ହୋଇଥିବା ଜଣାପଡ଼ିଛି ।

KIIT

କିଟ୍‌ ବିଶ୍ୱବିଦ୍ୟାଳୟ

Ordigital Desk
  • Published: Monday, 24 February 2025
  • , Updated: 24 February 2025, 02:50 PM IST

କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଉପୁଜିଥିବା ବିବାଦକୁ ୮ ଦିନ ପୂରିଲାଣି। କିନ୍ତୁ ବିତାଡ଼ିତ ନେପାଳୀ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଫେରିବା ପାଇଁ ଏପର୍ଯ୍ୟନ୍ତ ଆବଶ୍ୟକ ପରିବେଶ ସୃଷ୍ଟି ହୋଇପାରିନି। ଏପଟେ ସବୁ ନିୟମକୁ ଫୁ’ କରି କିଟ୍ ଅନୁଷ୍ଠାନକୁ କିଭଳି କୋଟିକୋଟି ଟଙ୍କାର ବହୁ ପରିମାଣର ମୂଲ୍ୟବାନ ସରକାରୀ ଜମି ଟେକି ଦିଆଯାଇଛି ସେନେଇ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ପୂର୍ବ ବିଜେଡି ସରକାରଙ୍କୁ ସମାଲୋଚନା କରାଯିବା ପରେ ଆଶ୍ଚର୍ଯ୍ୟଜନକ ଭାବେ ରାଜ୍ୟ ସରକାରଙ୍କ ଉଦ୍ୟୋଗ ‘ଇଡକୋ’ର ଅଫିସିଆଲ ୱେବସାଇଟକୁ ସମ୍ପୂର୍ଣ୍ଣ ଅଚଳ କରିଦିଆଯାଇଛି।

ପ୍ରଥମେ ‘ଅଣ୍ଡର ମେଣ୍ଟେନାନ୍ସ’ ଓ ପରେ ‘ୱେବ ସର୍ଭର ଇଜ୍ ଡାଉନ୍‌’ କରିଦିଆଯାଇଛି। ଯେଭଳି ଇଡକୋ ସଂକ୍ରାନ୍ତ କୌଣସି ତଥ୍ୟକୁ ଗଣମାଧ୍ୟମ କିମ୍ବା ଅନ୍ୟ କେହି ପାଇପାରିବେ ନାହିଁ ସେଭଳି ଉଦ୍ୟମ ହୋଇଥିବା ଜଣାପଡ଼ିଛି। ଏସବୁ ମଧ୍ୟରେ ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ସଂସ୍ଥା ‘କିଟ୍‌’ କେଉଁଠି ଓ କେବେ କେତେ ପରିମାଣର ସରକାରୀ ଜମି ନେଇଛି ତା’ର ବିସ୍ତୃତ ତଥ୍ୟ ‘ଓଡ଼ିଶା ରିପୋର୍ଟର’ର ହସ୍ତଗତ ହୋଇଛି।

ଛାତ୍ରଛାତ୍ରୀ ଫେରିବାକୁ ଅନିଚ୍ଛୁକ, ନେପାଳ ବିଶ୍ୱବିଦ୍ୟାଳୟ ଦେଲା ଅଫର

ଅଚ୍ୟୁତଙ୍କ କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀମୃତ୍ୟୁ ଘଟଣାକୁ ନେଇ କ୍ୟାମ୍ପସ ଅଶାନ୍ତ ହେବା ଓ କିଟ୍ କର୍ତ୍ତୃପକ୍ଷଙ୍କ ‘ହିଟଲରୀ ଭୂମିକା’ ଯୋଗୁ ଭାରତ-ନେପାଳର ସମ୍ପର୍କ ପ୍ରଭାବିତ ହେବାରେ ଲାଗିଛି। ନେପାଳୀ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଓ କିଟ୍ ବିଶ୍ୱବିଦ୍ୟାଳୟର ଏପର୍ଯ୍ୟନ୍ତ ପଦକ୍ଷେପ ସନ୍ତୋଷଜନକ ହୋଇପାରିନି। ଯେଉଁଥିପାଇଁ କିଟ୍ ବିଶ୍ୱବିଦ୍ୟାଳୟର ନେପାଳୀ ଛାତ୍ରଛାତ୍ରୀମାନେ ଫେରିବାକୁ ଅନିଚ୍ଛା ବ୍ୟକ୍ତ କରିଛନ୍ତି। ଆଉ କିଟ୍ ଫେରିବାକୁ ଚାହୁଁନଥିବା ନେପାଳୀ ଛାତ୍ରୀଛାତ୍ରୀଙ୍କୁ ସେମାନଙ୍କର ପରବର୍ତ୍ତୀ ବାକି ଥିବା ଏକାଡେମିକ୍ କୋର୍ସ ପୂରଣ ନିମନ୍ତେ ‘କେଡ୍ରିଟ୍ ଟ୍ରାନ୍ସଫର’ ସୁବିଧା ସହ ପାଠପଢ଼ା ବ୍ୟବସ୍ଥାର ସୁବିଧା ଦେବାକୁ ନେପାଳର ସର୍ବପୁରାତନ ତଥା ସର୍ବବୃହତ୍ ତ୍ରିଭୁବନ ବିଶ୍ୱବିଦ୍ୟାଳୟ ଓ ପୂର୍ବାଂଚଳ ବିଶ୍ୱବିଦ୍ୟାଳୟ ଘୋଷଣା କରିଛନ୍ତି।

