Advertisment

କାହା ସୁରକ୍ଷାରେ ରାଜା ଚକ୍ର: ସନ୍ଦେହରେ କ୍ରାଇମବ୍ରାଂଚ, କାହିଁକି ଥମିଗଲା ତଦନ୍ତ?

ରାଜାଙ୍କୁ ଗିରଫ ପରେ ରାଜ୍ୟ କ୍ରାଇମବ୍ରାଂଚ ଡିଜି ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କର କଳା ସାମ୍ରାଜ୍ୟର ଚିଠା ଦେଲେ। କିନ୍ତୁ  କ୍ରାଇମବ୍ରାଂଚ ରାଜାଙ୍କୁ ରିମାଣ୍ଡରେ ଆଣିଲା ନାହିଁ କିମ୍ବା ରାଜାଙ୍କ ପକ୍ଷରୁ ତାଙ୍କର ଜାମିନ ପାଇଁ ମଧ୍ୟ ଆବେଦନ ହେଲାନାହିଁ ।

Raja

Raja

Advertisment

ସପ୍ତାହେ ଧରି ତନାଘନା କରି ରାଜ୍ୟ କ୍ରାଇମବ୍ରାଂଚ ଶେଷରେ କେନ୍ଦୁଝର ଜିଲ୍ଲାର ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ରଙ୍କୁ ଗିରଫ କଲା । ହାଇକୋର୍ଟରେ ଲଢ଼ି ରାଜାଙ୍କ ଗିରଫଦାରୀ ଉପରେ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ ମଧ୍ୟ ହଟାଇଲା । କିନ୍ତୁ ହାଇକୋର୍ଟଙ୍କୁ ଯେଉଁ କାରଣ ଦର୍ଶାଇ ରାଜାଙ୍କ ଆଗୁଆ ଜାମିନକୁ ରାଜ୍ୟ ସରକାର ବିରୋଧ କରିଥିଲେ, ମାତ୍ର ୨ଦିନ ପରେ ଖୋଦ୍ ସରକାର ସେହି ଆଭିମୁଖ୍ୟରୁ ନାଟକୀୟ ଢଙ୍ଗରେ ୟୁ-ଟର୍ଣ୍ଣ ନେଇ ଚୁପ୍ ବସିଛନ୍ତି ।

Advertisment

ରାଜାଙ୍କୁ ଗିରଫ ପରେ ରାଜ୍ୟ କ୍ରାଇମବ୍ରାଂଚ ଡିଜି ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କର କଳା ସାମ୍ରାଜ୍ୟର ଚିଠା ଦେଲେ। କିନ୍ତୁ  କ୍ରାଇମବ୍ରାଂଚ ରାଜାଙ୍କୁ ରିମାଣ୍ଡରେ ଆଣିଲା ନାହିଁ କିମ୍ବା ରାଜାଙ୍କ ପକ୍ଷରୁ ତାଙ୍କର ଜାମିନ ପାଇଁ ମଧ୍ୟ ଆବେଦନ ହେଲାନାହିଁ । ଆଉ ଏସବୁ ମଧ୍ୟରେ  ରାଜା ଚକ୍ର ସହ ଜଡ଼ିତ ତଦନ୍ତ ପ୍ରକ୍ରିୟା ଅଚାନକ ଶିଥିଳ ପଡ଼ିଯାଇଛି । ରାଜାଙ୍କୁ ଗିରଫ ନକଲେ ଅଧିକ ତଥ୍ୟ ପଦାକୁ ଆସିପାରିବ ନାହିଁ ବୋଲି ଯୁକ୍ତି ଦର୍ଶାଇଥିବା କ୍ରାଇମବ୍ରାଂଚ କେଉଁ ଅଦୃଶ୍ୟ କାରଣରୁ ରାଜାଙ୍କ ଗିରଫଦାରୀ ପରେ ପଲଟିଗଲା ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଲାଣି । ଜେରାଙ୍କ ଗଡ଼ଫାଦରମାନଙ୍କ ଚେହେରା ପଦାକୁ ଆସିବାର ଆଶଙ୍କା ଓ ଚାପରେ କ୍ରାଇମବ୍ରାଂଚ ଚେପା ହୋଇଯାଇଛି କି ବୋଲି ଚର୍ଚ୍ଚା ଜୋର ଧରିଲାଣି ।

ରାଜା ଚକ୍ର ପାଇଁ କିଏ ସାଜିଛି ଢାଲ?

