Advertisment

ବିଜେଡି ସରକାରର ପାପ ଲୁଚାଉଛି କିଏ: ବିଜ୍ଞାପନ ଖର୍ଚ୍ଚର ତଥ୍ୟ ଦେଉନି ସୂଚନା ଓ ଲୋକସମ୍ପର୍କ ବିଭାଗ

ବିଜେଡି ସରକାରର ପାପ ଲୁଚାଉଛି କିଏ: ବିଜ୍ଞାପନ ଖର୍ଚ୍ଚର ତଥ୍ୟ ଦେଉନି ସୂଚନା ଓ ଲୋକସମ୍ପର୍କ ବିଭାଗ

author-image
Ordigital Desk
ଅଦ୍ୟତନ ହୋଇଛି
Odisha LokaSeba Bhavan

Odisha LokaSeba Bhavan

ବିଜେଡି ସରକାର ନିଜର ଶେଷ ୬ମାସରେ ରାଜ୍ୟ ରାଜକୋଷରୁ ବିଜ୍ଞାପନ ଓ ଆଡଭୋଟୋରିଆଲ ବାବଦରେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ତା’ର ତଥ୍ୟ ଦେବାକୁ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପଛଘୁଂଚା ଦେଇଛି ।

Advertisment

ଏପରିକି ସୂଚନା ଅଧିକାର ଆଇନର ପ୍ରାବଧାନ ଆଧାରରେ ତଥ୍ୟ ଦେବାକୁ ପ୍ରଥମ ଆପିଲେଟ୍ ଅଧିକାରୀଙ୍କ ନିର୍ଦ୍ଦେଶକୁ ମାସେ ବିତିଯିବା ସତ୍ତ୍ୱେ ବିଭାଗ ଏହି ଖର୍ଚ୍ଚର ତଥ୍ୟ ନଦେବା ରାଜ୍ୟର ବିଜେପି ସରକାରଙ୍କ ସ୍ୱଚ୍ଛତା ଓ ପାରିଦର୍ଶିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଆପିଲେଟ୍ ଅଧିକାରୀଙ୍କ ନିର୍ଦ୍ଦେଶକୁ ବିତିଲା ୩୫ଦିନ

ଦସ୍ତାବିଜ ଅନୁସାରେ, ବିଜେଡି ସରକାରର ଶେଷ ୬ମାସର ବିଜ୍ଞାପନ ଓ ଆଡଭୋଟୋରିଆଲ(୨୦୨୩ ଡିସେମ୍ବର ୧ରୁ ୨୦୨୨୪ ଜୁନ୍ ୧୦ପର୍ଯ୍ୟନ୍ତ) ବାବଦ ଖର୍ଚ୍ଚ ସମ୍ପର୍କରେ ତଥ୍ୟ ଦେବାକୁ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଆରଟିଆଇ ମାଧ୍ୟମରେ ଆବେଦନ କରାଯାଇଥିଲା । ଏଥିରେ ବିଜ୍ଞାପନ ପାଇଥିବା ସଂସ୍ଥା ଓ ସଂଗଠନର ନାଁ, ସେମାନଙ୍କୁ ଚୟନର ଆଧାର, ବିଜ୍ଞାପନ ବାବଦ ଅର୍ଥର ପରିମାଣ ଓ ଦେୟ ପ୍ରଦାନର ତାରିଖ (ନଗଦ, ଚେକ୍‌, ବ୍ୟାଙ୍କ ଟ୍ରାନ୍ସଫର) ତା’ର ବିସ୍ତୃତ ତଥ୍ୟ ମଗାଯାଇଥିଲା ।

Advertisment

ମାତ୍ର ବିଭାଗର ପିଆଇଓ ପ୍ରଶାନ୍ତ କୁମାର ମେହେର ନିର୍ଦ୍ଧାରିତ ଏକମାସ ଅବଧି ମଧ୍ୟରେ ଏହି ତଥ୍ୟ ଦେଲେ ନାହିଁ କିମ୍ବା ସମ୍ପୃକ୍ତ ଆବେଦନ ଉପରେ କୌଣସି ପ୍ରତିକ୍ରିୟା ମଧ୍ୟ ରଖିଲେ ନାହିଁ । ଏ ସମ୍ପର୍କରେ ଆରଟିଆଇ ଆକ୍ଟ ଆଧାରରେ ପ୍ରଥମ ଆପିଲେଟ୍ ଅଧିକାରୀ(ପ୍ରଣବ କୁମାର ଦାଶ)ଙ୍କ ନିକଟରେ ଅପିଲ ଦାଏର କରିବା ପରେ ସେ ଜୁଲାଇ ୩୦ତାରିଖରେ ଏହାର ଶୁଣାଣି କରି ଆବେଦନକାରୀଙ୍କୁ ସପ୍ତାହକ ମଧ୍ୟରେ ବିନା ଖର୍ଚ୍ଚରେ ମଗାଯାଇଥିବା ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ!  ପ୍ରଥମ ଆପିଲେଟ୍ ଅଧିକାରୀ ଶ୍ରୀ ଦାଶ ଏହି ତଥ୍ୟ ଦେବା ପାଇଁ ବିଭାଗର ବିଜ୍ଞାପନ ସେକ୍ସନ ଓଏସଡି ଶଶାଙ୍କ ଶେଖର ନାୟକ, ଏଭିପି ସେକ୍ସନର ଡେସ୍କ ଅଫିସର ଏସପି ଜତି ଓ ଏଫପି ସେକ୍ସନର ରାଧାକୃଷ୍ଣ ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଇତିମଧ୍ୟରେ ୩୫ଦିନ ବିତିଯାଇଥିଲେ ବି ବିଭାଗର ଅଧିକାରୀମାନେ ଏହି ତଥ୍ୟ ଦେବାକୁ ଉଚିତ୍ ମଣିନାହାନ୍ତି ।