ନେପାଳର ପ୍ରାୟ ୧୫୦୦ ଛାତ୍ରଛାତ୍ରୀ ଏବେ କିଟ୍ ଡିମଡ୍ ବିଶ୍ୱବିଦ୍ୟାଳୟର ଇଞ୍ଜିନିୟରିଂ, ମ୍ୟାନେଜମେଂଟ ଓ ନର୍ସିଂ ଆଦି ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରୁଛନ୍ତି। ଅଧିକାଂଶ ନେପାଳୀ ଛାତ୍ରଛାତ୍ରୀଙ୍କ ଅଭିଭାବକ ବି ସେମାନଙ୍କର ପିଲାଙ୍କୁ କିଟ୍ ବିଶ୍ୱବିଦ୍ୟାଳୟକୁ ପଠାଇବାକୁ ଆଶଙ୍କା କରୁଛନ୍ତି। ସରକାରଙ୍କ ପକ୍ଷରୁ କିଟ୍ ବିଶ୍ୱବିଦ୍ୟାଳୟର ଅଧିକାରୀମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ଯୋଗୁ ଛାତ୍ରଛାତ୍ରୀମାନେ କାଠମାଣ୍ଡୁରେ ଗତ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ କରି ନିଜର ନିରାପତ୍ତା ଓ ଶିକ୍ଷା ପ୍ରଭାବିତ ହେବାର ଆଶଙ୍କା କରିଛନ୍ତି। ଏ ସଂକ୍ରାନ୍ତରେ ନେପାଳର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ସନ୍ଦେହ ଘେରରେ ଇଡକୋ, ଅଚଳ କଲା ୱେବସାଇଟ୍ 

କିଟ୍ ବିବାଦ ପରଠୁ ଇଡକୋ ୱେବସାଇଟ୍ ଅଚଳ ହୋଇପଡ଼ିଛି। ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ଅଧୀନରେ ଥିବା ଏହି ଉଦ୍ୟୋଗର ୱେବସାଇଟ ଏବେ ‘ମେଣ୍ଟେନାନ୍ସ’ ନାଁରେ ସମ୍ପୂର୍ଣ୍ଣ ଅଚଳ ହୋଇ ରହିଛି। ଇଡକୋର ଚନ୍ଦକା ଶିଳ୍ପାଂଚଳରେ ସବୁଠୁ ବେଶୀ ଜମି ହାତେଇଛି କିଟ୍। କିଟ୍ ଏସବୁ ଜମି ନେବା ପଛରେ ବଡ଼ ଧରଣର କେଳେଙ୍କାରୀ ଓ ଅଫିସରମାନଙ୍କ କଳା କାରନାମା ସହ ବିଜେଡି ସରକାରର ଜମି ଦୁର୍ନୀତିର କଳାଫର୍ଦ୍ଦ ଲୋକଲୋଚନକୁ ଆସିବାର ଆଶଙ୍କା ରହିଛି। ତେଣୁ ଉଦ୍ଦେଶ୍ୟମୂଳକ ଭାବେ ‘ଇଡକୋ’ ୱେବସାଇଟକୁ ଅଚଳ କରିଦିଆଯାଇଛି। ଯେଭଳି କୌଣସି ବ୍ୟକ୍ତି କିମ୍ବା ଗଣମାଧ୍ୟମ ସଂସ୍ଥା ଇଡକୋ ସମ୍ପର୍କିତ କିଛି ବି ତଥ୍ୟ ହାସଲ ନକରିପାରିବ ତାହା ମଧ୍ୟ ସୁନିଶ୍ଚିତ କରାଯାଇଛି। ଏହା ରାଜ୍ୟ ସରକାରଙ୍କ ଜାଣତରେ ହୋଇଛି ନା ଇଡକୋ ସହ ଜଡ଼ିତ ଥିବା ପଦାଧିକାରୀମାନଙ୍କୁ ସୁରକ୍ଷା ଦେବାକୁ ଉଦ୍ଦିଷ୍ଟ ତାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି।