ଯେଉଁ ରାଜା ଚକ୍ର ନିଜର ଗିରଫ ଭୟରେ ହାଇକୋର୍ଟରେ ଦୁଇ ଦୁଇଥର ଆଗୁଆ ଜାମିନ ଆବେଦନ କରିଥିଲା ଓ ସରକାରୀ ଓକିଲ ନିଜର ବଳିଷ୍ଠ ଯୁକ୍ତି ମାଧ୍ୟମରେ ସେହି ରାଜା ଚକ୍ରର ଅନ୍ତରୀଣ ସୁରକ୍ଷାକୁ ଖାରଜ କରିବାରେ ସଫଳ ହୋଇଥିଲେ । ଏବେ କେଉଁ ଅଦୃଶ୍ୟ କାରଣରୁ ରାଜାଙ୍କୁ ରିମାଣ୍ଡରେ ତଦନ୍ତକାରୀ ସଂସ୍ଥା ନିଜ ହେପାଜତକୁ ନେଉନି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତଦନ୍ତରେ ରାଜା ସହଯୋଗ କରୁନି ଓ ତାଙ୍କୁ ଗିରଫ କରି ହେପାଜତକୁ ନେଲେ ଅନେକ ନୂଆ ତଥ୍ୟ ମିଳିପାରିବ ବୋଲି ହାଇକୋର୍ଟରେ ସରକାରୀ ଓକିଲ ଯୁକ୍ତି ବାଢ଼ିଥିଲେ । ମାତ୍ର ରାଜା ଗିରଫ ହେବାପରେ ନା ରାଜ୍ୟ ପୁଲିସ ନା କ୍ରାଇମବ୍ରାଂଚ କେହିବି ତାଙ୍କର ରିମାଣ୍ଡ ଚାହିଁଲେ ନାହିଁ । ଅର୍ଥାତ୍ ରାଜାଙ୍କଠୁ ଆଉ କୌଣସି ତଥ୍ୟ ଉଗାଳିବାର ନାହିଁ ବୋଲି ପରୋକ୍ଷରେ କ୍ରାଇମବ୍ରାଂଚ ସନ୍ଦେଶ ଦେଇଛି ।

Advertisment

ଏବେ ପ୍ରଶ୍ନ ଉଠୁଛି, ରାଜାଙ୍କ ସହ ଜଡ଼ିତ ମାମଲାରେ କ୍ରାଇମବ୍ରାଂଚକୁ ଏଭଳି କେଉଁ ତଥ୍ୟପ୍ରମାଣ ମିଳିଗଲା ଯେ ତାକୁ ରିମାଣ୍ଡରେ ନେବାକୁ ଆଉ ଉଚିତ୍ ମଣିଲା ନାହିଁ । ନା କେହି ରାଜାଙ୍କ ପାଇଁ ସୁରକ୍ଷା ଢ଼ାଲ ହୋଇ ଚାପ ପକାଇବାରୁ ତଦନ୍ତ ପ୍ରକ୍ରିୟା ଅପ୍ରତ୍ୟାଶିତ ଢଙ୍ଗରେ ଶିଥିଳ ପଡ଼ିଗଲା । ଚର୍ଚ୍ଚା ହେଉଛି, ରାଜାର କଳାସାମ୍ରାଜ୍ୟର ମୁଖ୍ୟ ସୂତ୍ରଧରମାନଙ୍କ ନାଁ ପଦାରେ ପଡ଼ିଯିବାର ଆଶଙ୍କା ଥିବାରୁ ତଦନ୍ତକୁ ଶିଥିଳ ପାଇଁ କ୍ରାଇମବ୍ରାଂଚ ଉପରେ ଚାପ ପଡ଼ିଛି । ଆଉ କ୍ରାଇମବ୍ରାଂଚ ଏହି କାରଣରୁ ରାଜାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କଲାନି ଓ କୋର୍ଟ ତାଙ୍କୁ ୧୯ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତକୁ ପଠାଇଦେଲେ ।