କୋଟି କୋଟି ଟଙ୍କାର ବିଜ୍ଞାପନ ବାଣ୍ଟିଥିଲା ବିଜେଡି ସରକାର

ଯଦିଓ ରାଜ୍ୟର ବିଜେପି ସରକାର ଏହି ଖର୍ଚ୍ଚର ବିବରଣୀ ଦେଇନାହାନ୍ତି କିନ୍ତୁ ବିଜେଡି ସରକାର ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ନିଜର ଶେଷ ୬ମାସରେ ରାଜକୋଷ ଅର୍ଥରୁ ଆଖିବୁଜା ବିଜ୍ଞାପନ ଦେଇଥିଲା । ଏପରିକି ବିଜ୍ଞାପନ ଦେବା ନିମନ୍ତେ କୌଣସି ନୀତିନିୟମକୁ ବି ଖାତିର କରିନଥିଲା । ବିନା କାଗଜପତ୍ରରେ ପ୍ରାୟ ୭୦-୮୦କୋଟି ଟଙ୍କା ଏହି ୬ମାସ ମଧ୍ୟରେ ବିଜ୍ଞାପନ ବାବଦରେ ରାଜକୋଷରୁ ବ୍ୟୟ ହୋଇଥିଲା ଓ ଯାହାକୁ ଦସ୍ତାବିଜରେ ସଠିକ୍ ଦେଖାଇବା ମଧ୍ୟ ବିଭାଗ ପାଇଁ ମୁଣ୍ଡବ୍ୟଥା ପାଲଟିଥିଲା ବୋଲି କୁହାଯାଉଛି ।

କେବଳ ସେତିକି ନୁହେଁ, ବିଭାଗର ଯେଉଁ ସଚିବ ଏହି ବେଆଇନ କାର୍ଯ୍ୟ ସବୁକୁ ଆଖିବନ୍ଦ କରି ଅନୁମତି ଦେଇଥିଲେ, ପ୍ରାୟ ଏକବର୍ଷରୁ ଅଧିକ ରହି ସେ ହିଁ ଏସବୁ ବେଆଇନକୁ ଆଇନଗତ କରାଇଥିବା ଚର୍ଚ୍ଚା ହେଉଛି । ବିଜେଡି ସରକାରର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଖାସ୍ ଅଫିସର ଭାବେ ପରିଚିତ ଆଇଏଏସଙ୍କ ଭରସାରେ ଏବେବି ସୂଚନା ଓ ଲୋକସମ୍ପର୍କ ବିଭାଗ ରହିଥିବା ପାୱାର କରିଡରରେ ଚର୍ଚ୍ଚା ହେଉଛି ।

କାହିଁକି ନିରବ ବିଜେପି ସରକାର, ଉତ୍ତରଦାୟିତ୍ୱକୁ ନେଇ ପ୍ରଶ୍ନ

ରାଜ୍ୟରେ ସ୍ୱଚ୍ଛତା ଓ ସୁଶାସନର ପ୍ରତିଶ୍ରୁତି ଦେଇ ପ୍ରାୟ ୧୫ମାସ ଧରି ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାର କାର୍ଯ୍ୟ କରୁଛି । କିନ୍ତୁ ସୂଚନା ଅଧିକାର ଆଇନ ବଳରେ ମଗାଯାଉଥିବା ତଥ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ବିଭାଗ ତା’ପୁଣି ନୋଡାଲ ବିଭାଗ(ସୂଚନା ଅଧିକାର ଆଇନ କାର୍ଯ୍ୟାନ୍ୱୟନର) କିଭଳି ଅଣଦେଖା କରୁଛି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ରାଜ୍ୟର ସୂଚନା କର୍ମୀମାନେ ବିଗତ ୮-୧୦ମାସ ଧରି ସୂଚନା ଅଧିକାର ଆଇନକୁ ଠିକ୍ ଭାବେ କାର୍ଯ୍ୟ କରାଯାଉନାହିଁ ବୋଲି ବାରମ୍ବାର ଅଭିଯୋଗ କରୁଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ନିଜ ବିଭାଗର ଅଧିକାରୀମାନେ ପୂର୍ବ ବିଜେଡି ସରକାରର ପାପକୁ ଲୁଚାଇବା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

Odisha BjD Bjp