ଇଡକୋର ଚନ୍ଦକା ଶିଳ୍ପାଂଚଳ ମୋଟ ୬୯୪.୪୧୦ ଏକର ଜମିରେ ପରିବ୍ୟାପ୍ତ। ଏଥିରୁ ସର୍ବସାଧାରଣ ଉପଯୋଗ(କମ୍ୟୁନିଟି ୟୁଟିଲିଟି) ପାଇଁ ୧୦୪.୭୦୦ଏକରକୁ ବାଦ୍ ଦେଲେ ବାକି ୫୮୯.୭୧୦ ଏକର ଜମିକୁ ଶିଳ୍ପ ପାଇଁ ଆବଂଟନ କରିବାର ପ୍ରାବଧାନ ରହିଛି। ୨୦୨୫ ଜାନୁୟାରୀ ଶେଷ ସୁଦ୍ଧା ଏହି ଶିଳ୍ପାଂଚଳର ମୋଟ ୪୭୯.୦୭୯ ଏକର ଜମି ବିଭିନ୍ନ ସଂସ୍ଥାକୁ ଆବଂଟିତ ହୋଇଛି। ଆଉ ୧୧୦.୬୩୧ ଏକର ଜମି ଏବେବି ସେଠାରେ ବଳକା ଥିବା ଜଣାପଡ଼ିଛି। ମାତ୍ର ଏହି ଶିଳ୍ପାଂଚଳରେ ମୋଟ ୩୧ ଥରରେ କିଟ ଓ ତା’ର ଅନ୍ୟ ଦୁଇ ସଂସ୍ଥା (କିସ୍ ଓ କିମ୍ସ)କୁ ମୋଟ ୧୦୮.୦୧୨ ଏକର ଇଡକୋ ଜମି ଆବଂଟନ ହୋଇଛି। ଆଉ କମ୍ୟୁନିଟି ୟୁଟିଲିଟି ପାଇଁ ଉଦ୍ଦିଷ୍ଟ ଜମିରୁ ପ୍ରାୟ ୬୦ ପ୍ରତିଶତ ଜମି ମଧ୍ୟ ଏବେ କିଟ୍ ଜବରଦଖଲରେ ରହିଥିବା ଜଣାପଡ଼ିଛି। ସେହିପରି ୨୦୧୮ ଜୁଲାଇ ମାସରେ ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟରେ ସାଧାରଣ ପ୍ରଶାସନ ବିଭାଗ ନିଜର କୌଣସି ଜମି କିଟକୁ ଦେଇନଥିବା ଦର୍ଶାଇଥିଲା। ମାତ୍ର ଅଚ୍ୟୁତ ବିଜେଡି ସାଂସଦ ହେବା ପରେ ୨୦୧୯ ମସିହାରୁ ୨୦୨୪ ମସିହା ମଧ୍ୟରେ ୧୧.୩ ଏକର ସାଧାରଣ ପ୍ରଶାସନ ଜମି କିଟକୁ ଅନୁଷ୍ଠାନିକ ଭାବେ ସରକାର ଦେଇଥିବାର ତଥ୍ୟ ମିଳିଛି।

ମିଳିଥିବା ସୂଚନା ଅନୁସାରେ କିଟ୍ ଇଡ୍‌କୋର ଚନ୍ଦକା ଶିଳ୍ପାଂଚଳରେ ୧୮ ଅକ୍ଟୋବର,୧୯୯୭ରେ ୧ ଏକର (ପ୍ଲଟ ନଂ ୨୭/କ-୧), ୨୭ ଜୁନ୍ ୨୦୦୧ରେ ୨ ଏକର (୨୦-କ), ୧୧ ଜୁନ୍ ୨୦୦୩ରେ ୦.୩୫ ଏକର (ପ୍ଲଟ ନମ୍ବର-୪୨,୪୨/୧), ୧୧ ଜୁନ୍ ୨୦୦୩ରେ ୦.୫୦୧ ଏକର (ପ୍ଲଟ ନମ୍ବର-୨୬), ୨୪ ଜୁଲାଇ ୨୦୦୩ରେ ୦.୫୦୭ ଏକର (ପ୍ଲଟ ନମ୍ବର-୧୯), ୨୪ ଜୁଲାଇ ୨୦୦୩ରେ ୦.୫ ଏକର (ପ୍ଲଟ ନମ୍ବର-୪୧), ୨୫ ଫେବୃୟାରୀ ୨୦୦୪ କିମସ ନାଁରେ ୬.୮୮୩ ଏକର (ପ୍ଲଟ ନମ୍ବର-୨୫), ୧୪ ମେ’ ୨୦୦୪ରେ ୪.୨୭୮ ଏକର (ପ୍ଲଟ ନମ୍ବର- ୪୪), ୨୯ ଏପ୍ରିଲ ୨୦୦୫ରେ କିମସ ନାଁରେ ୩.୮୯୬ ଏକର (ପ୍ଲଟ୍ ନମ୍ବର - ୨୪,୧୨-କ), ୧୦ ଜୁନ୍ ୨୦୦୯ରେ ୩.୨୧୪ ଏକର (ପ୍ଲଟ ନମ୍ବର- ୪୪/ଗ, ୪୪/ଘ, ୪୪ଙ), ୧୭ ଜୁଲାଇ ୨୦୦୯ରେ ୪.୬୮୩ ଏକର (ପ୍ଲଟ୍ ନମ୍ବର- ୨୩-ଖ,୨୩-ଘ), ୧୭ ଜୁଲାଇ ୨୦୦୯ରେ ୧.୯୦୫ ଏକର (ପ୍ଲଟ ନଂ-୧୪,୧୪-କ,୧୫,୨୬,୨୨,୧୮,୧୯,୧୯-କ.୪୨,୪୧,୪୨-କ), ୬ ଅକ୍ଟୋବର ୨୦୧୦ରେ ୦.୯୮୯ ଏକର (ପ୍ଲଟ୍ ନମ୍ବର-୧୨/ଗ), ୮ ଅକ୍ଟୋବର ୨୦୧୦ରେ ୧.୫୫ ଏକର (ପ୍ଲଟ ନଂ- ୩୧), ୮ ନଭେମ୍ବର ୨୦୧୦ରେ ୦.୧୫ ଏକର (ପ୍ଲଟ ନଂ-୬୮), ୧୩ ଡିସେମ୍ବର ୨୦୧୦ରେ ୪.୮୨୮ ଏକର (ପ୍ଲଟ ନମ୍ବର-୨୮), ୧୪ ମାର୍ଚ୍ଚ ୨୦୧୧ରେ ୩.୫୦୪ ଏକର (ପ୍ଲଟ ନମ୍ବର-୫୧), ୧୬ ଡିସେମ୍ବର ୨୦୧୧ରେ୦ .୯୮୭ ଏକର (ପ୍ଲଟ ନମ୍ବର- କ/୮, କ/୯), ୧୭ ଏପ୍ରିଲ ୨୦୧୪ରେ କିସ୍ ନାଁରେ ୧ ଏକର (ପ୍ଲଟ ନମ୍ବର-୧୬/ଘ), ୨୫ ଜୁଲାଇ ୨୦୧୪ରେ ୮.୭୪୨ ଏକର (ପ୍ଲଟ୍ ନଂ-୧୦୨,ଏମ/୪ଟି, ଓଏମ/୯/୧, ଏମ/୯/୨), ୨୫ ଜୁଲାଇ ୨୦୧୪ରେ ୩.୦୫୮ ଏକର (ପ୍ଲଟ୍ ନମ୍ବର- ୮୯/୧), ୨୫ ଜୁଲାଇ ୨୦୧୪ରେ ୨.୨ ଏକର (ପ୍ଲଟ ନମ୍ବର-୧୭/୧), ୩୧ ମାର୍ଚ୍ଚ ୨୦୧୫ରେ ୧୦.୨ ଏକର (ପ୍ଲଟ ନମ୍ବର -୮୭), ୩୧ ମାର୍ଚ୍ଚ ୨୦୧୫ରେ ୧୦.୧୩ ଏକର (ପ୍ଲଟ ନମ୍ବର -୧୫), ୩୧ ମାର୍ଚ୍ଚ ୨୦୧୫ରେ ୬ ଏକର (ପ୍ଲଟ ନମ୍ବର - ୧୪/କ,୧୪/ଖ), ୩୧ ମାର୍ଚ୍ଚ ୨୦୧୫ରେ ୫.୯୧୩ ଏକର (ପ୍ଲଟ୍ ନମ୍ବର -୨୦/ଖ), ୩୧ ମାର୍ଚ୍ଚ ୨୦୧୫ରେ ୧.୫୦୧ ଏକର (ପ୍ଲଟ ନମ୍ବର-୧୮, ୧୯-କ୦, ୩୧ ମାର୍ଚ୍ଚ ୨୦୧୫ରେ ୦.୫୦୧ ଏକର (ପ୍ଲଟ ନମ୍ବର-୨୨), ୩୧ ମାର୍ଚ୍ଚ ୨୦୧୫ରେ ୦.୨ ଏକର (ପ୍ଲଟ ନମ୍ବର-୪୦/୧), ୯ ନଭେମ୍ବର ୨୦୧୮ରେ କିସ୍‌ ନାଁରେ ୧୪ ଏକର (ପ୍ଲଟ ନଂ. ଏନ୍‌-୪, ୭,୪୬,୧୬/୧,୧୬/୨) (ସିଏଜିଙ୍କ ଆପତ୍ତି ସତ୍ତ୍ୱେ) ଓ ୮ ଫେବୃୟାରୀ ୨୦୨୧ରେ ୪ ଏକର (ପ୍ଲଟ ନମ୍ବର- ୮୯/୨) ଜମି ପାଇଛି।

ସେହିପରି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗରୁ ପୂର୍ବରୁ ଜବରଦଖଲରେ ରଖିଥିବା ଜମିକୁ ମଧ୍ୟ ପ୍ରଶାସନ ସହଯୋଗରେ କିଟ୍‌ ହାତେଇଛି। ଏହି କ୍ରମରେ ୨୦୧୯ରେ ପଟିଆରେ ୨ ଏକର ଜମିକୁ ୨୦.୭୦ କୋଟି ଟଙ୍କା ପ୍ରିମିୟମ ଦେଇ କିଟ୍ ହାତେଇଛି। ସେହିପରି ୨୦୧୯ରେ ୧୩.୮୦ କୋଟି ଟଙ୍କା ଦେଇ ପଟିଆରେ ୧ ଏକର, ୨୦୧୯ରେ ୪.୧୪ କୋଟି ଟଙ୍କା ପ୍ରିମିୟମରେ ପଟିଆରେ ୩୦୦ ଡିସିମିଲ, ୨୦୧୯ରେ ୨୦.୭୦ କୋଟି ଟଙ୍କା ଦେଇ ପଟିଆରେ ୨ ଏକର, ୨୦୧୯ରେ ୮.୨୮ କୋଟି ଟଙ୍କା ପ୍ରିମିୟମ ଦେଇ ପଟିଆ ମୌଜାରେ ୮୦୦ ଡିସିମିଲ, ୨୦୨୧ରେ ପଟିଆ ମୌଜାରେ ୪୮ କୋଟି ୬୪ ଲକ୍ଷ ୫୦ ହଜାର ଟଙ୍କା ଦେଇ ୪ ଏକର ୭୦୦ ଡିସିମିଲ, ୨୦୨୧ରେ ୨.୩୦ କୋଟି ଟଙ୍କା ଦେଇ ପଟିଆରେ ୫୦୦ ଡିସିମିଲ ଜମି ରେକର୍ଡ଼ରେ ନିୟମିତ କରାଇ ନେଇଛି। ଏସବୁ କାମରେ ବିଭାଗୀୟ ଅଧିକାରୀମାନେ କିଟ୍‌, କିମ୍‌ସ ଓ କିସ୍‌କୁ ସହଯୋଗ କରିଥିବା ଚର୍ଚ୍ଚା ହେଉଛି।

Related story