Advertisment

ଡିଏସ୍ କୁଟ୍ଟେ ଓ ଆଶୀଷ ସିଂଙ୍କୁ କିଏ ଦେଉଛି ସୁରକ୍ଷା: ୧୫ଦିନ ପରେ ବି ହେଲାନି ଚାର୍ଜସିଟ୍ କି ଆକ୍ସନ୍

ଜୁନ୍ ୬ରେ ଓଡ଼ିଶା ସମେତ ସମଗ୍ର ଦେଶରେ ନିର୍ବାଚନ ପ୍ରକ୍ରିୟା ଶେଷ ସହ ଆଦର୍ଶ ଆଚରଣ ବିଧି ମଧ୍ୟ ଉଠାଇ ନେଇଥିଲା।

Ds Kutey and Ashish

Ds Kutey and Ashish

Advertisment

ବିଜେଡି ସୁିପ୍ରିମୋ ନବୀନ ପଟ୍ଟନାୟକଙ୍କ ଅପାରଗତାରୁ ତୃତୀୟ ମହଲାରେ ବସି ‘ସୁପର ସିଏମ୍‌’ ଭାବେ ହାକିମାତି କରୁଥିବା ଆଇପିଏସ୍ ଡିଏସ୍ କୁଟ୍ଟେ ଏବେ କେଉଁଠି? ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ମଧ୍ୟ କାହିଁକି ତାଙ୍କୁ ଏପର୍ଯ୍ୟନ୍ତ ଚାର୍ଜସିଟ୍ ଧରାଇ ପାରିଲେନି ପୁଲିସ ଡିଜି?  ବିଜେଡିର ସର୍ବେସର୍ବା ଭିକେ ପାଣ୍ଡିଆନ ଓ କୁଟ୍ଟେଙ୍କ ଭଡ଼ାଟିଆ ଗୁଣ୍ଡା ସାଜି ରାଜନୀତିକ ବ୍ୟକ୍ତିଙ୍କୁ ହଇରାଣହରକତ ଓ ଧମକଚମକ ଦେଇଥିବା ଆଇପିଏସ୍ ଆଶୀଷ ସିଂଙ୍କ ବିରୁଦ୍ଧରେ କାହିଁକି ହୋଇନି କାର୍ଯ୍ୟାନୁଷ୍ଠାନ? କ୍ଷମତାର ଲୋଭରେ ଅନ୍ଧ ହୋଇ ଧରାକୁ ସରା ମଣିଥିବା ଏହି ଦୁଇ ବରିଷ୍ଠ ଅଣଓଡ଼ିଆ ଆଇପିଏସ୍ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତର ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କାହିଁକି ଓ କିଏ ସେମାନଙ୍କୁ ସୁରକ୍ଷା ଦେଉଛି ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment

ବିଜେଡି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସକ୍ରିୟ ରାଜନୀତିକ ଗତିବିଧିରେ ଲିପ୍ତ ଥିବା ଅଭିଯୋଗରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ୧୯୯୭ ବ୍ୟାଚ୍ ଆଇପିଏସ୍ ଡିଏସ୍ କୁଟ୍ଟେଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ ଓଡ଼ିଶା ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସକ୍ଷମ ହୋଇନାହାନ୍ତି । ନବୀନ ପଟ୍ଟନାୟକଙ୍କ ପ୍ରଶାସନିକ ଅପାରଗତା ଓ ବିଜେଡିର ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ସହ ଅସାଧୁ ମେଂଟର ଫାଇଦା ଉଠାଇ ନିଜର କ୍ଷମତାର ଦୁରୂପଯୋଗ କରି ଉଭୟ ପ୍ରଶାସନିକ ଓ ରାଜନୀତିକ ନିଷ୍ପତ୍ତି ନେଉଥିବା ଶ୍ରୀ କୁଟ୍ଟେଙ୍କୁ ଚାର୍ଜସିଟ୍ ଜାରି କରିବାରେ ପୁଲିସ ଡିଜି ସାହାସ ଜୁଟାଇ ପାରିନଥିବା ଜଣାପଡ଼ିଛି । ଶ୍ରୀ କୁଟ୍ଟେଙ୍କ ବିଜେଡି ସହ ରାଜନୀତିକ ସମ୍ପୃକ୍ତିର ପ୍ରମାଣ ମିଳିବା ମେ’ ୨୮ତାରିଖରେ ଭାରତର ନିର୍ବାଚନ କମିଶନତାଙ୍କୁ ଚାକିରିରୁ ନିଲମ୍ବନ କରିବା ସହ ନୂଆଦିଲ୍ଲୀ ଡକାଇ ନେଇଥିଲେ । ଏହାସହିତ ଶ୍ରୀ କୁଟ୍ଟେଙ୍କ ବିରୁଦ୍ଧରେ ଡ୍ରାଫ୍ଟ ଚାର୍ଜସିଟ୍ ପ୍ରସ୍ତୁତ କରି ଓଡ଼ିଶାର ମୁଖ୍ୟ ସଚିବଙ୍କୁ ଦେବା ପାଇଁ ମଧ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏପରିକି ମେ’ ୩୦ତାରିଖ ଅପରାହ୍ନ ୫ଟା ପୂର୍ବରୁ ଶ୍ରୀ କୁଟ୍ଟେଙ୍କୁ ଚାକିରି ସେବା ସର୍ତ୍ତାବଳୀ ଅନୁସାରେ ଉପଯୁକ୍ତ କର୍ତ୍ତୃପକ୍ଷ(ପୁଲିସ ଡିଜି)ଙ୍କ ମାଧ୍ୟମରେ ନିଶ୍ଚିତ ଚାର୍ଜ ସିଟ୍ ଜାରି କରିବାକୁ ମୁଖ୍ୟ ସଚିବଙ୍କୁ କୁହାଯାଇଥିଲା ।