କେବେ ତଦନ୍ତ ପରିସରକୁ ଆସିବେ ତତକାଳୀନ ଜିଲ୍ଲାପାଳ ଓ ଏସପି? 

ରାଜା ଚକ୍ରଙ୍କ ବ୍ୟବସାୟିକ ସାମ୍ରାଜ୍ୟ ବେଧଡ଼କ ବିସ୍ତାର କରିବା ପଛରେ କେନ୍ଦୁଝର ଜିଲ୍ଲାର ତତକାଳୀନ ପୁଲିସ ଏସପି ମିତ୍ରଭାନୁ ମହାପାତ୍ର ଓ ଜିଲ୍ଲାପାଳ ଆଶୀଷ ଠାକରେଙ୍କ ପ୍ରଚ୍ଛନ୍ନ ହାତ ଥିବା ଚର୍ଚ୍ଚା ହେଉଛି । ତତକାଳୀନ ବିଜେଡି ସରକାରର ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ଏହି ଦୁଇଜଣ ଅଫିସରଙ୍କ ମାଧ୍ୟମରେ ରାଜା ଚକ୍ର ନିଜର ବ୍ୟବସାୟିକ ସାମ୍ରାଜ୍ୟ ବଢ଼ାଇଥିବା ଓ ବେଆଇନ ପାଣ୍ଠି କରିଥିବା କୁହାଯାଉଛି । ଆଇପିଏସ୍ ମିତ୍ରଭାନୁ ମହାପାତ୍ର(୨୦୧୯ ଅଗଷ୍ଟରୁ ୨୦୨୩ ମେ’ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲା ଏସପି) ଓ ଆଇଏଏସ୍ ଆଶୀଷ ଠାକରେ( ୨୦୧୮ ଜାନୁୟାରୀରୁ ୨୦୨୪ ଫେବୃୟାରୀ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲାପାଳ) ରହିଥିଲେ ।

ରାଜାଙ୍କ କଥାରେ ଏହି ଦୁଇ ଅଫିସର ଉଠବସ୍ ହେଉଥିବା ବିଭିନ୍ନ ଦଳର ରାଜନୀତିକ ବ୍ୟକ୍ତିମାନେ ଅଭିଯୋଗ କରୁଛନ୍ତି । ତଥାପି ଏହି ଦୁଇ ଅଫିସରଙ୍କ ଭୂମିକାକୁ ଯାଂଚ କରିବାକୁ ଏପର୍ଯ୍ୟନ୍ତ କ୍ରାଇମବ୍ରାଂଚ ସକ୍ଷମ ହୋଇନି । ତା’ଛଡ଼ା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରୋଧୀ ଦଳର ମୁଖ୍ୟ ସଚେତକ ଭାବେ କାର୍ଯ୍ୟ କରିବାବେଳେ ତାଙ୍କ ଗାଡ଼ି ଉପରକୁ ବୋମା ମାଡ଼ ହୋଇଥିଲା । ଏହି ମାମଲାରେ ରାଜା ଚକ୍ରଙ୍କ ନାଁରେ କେନ୍ଦୁଝର ଟାଉନ ଥାନାରେ ମଧ୍ୟ ଏଫଆଇଆର ହୋଇଥିଲା । କିନ୍ତୁ ସେତେବେଳର ପୁଲିସ ଏସପି ମିତ୍ରଭାନୁ ମହାପାତ୍ରଙ୍କ ସହଯୋଗରେ ଏହି ମାମଲାରୁ ରାଜାଙ୍କ ନାଁ ଚାର୍ଜସିଟରୁ ବାଦ୍ ଦିଆଯାଇଥିଲା ବୋଲି ଜଣାପଡ଼ିଛି । ରାଜାଙ୍କ ନାଁରେ ଏବେ କେନ୍ଦୁଝରର ବିଭିନ୍ନ ଥାନାରେ ୧୩ଟି ମାମଲା ଥିବାବେଳେ କ୍ରାଇମବ୍ରାଂଚ ଅର୍ଥନୀତିକ ଅପରାଧ ଶାଖାରେ ଗୋଟିଏ ଓ ବାଲେଶ୍ୱର ବାଣିଜ୍ୟକରରେ ଗୋଟିଏ ମାମଲା ଏଭଳି ମୋଟ ୧୫ଟି ମାମଲା ତାଙ୍କ ବିରୁଦ୍ଧରେ ଚାଲିଛି।

ରାଜାଙ୍କ ସମ୍ପତ୍ତି ବିବରଣୀ ଓ ଏହାପଛର ମାଷ୍ଟରମାଇଣ୍ଡ

ଗନ୍ଧମାର୍ଦ୍ଧନ ଲୋଡ଼ିଂ ଏଜେନ୍ସୀ ଆଣ୍ଡ ଟ୍ରାନ୍ସପୋର୍ଟ କୋଅପରେଟିଭ ସୋସାଇଟି ଦୁର୍ନୀତି ମାମଲାରେ ରାଜା ଚକ୍ରଙ୍କ ଭୂମିକା ଓ ସମ୍ପୃକ୍ତିର ପୁଳାପୁଳା ଦସ୍ତାବିଜ ପାଇଥିବା କ୍ରାଇମବ୍ରାଂଚ ଏବେ ନିରବ । ମିଳିମିଶି ରାଜା ଚକ୍ର ମାମଲାକୁ ଚପାଇ ଦେବାକୁ ପ୍ରୟାସ ଚାଲିଥିବା ଚର୍ଚ୍ଚା । ରାଜାଙ୍କୁ ଗିରଫ କରାଯିବା ପରେ ଖଣି ମାଫିଆ ସକ୍ରିୟ ହୋଇପଡ଼ିଛନ୍ତି । କେବଳ ଏହି କାରଣରୁ ରାଜାଙ୍କୁ ଗିରଫ କରି ରିମାଣ୍ଡରେ ନେବାକୁ ବଳିଷ୍ଠ ଯୁକ୍ତି ବାଢ଼ିଥିବା  ସରକାରଙ୍କ ଓକିଲ ମାତ୍ର ୨ଦିନରେ ନିଜ ଆଭିମୁଖ୍ୟରୁ ଓଲଟି ଯାଇଥିଲା । ତାଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ ମଧ୍ୟ କଲାନି । ଆଉ ବାଲେଶ୍ୱର କୋର୍ଟ ତାଙ୍କୁ ୧୯ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ହେପାଜତକୁ ପଠାଇ ଦେଇଥିଲେ । ରାଜାଙ୍କ କଳାସାମ୍ରାଜ୍ୟର ଲମ୍ବା ଚିଠା ଦେଇ କ୍ରାଇମବ୍ରାଂଚ ଡିଜି ୧୮୫କୋଟି ଟଙ୍କାର ଅନିୟମିତତାର ଅଭିଯୋଗ ଆଣିଥିଲେ । ରାଜାଙ୍କ ପଛରେ ବିଜେଡିର ପ୍ରଭାବଶାଳୀ ୩-୪ଜଣ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଚର୍ଚ୍ଚା ହେଉଛି । ଏହି ବ୍ୟକ୍ତିମାନେ ମାଷ୍ଟରମାଇଣ୍ଡ ସାଜି ଏବେ ରାଜାଙ୍କୁ ଖସାଇ ନେବାକୁ ପ୍ରୟାସ କରୁଥିବା ଜଣାପଡ଼ିଛି ।

Odisha BjD Police Raja Chakra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe