ଗତ ଦୁଇ ଦିନ ହେଲା ଚର୍ଚ୍ଚାରେ ଅଛନ୍ତି ରାଜଧାନୀର ନାବାଳକ ବାବା। ସେ କୁଆଡ଼େ କଳକୀ ଅବତାର ନେଇ ଧରା ପୃଷ୍ଠକୁ ଆସୁଛନ୍ତି। ତେଣୁ ତାଙ୍କ ନାଁ ରହିଛି ‘କଳକୀ ମାଧବ’। ଆଗକୁ ବାବା ଲୀଳାଖେଳା କରିବେ। ବାବାଙ୍କ ଅନୁଗାମୀମାନେ ଏପରି କହି ବଲୁଛନ୍ତି। ଏହାକୁ ନେଇ ବିବାଦ ମୁଣ୍ଡ ଟେକିବାରୁ ବାବା ଆଶ୍ରମ ଛାଡ଼ି ଫେରାର। ନାବାଳକ ବାବାଙ୍କ ଏହି ଅବତାରକୁ ନେଇ ବର୍ଷିଛନ୍ତି ବାବା ବଳିଆ। ଆଉ ମାଧମ ଓ କଳକୀ କିଏ ବଖାଣିଛନ୍ତି।
ବାବା ବଳିଆ କହିଛନ୍ତି, ଆମେ ପିଲା ଦିନରୁ ଅନେକ କଳକୀ, ଅନେକ ମାଧବ ଓ ଅନେକ କୃଷ୍ଣଙ୍କୁ ଦେଖିଛୁ। ତାଙ୍କ ସହିତ କଥାବାର୍ତ୍ତା ହୋଇଛୁ। ସେମାନେ ସବୁବେଳେ ଦାବି କରନ୍ତି, ଆମେ କଳକୀ ବୋଲି। କିନ୍ତୁ ଆମ ଭାଷାରେ କଳକୀ ହେଉଛନ୍ତି ଆମ ଗୁରୁ, ପିତାମାତା, ଗୁରୁଜନ। ଏମାନେ ହେଉଛନ୍ତି ପ୍ରକୃତ କଳକୀ। ମାଧବ ହେଉଛନ୍ତି ସଦ୍ଗୁରୁ। ଯିଏ ମାୟାକୁ ଧାରଣ କରନ୍ତି ବୋଲି ବାବା ବଳିଆ କହିଛନ୍ତି।
ବାବା ଆହୁରି କହିଛନ୍ତି, ଭଗବତରେ ଲେଖାଅଛି ଦକ୍ଷିଣ ଭାରତରେ କଳକୀ ଜନ୍ମ ନେବେ। ହେଲେ ଏଠି କେମିତି କଳକୀ ଜନ୍ମ ହେଲେ? ତେଣୁ ଏ ସବୁ କଥା ପ୍ରତି ଆମର ସାମାନ୍ୟତମ ବିଶ୍ୱାସ ନାହିଁ। କିନ୍ତୁ ମାଧବ ଓ କଳକୀ ନାମ ପ୍ରତି ଆମର ସମ୍ମାନ ରହିଛି। ଜଣେ ପିଲା କଳକୀ ମାଧବ ହୋଇଯିବ, ସେ କଥା ପ୍ରତି ଆମର ବିଶ୍ୱାସ ନାହିଁ ବୋଲି ବାବା କହିଛନ୍ତି।
ପାଦ ତଳେ ତୁଳସୀ ରଖିବାକୁ ନେଇ ବାବା କହିଛନ୍ତି, ପାଦରେ ଯେଉଁମାନେ ତୁଳସୀ ଚଢ଼ାନ୍ତି, ଆମ ଭାଷାରେ ସେମାନେ ପାଖଣ୍ଡି। ତୁଳସୀ ପାଦରେ ଚଢ଼ା ଯାଏନି। ମସ୍ତକରେ ଦିଆଯାଇପାରେ। ତାହା ପୁଣି ଅତି ଆବଶ୍ୟକ ହେଲେ। କିନ୍ତୁ ଯେଉଁ ମହାପୁରୁଷମାନେ ପୂର୍ବରୁ ଚଢ଼ାଉଥିଲେ, ସେମାନଙ୍କର କିଛି ପ୍ରତିଭା ଥିଲା। ତଥାପି ତାହା ନିନ୍ଦନୀୟ। ତାକୁ ମଧ୍ୟ ଗ୍ରହଣ କରିବା ଉଚିତ ନୁହେଁ। ତୁଳସୀ ଯଦି ଚଢ଼ାଉଛନ୍ତି, ତାହାହେଲେ ବାଇଡଙ୍କ ବିଛୁଆତି ଚଢ଼ାଉନ? ତାହାହେଲେ ଆମେ ଜାଣିବା ସେମାନେ ପ୍ରକୃତର ତୁଳସୀର ମହାତ୍ମ୍ୟ ଜାଣିଛନ୍ତି ବୋଲି ବାବା କହିଛନ୍ତି।