ତେବେ ଜୁନ୍ ୬ରେ ଓଡ଼ିଶା ସମେତ ସମଗ୍ର ଦେଶରେ ନିର୍ବାଚନ ପ୍ରକ୍ରିୟା ଶେଷ ସହ ଆଦର୍ଶ ଆଚରଣ ବିଧି ମଧ୍ୟ ଉଠାଇ ନେଇଥିଲା। ଏହାସହିତ ଶ୍ରୀ କୁଟ୍ଟେଙ୍କ ନିଲମ୍ବନକୁ ମଧ୍ୟ ନିର୍ବାଚନ କମିଶନ ପ୍ରତ୍ୟାହାର କରିନେଇ ମୁଖ୍ୟ ସଚିବଙ୍କ ନିକଟରେ ପରବର୍ତ୍ତୀ ପୋଷ୍ଟିଂ ପାଇଁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଓ କୁଟ୍ଟେଙ୍କ ବିରୁଦ୍ଧରେ ଯଦି ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥାଏ,ତା’ହେଲେ ତାହା କେବଳ ନିର୍ବାଚନ କମିଶନଙ୍କ ଅନୁମୋଦନରେ ହିଁ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ ।

Advertisment

ତେବେ ଗୃହ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଶ୍ରୀ କୁଟ୍ଟେଙ୍କୁ ଏପର୍ଯ୍ୟନ୍ତ ଚାର୍ଜ ସିଟ୍ ନୋଟିସ୍ ଜାରି ହୋଇନାହିଁ। ଶ୍ରୀ କୁଟ୍ଟେ  ଇ-ମେଲଟିଏ ପଠାଇ ଦେଇ ଛୁଟିରେ ରହିଛନ୍ତି । ପ୍ରାବଧାନ ଅନୁସାରେ ଅତିରିକ୍ତ ଡିଜି ପାହ୍ୟାର ଅଫିସର ଶ୍ରୀ କୁଟ୍ଟେଙ୍କୁ ଚାର୍ଜସିଟ୍ ଦେବା ପାଇଁ ଏକ କମିଟି ଗଠନର ଆବଶ୍ୟକତା ରହିଛି । ଯେଉଁ କମିଟିରେ ମୁଖ୍ୟ ସଚିବ କିମ୍ବା ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର ଜଣେ ଅଧିକାରୀଙ୍କ ସମେତ ଗୃହ ବିଭାଗର ଜଣେ ଅଧିକାରୀ ଓ ପୁଲିସ ଡିଜି ରହିବେ । ନିର୍ବାଚନ କମିଶନଙ୍କ ଦ୍ୱାରା ଡ୍ରାଫ୍ଟ ଚାର୍ଜସିଟକୁ ଆଧାର କରି ମଧ୍ୟ ସିଧାସଳଖ ତାଙ୍କୁ ଚାର୍ଜସିଟ୍ ବି ଜାରି କରାଯାଇପାରିବ । ଚାର୍ଜସିଟରେ ଏକ ମେମୋରେଣ୍ଡମ୍ ରହିବ ଯେଉଁଥିରେ ‘ଲୋକପ୍ରତିନିଧି ଆଇନ-୧୯୫୦ର ଧାରା ୧୩ଗଗ’ ଓ ‘ଲୋକପ୍ରତିନିଧି ଆଇନ-୧୯୫୧ର ଧାରା ୨୮କ’ରେ ଥିବା ଅଭିଯୋଗକୁ ଉଲ୍ଲେଖ କରାଯିବ । ଆଉ ତାଙ୍କୁ ନିଜର ପକ୍ଷ ରଖିବାକୁ ଏକ ନିର୍ଦ୍ଦିଷ୍ଟ ଅବଧି ଦିଆଯିବ ।

କିନ୍ତୁ ଶ୍ରୀ କୁଟ୍ଟେଙ୍କ କ୍ଷେତ୍ରରେ ଏସବୁ କିଛି ହୋଇନି । ସେ ଇ-ମେଲ୍ ପଠାଇ ଦେଇ ଛୁଟିରେ ରହିଛନ୍ତି । ଆଉ ନିଜ ଭୁବନେଶ୍ୱରସ୍ଥିତ ବାସଭବନରେ ବିନ୍ଦାସରେ ରହିଥିବା ଜଣାପଡ଼ିଛି । ରାଜ୍ୟରେ ବିଜେପି ସରକାର ଆସିବା ପରେ ମଧ୍ୟ ଶ୍ରୀ କୁଟ୍ଟେଙ୍କୁ ଏଭଳି ପ୍ରଶାସନିକ ସଂରକ୍ଷଣ ପୁଲିସ୍ ଡିଜି ଓ ମୁଖ୍ୟ ସଚିବ କାହିଁକି ଦେଉଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ବିଜେଡି ଶାସନର ଶେଷ ୫ବର୍ଷରେ ‘ସୁପର ସିଏମ’ ଭଳି ହାକିମାତି କରି ଉଭୟ ପ୍ରଶାସନିକ ଓ ରାଜନୀତିକ ନିଷ୍ପତ୍ତି ନେଉଥିବା ମହାରାଷ୍ଟ୍ରରେ ଜନ୍ମିତ ୧୯୯୭ ବ୍ୟାଚ୍ ଆଇପିଏସ୍ ଡିଏସ୍ କୁଟ୍ଟେଙ୍କ ଓଡ଼ିଶାରେ ବ୍ୟବସାୟିକ ସମ୍ପୃକ୍ତିର କାରନାମା ଏବେ ଧୀରେଧୀରେ ପଦାକୁ ଆସିବାରେ ଲାଗିଛି ।

ସେହିପରି ୨୦୧୦ ବ୍ୟାଚ୍ ଆଇପିଏସ୍ ଆଶୀଷ ସିଂଙ୍କ ବିରୁଦ୍ଧରେ ଆଇନ ଅନୁସାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ସଚିବଙ୍କୁ ଗତ ଜୁନ୍ ୬ତାରିଖରେ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀ ସିଂ ସ୍ୱାସ୍ଥ୍ୟଗତ କାରଣରୁ ମେ’ ୪ତାରିଖରୁ ଛୁଟିରେ ରହି ବିଜେଡି ପାଇଁ କାର୍ଯ୍ୟ କରୁଥିବାର ପ୍ରମାଣ ନିର୍ବାଚନ କମିଶନଙ୍କୁ ମିଳିଥିଲା । ଯେଉଁଥିପାଇଁ ଭୁବନେଶ୍ୱରର ଏମସ୍ ମେଡିକାଲ ବୋର୍ଡ ଦ୍ୱାରା ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଆଉ ସେ ମାନସିକ ଓ ଶାରୀରିକ ଭାବେ ଫିଟ୍ ଥିବା ନେଇ ଏମସ୍ ଡାକ୍ତରୀ ବୋର୍ଡ ରିପୋର୍ଟ ଦେଇଥିଲେ । ଆଉ ସେହି ରିପୋର୍ଟ ଆଧାରରେ ଶ୍ରୀ ସିଂଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେବାର ୧୨ଦିନ ପରେ ବି ମୁଖ୍ୟ ସଚିବ ଓ ପୁଲିସ ଡିଜି ଚୁପ୍ ହୋଇ ବସି ରହିଛନ୍ତି । ଆଉ ଶ୍ରୀ ସିଂ ମଧ୍ୟ ଇ-ମେଲ୍ ପଠାଇ ନିଜର ଛୁଟି ଅବଧି ବଢ଼ାଇବାରେ ଲାଗିଥିବା ସୂଚନା ମିଳିଛି । ବିଜେଡି ସରକାରରେ ଭିକେ ପାଣ୍ଡିଆନ ଓ କୁଟ୍ଟେଙ୍କ ଗୁଣ୍ଡା ସାଜି ପୁଲିସ ବାହିନୀକୁ ଲଗାଇ ଶ୍ରୀ ସିଂ ରାଜନୀତିକ ବ୍ୟକ୍ତିମାନଙ୍କ ଉପରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ନେଉଥିବା ବାରମ୍ବାର ଅଭିଯୋଗ ହେଉଥିଲା ।

ଉଲ୍ଲେଖଯୋଗ୍ୟ, ଏହି ହାତଗଣତି ଅଣଓଡ଼ିଆ ଓ ଅଫିସରମାନଙ୍କ ହାକିମାତି ଓ ମାତ୍ରାଧିକ ଦୁର୍ନୀତିରେ ଅତିଷ୍ଠ ହୋଇ ଲୋକେ ରାଜ୍ୟରେ ବିଜେଡି ସରକାରର ୨୪ବର୍ଷର ଶାସନର ଅନ୍ତ ଘଟାଇଛନ୍ତି ।

BjD Bjp IPS Officer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe