Advertisment

ସାଂସଦଙ୍କୁ ହତ୍ୟା ଷଡ଼ଯନ୍ତ୍ର ପଛରେ କିଏ: କେବେ ଚେତିବ ପ୍ରଶାସନ, କାହିଁକି ସ୍ୱାସ୍ଥ୍ୟ ବୁଲେଟିନ୍ ଜାରି କରୁନି ହସ୍ପିଟାଲ?

ଜଣେ ସାଂସଦ ନିଜ ଜୀବନ ପ୍ରତି ବିପଦ ଥିବା ନେଇ ସୋସିଆଲ ମିଡିଆ ମାଧ୍ୟମରେ ଜଣାଇବା ପରେ ମଧ୍ୟ ରାଜ୍ୟ ସରକାର ଓ ପ୍ରଶାସନ ତାଙ୍କର ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରସଙ୍ଗରେ କାହିଁକି ନିରବ ରହିଛନ୍ତି ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

author-image
Ordigital Desk
ଅଦ୍ୟତନ ହୋଇଛି
Sulata Deo

Sulata Deo

“ମୋତେ ହତ୍ୟା ପାଇଁ ଷଡ଼ଯନ୍ତ୍ର ହୋଇଥିଲା । ମୋତେ ମାରି ଦେବାକୁ ପ୍ଲାନ କରାଯାଇଥିଲା । ମୋ’ ମୁଣ୍ଡକୁ ଟାର୍ଗେଟ କରି ରବର ବୁଲେଟ୍ ମାଡ଼ କରାଯାଇଥିଲା ।” ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ । ଏକ ଘରୋଇ ହସ୍ପିଟାଲରୁ ଚିକିତ୍ସାଧୀନ ଅବସ୍ଥାରେ ୫ମିନିଟ୍ ୨୪ସେକେଣ୍ଡର ଏକ ଭିଡିଓ ଜାରି କରି ତାଙ୍କୁ ମାରିଦେବାକୁ ପ୍ଲାନ୍ କରାଯାଇଥିବାର ଅଭିଯୋଗ ଆଣିବା ସତ୍ତ୍ୱେ ପୁଲିସ୍ ଓ ପ୍ରଶାସନର ନିରବତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Advertisment

ଜଣେ ସାଂସଦ ନିଜ ଜୀବନ ପ୍ରତି ବିପଦ ଥିବା ନେଇ ସୋସିଆଲ ମିଡିଆ ମାଧ୍ୟମରେ ଜଣାଇବା ପରେ ମଧ୍ୟ ରାଜ୍ୟ ସରକାର ଓ ପ୍ରଶାସନ ତାଙ୍କର ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରସଙ୍ଗରେ କାହିଁକି ନିରବ ରହିଛନ୍ତି ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ବାଲେଶ୍ୱର ଛାତ୍ରୀ ସୋଶାଲ ମିଡିଆରେ ଅପିଲ୍ କରି ନିରାଶ ହେବାପରେ ଦେହରେ ନିଆଁ ଲଗାଇ ପ୍ରାଣ ହରାଇଥିବାର ଅପବାଦ ସରକାରଙ୍କ ମୁଣ୍ଡରେ ଏବେ ରହିଥିବାବେଳେ ସାଂସଦଙ୍କ ସୋଶାଲ ମିଡିଆରେ ବୟାନ ଉପରେ ସରକାର ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ଥିବା ଦାବି ହେଉଛି ।

କ’ଣ କହିଛନ୍ତି ସାଂସଦ ସୁଲତା ଦେଓ?

ବାଲେଶ୍ୱର ଛାତ୍ରୀଙ୍କୁ ନ୍ୟାୟ ଦେବା ଦାବିରେ ବୁଧବାର ସଚିବାଳୟ ବା ଲୋକସେବା ଭବନ ଘେରାଉ ପାଇଁ ବିଜେଡିର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ସାଂସଦ ସୁଲତା ଦେଓ । ବିକ୍ଷୋଭସ୍ଥଳରେ ତାଙ୍କ ଛାତିରେ ରବର ବୁଲେଟ ବାଜିଛି ବୋଲି ସେ ଗତକାଲି ଗଣମାଧ୍ୟମକୁ ବୟାନ ଦେଇଥିଲେ । ସେ ଚିକିତ୍ସା ପାଇଁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଉତ୍କଳ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ନିଜର ଭେରିଫାଏଡ୍ ଫେସବୁକ୍ ଆକାଉଣ୍ଟରୁ ଏକ ଭିଡିଓ ଜାରି କରିଛନ୍ତି ।

Advertisment

ସେ କହିଛନ୍ତି ଯେ “ମୋତେ ହତ୍ୟା ପାଇଁ ପ୍ଲାନ୍ କରାଯାଇଥିଲା । ମୋତେ ମାରିଦେବାକୁ ପ୍ଲାନ ହୋଇଥିଲା । ମୋ’ ମୁଣ୍ଡକୁ ଟାର୍ଗେଟ୍ କରି ରବର ବୁଲେଟ୍ ଫାୟାର ହୋଇଥିଲା, କିନ୍ତୁ ତାହା ବାମପାଶ୍ୱର୍ କଲରବୋନ୍ ତଳେ ବାଜିଲା । ଏ ସରକାରରେ ମୋତେ ମାରିଦେବା ପାଇଁ ପ୍ଲାନ୍ କରାଯାଇଥିଲା । ମୋତେ ଟାର୍ଗେଟ୍ କରି ମାରିଦେବାକୁ ପ୍ଲାନ୍ ହୋଇଛି ।” ଜଣେ ରାଜ୍ୟସଭା ସାଂସଦ ନିଜେ ଭିଡିଓ ବାର୍ତ୍ତାରେ ‘ତାଙ୍କୁ ହତ୍ୟା ପାଇଁ ପ୍ଲାନ୍‌’ ହୋଇଛି ବୋଲି କହିବାର ୨ରୁ ୩ଘଣ୍ଟା ବିତିଗଲାଣି । ତଥାପି ସରକାର, ପୁଲିସ୍ ଓ ପ୍ରଶାସନ କାହିଁକି ଏହାକୁ ଗୁରୁତ୍ୱର ସହ ନେଇନାହିଁ ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସତରେ କ’ଣ ଷଡ଼ଯନ୍ତ୍ର ହୋଇଛି, କାହିଁକି ପୁଲିସ କରୁନି ଖୋଳତାଡ଼?

ରାଜ୍ୟସଭା ସାଂସଦ ଶ୍ରୀମତୀ ଦେଓ ସଙ୍ଗୀନ ଅଭିଯୋଗ ଆଣିଥିଲେ ମଧ୍ୟ ସରକାର ନିରବଦ୍ରଷ୍ଟା ସାଜିବା ଓ କଥାକୁ ଅତ୍ୟନ୍ତ ହାଲୁକା ଭାବେ ନେବାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଉଛି । ସତରେ କ’ଣ ତାଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ହୋଇଛି ନା ସେ ଶସ୍ତା ପବ୍ଲିସିଟି ପାଇଁ ଏଭଳି ବୟାନବାଜି କରୁଛନ୍ତି? ସରକାର ଏହି ଅଭିଯୋଗକୁ ଗୁରୁତ୍ୱର ସହ ବିଚାରକୁ ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାରେ ଅସୁବିଧା କେଉଁଠି ରହିଛି । ରାଜ୍ୟର ଜଣେ ସାଂସଦ ଯଦି ହତ୍ୟା ଷଡ଼ଯନ୍ତ୍ରର ଅଭିଯୋଗ ଆଣୁଛନ୍ତି ତା’ହେଲେ ଏଦିଗରେ ଉଭୟ ପୁଲିସ ଓ ପ୍ରଶାସନ ତ୍ୱରିତ୍ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

ନଚେତ୍ ଆଗାମୀ ଦିନରେ ଯଦି କିଛି ଅସୁବିଧା ହୁଏ ସେ ଅପବାଦ ହିଁ ସରକାରଙ୍କୁ ମୁଣ୍ଡାଇବାକୁ ପଡ଼ିବ । ଅବଶ୍ୟ ସାଂସଦ ପଦମର୍ଯ୍ୟାଦାକୁ ଭୁଲି ଚର୍ଚ୍ଚାରେ ରହିବା ନିମନ୍ତେ ସୋସିଆଲ ମିଡିଆରେ ଶସ୍ତା ବୟାନବାଜି କରିବା ସୁଲତାଙ୍କ ନିତିଦିନିଆ ଘଟଣା । ମାତ୍ର ସେ ଜଣେ ସାଂସଦ ଥିବାରୁ ଓ ହତ୍ୟା ଭଳି ସଙ୍ଗୀନ ଅଭିଯୋଗ ଆଣିଥିବାରୁ ସରକାର ତୁରନ୍ତ ଏଦିଗରେ ହସ୍ତକ୍ଷେପ କରିବା ମଧ୍ୟ ଜରୁରୀ । ତା’ଛଡ଼ା ଆସନ୍ତା ୨୧ତାରିଖରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ତାଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ହେଉଥିବା ପ୍ରସଙ୍ଗକୁ ସେ ସଂସଦରେ ଉଠାଇ ଓଡ଼ିଶାକୁ ଜାତୀୟସ୍ତରରେ ବଦନାମ କରିବାର ଆଶଙ୍କା ମଧ୍ୟ ରହିଛି । ତେଣୁ ସରକାର ଏଦିଗରେ ସମ୍ବେଦନଶୀଳ ହେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ସୁଲତାଙ୍କ ସ୍ୱାସ୍ଥ୍ୟ ଓ ସରକାରଙ୍କ ଟିମ୍ ଓ ହସ୍ପିଟାଲ ବୁଲେଟିନ୍‌

ବିଜେଡିର ସଚିବାଳୟ ଘେରାଉବେଳେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ ଆହତ ହୋଇଥିବାର ଅଭିଯୋଗ ଦଳ ପକ୍ଷରୁ କରାଯାଉଛି । ଆପୋଲୋ ହସ୍ପିଟାଲରେ ବିଜେଡି ନେତା ପ୍ରଣବପ୍ରକାଶ ଦାସ, ଉତ୍କଳ ହସ୍ପିଟାଲରେ ପ୍ରୀତିରଞ୍ଜନ ଘଡ଼େଇ ଓ ସୁଲତା ଦେଓ ଚିକିତ୍ସିତ ହେଉଛନ୍ତି । ରବର ବୁଲେଟ୍ ବାଜି ସେମାନେ ଗୁରୁତର ହୋଇଛନ୍ତି ବୋଲି ସୋସିଆଲ ମିଡିଆରେ ଫଟୋ ପ୍ରକାଶିତ ହେଉଛି । ରାଜ୍ୟ ସରକାର କାହିଁକି ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଟିମ୍ ଗଠନ କରି ଏହି ନେତାମାନଙ୍କର ଜଣେ ସାଂସଦ ଓ ଦୁଇ ଜଣ ପୂର୍ବତନ ମନ୍ତ୍ରୀଙ୍କର ସ୍ୱାସ୍ଥ୍ୟବସ୍ଥା ଏବେ କିଭଳି ରହିଛି ତା’ର ଯାଂଚ କରୁନାହାନ୍ତି ବୋଲି ପ୍ରଶ୍ନ ଉଠିଛି ।

ତା’ଛଡ଼ା ଏହି ଭିଆଇପି ବ୍ୟକ୍ତିମାନଙ୍କର ସ୍ୱାସ୍ଥ୍ୟକୁ ନେଇ ହସ୍ପିଟାଲ ମଧ୍ୟ ନିୟମିତ ବ୍ୟବଧାନରେ ବୁଲେଟିନ୍ ଜାରି କରିବାରେ ଅସୁବିଧା କେଉଁଠି? ହସ୍ପିଟାଲ କର୍ତ୍ତୃପକ୍ଷ ନିଜର ବିଶ୍ୱସନୀୟତା ବଜାୟ ରଖିବା ପାଇଁ ସେମାନଙ୍କର ସ୍ୱାସ୍ଥ୍ୟକୁ ନେଇ ବୁଲେଟିନ୍ ଜାରି କରିବାର ମଧ୍ୟ ଆବଶ୍ୟକତା ରହିଛି । ରାଜ୍ୟ ପ୍ରଶାସନ ମଧ୍ୟ ଏଦିଗରେ ହସ୍ତକ୍ଷେପ କରି ଏସବୁକୁ ସୁନିଶ୍ଚିତ କରିପାରନ୍ତା ଓ ବିଜେଡି ନେତାମାନଙ୍କର ଆହତ-ଗୁରୁତର ପଛର ସତ୍ୟତା ମଧ୍ୟ ସର୍ବସାଧାରଣରେ ଜାଣିବାର ସୁଯୋଗ ସୃଷ୍ଟି ହୋଇପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚା ।

Odisha BjD Balasore Sulata Deo