Advertisment

କିଏ ସେ ଆଇଏଏସ୍ ଯିଏ ମାପୁଛନ୍ତି ମନ୍ତ୍ରୀଙ୍କ ସୀମା, କାର୍ଯ୍ୟାନୁଷ୍ଠାନ କେବେ?

କିଏ ସେ ଆଇଏଏସ୍ ଯିଏକି ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ତାଙ୍କ ବିଭାଗର କାର୍ଯ୍ୟରେ ହସ୍ତକ୍ଷେପ ନକରିବାକୁ କହୁଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

IAS

IAS

Advertisment

ରାଜ୍ୟରେ କ୍ଷମତାସୀନ ବିଜେପି ସରକାରରେ ବାବୁରାଜ୍ କାଏମ ରହିଛି । ଏକଥା ଆମେ କହୁନୁ ବରଂ ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀ ଏହି ଗୁମର ଖୋଲିବା ସହ ‘ଅଫିସରମାନଙ୍କ ମାଇଣ୍ଡସେଟ୍‌’ ଏବେବି ସେଭଳି ରହିଥିବା କହିଛନ୍ତି । ଆଉ ମନ୍ତ୍ରୀଙ୍କ ଏହି ବୟାନ ପରେ ବିରୋଧୀ ବିଜେଡି ତାଙ୍କୁ ଘେରିବା ସହ ସମ୍ପୃକ୍ତ ଆଇଏଏସ୍ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

Advertisment

ଏପଟେ କିଏ ସେ ଆଇଏଏସ୍ ଯିଏକି ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ତାଙ୍କ ବିଭାଗର କାର୍ଯ୍ୟରେ ହସ୍ତକ୍ଷେପ ନକରିବାକୁ କହୁଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଏସବୁ ମଧ୍ୟରେ ରାଜ୍ୟରେ ନିର୍ବାଚିତ ଜନପ୍ରତିନିଧି(ଲୋକଙ୍କ ସରକାର) ଚାଲିଛି ବୋଲି ସନ୍ଦେଶ ଦେବା ନିମନ୍ତେ ସେହି ଅଫିସରଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ମୋହନ ମାଝୀଙ୍କ ସରକାର ଉପରେ ଚାପ ବଢ଼ିବାରେ ଲାଗିଥିବା ଜଣାପଡ଼ିଛି ।

ରାଜ୍ୟରେ ବିଭିନ୍ନ ସ୍ଥାନରେ ଚାଷୀମାନେ ଧାନ ବିକ୍ରି କରିବାରେ ସମସ୍ୟାର ସମ୍ମୁଖୀନ ହେଉଥିବା ଓ କଟନୀଛଟନୀ ଜାରି ରହିଥିବାକୁ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାବେଳେ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିସ୍ଫୋରକ ବୟାନ ଦେଇଛନ୍ତି । “ଧାନ କିଣାରେ ଚାଷୀ ଓ ମିଲର୍ସମାନେ ତାଙ୍କ ଭିତରେ ବୁଝାବୁଝି ହୁଅନ୍ତୁ । ଆପଣ ସେଥିରେ ଖେଳାନ୍ତୁ ନାହିଁ ବୋଲି ତାଙ୍କୁ ଜଣେ ଆଇଏଏସ୍ କହିଲେ, ତା’ହେଲେ ଆମ ସରକାରର ନୀତି ବାବଦରେ କ’ଣ ହେବ ବୋଲି ସେ ପାଲଟା ସମ୍ପୃକ୍ତ ଆଇଏଏସଙ୍କୁ ପ୍ରଶ୍ନ କରିଥିବା ଶ୍ରୀ ପାତ୍ର କହିଛନ୍ତି ।” ଅଫିସରଙ୍କ ମାଇଣ୍ଡସେଟ୍ ଏବେବି ସେୟା ରହିଛି । ସେସବୁ ପରିବର୍ତ୍ତନ ପାଇଁ ସମୟ ଲାଗୁଛି । କଟନୀଛଟନୀ କଲେ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ମିଲର୍ସଙ୍କୁ କଳାତାଲିକାଭୁକ୍ତ କରାଯିବ ବୋଲି ମନ୍ତ୍ରୀ ପାତ୍ର ସ୍ପଷ୍ଟ କରିଛନ୍ତି ।”

Advertisment

ମନ୍ତ୍ରୀଙ୍କ ଏଭଳି ବିସ୍ଫୋରକ ବୟାନ ଉପରେ ବିଜେଡିର ବରିଷ୍ଠ ନେତା ଅରୁଣ ସାହୁ ପ୍ରତିକ୍ରିୟା ରଖି କହିଛନ୍ତି ଯେ “ ବିଜେପି କହିଥିଲା ରାଜ୍ୟରେ ବାବୁ ଶାସନ ନୁହେଁ, ଆମେ ଲୋକଙ୍କ ଶାସନ କରିବୁ । କିନ୍ତୁ ଶାସନକୁ ବାବୁଙ୍କ ହାତରେ ଟେକି ଦେଇ ଏମାନେ ଲୁଟିବାରେ ଲାଗିଛନ୍ତି । ମନ୍ତ୍ରୀମାନେ ଜାଣିପାରୁନାହାନ୍ତି ଯେ ସେମାନେ ବିଭାଗର ମୁଖ୍ୟ । ଯାହା ପଚାରିଲେ ମନ୍ତ୍ରୀ କହୁଛନ୍ତି ଆମେ ବିଭାଗ ସହ ଆଲୋଚନା କରୁଛୁ । ପାଠସାଠ କିଛି ନାହିଁ । ବିଭାଗ ବୁଝନ୍ତିନି । ମିଲର୍ସଙ୍କଠୁ କେତେ ନେଇଛନ୍ତି କୁହନ୍ତୁ । କଟନୀଛଟନୀ ଚାଲିଛି କ୍ୱିଣ୍ଟାଲରେ ୧୦କିଲୋ ପର୍ଯ୍ୟନ୍ତ । ଯୋଗାଣ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା କଥା । ସେ ସତ କହିଛନ୍ତି ।”

ସେହିପରି ବିଜେଡି ବିଧାୟକ ଗଣେଶ୍ୱର ବେହେରା “ଯୋଗାଣ ମନ୍ତ୍ରୀଙ୍କ ବୟାନକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଯେଉଁ ଅଫିସର ଏଭଳି କହିଛନ୍ତି ତାଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ । ମନ୍ତ୍ରୀଙ୍କୁ କେବଳ ମୁଖ୍ୟମନ୍ତ୍ରୀ ହିଁ ପରାମର୍ଶ ଦେଇପାରିବେ,ଅଫିସର ନୁହେଁ ବୋଲି ସେ କହିଛନ୍ତି ।”

ଅନ୍ୟପକ୍ଷରେ ଖୋଳତାଡ଼ରୁ ଜଣାପଡ଼ିଛି ଯେ ବିଜେଡି ସରକାରରେ ଭିକେ ପାଣ୍ଡିଆନଙ୍କ ଟିମର ଜଣେ ସଚିବ ହିଁ ଯୋଗାଣ ମନ୍ତ୍ରୀଙ୍କୁ ଚାଷୀ-ମିଲର୍ସଙ୍କ ଭିତରେ ମୁଣ୍ଡ ନପୁରାଇବାକୁ କହିଥିଲେ । ବିଜେପି ସରକାର ରାଜ୍ୟରେ କ୍ଷମତାକୁ ଆସିବା ପରେ ମଧ୍ୟ ତାଙ୍କର ବିଭାଗ ପରିବର୍ତ୍ତନ ଦୂରର କଥା ତାଙ୍କୁ ଅଧିକ ବିଭାଗ ପୁରସ୍କାର ଭାବେ ଦିଆଯାଇଛି । କେଉଁ ସମୀକରଣରେ ସମ୍ପୃକ୍ତ ଆଇଏଏସ୍ ଅଫିସରଙ୍କୁ ଏସବୁ ବିଭାଗ ଅଜାଡ଼ି ଦିଆଯାଇଛି ତାହା ବୁଝାପଡ଼ୁନି । ମାତ୍ର ଯୋଗାଣ ମନ୍ତ୍ରୀଙ୍କ ଏଭଳି ବୟାନ ତାଙ୍କର ଅସହାୟତାକୁ ପ୍ରକଟ କରୁଥିବାବେଳେ ସମ୍ପୃକ୍ତ ଆଇଏଏସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟରେ ଲୋକଙ୍କ ସରକାର ଚାଲୁଛି ବୋଲି ସନ୍ଦେଶ ଦେବାର ଆବଶ୍ୟକତା ଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

Odisha Bjp Ias Officer Ias
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe