Advertisment

ହୋଲଡିଂ ଟ୍ୟାକ୍ସ: କୁଆଡ଼େ ଗଲା ବିଏମସିର ସଂଶୋଧିତ ତାଲିକା ?

ମାର୍ଚ୍ଚ ୧୨ ତାରିଖରେ ଏକ ପ୍ରେସ ମିଟରେ ମଧ୍ୟ ବିଏମସି ମେୟର ସୁଲୋଚନା ଦାସ ବିଏମସିର ତ୍ରୁଟିକୁ ସ୍ୱୀକାର କରିଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
BMC

BMC

ଛଅ ଦିନ ପରେ ବି ଭୁବନେଶ୍ବର ମହାନଗର ନିଗମ (ବିଏମସି) ହୋଲଡିଂ ଟ୍ୟାକ୍ସ ବାକି ରଖିଥିବା ବଡ଼ ଖିଲାପକାରୀଙ୍କ ତ୍ରୁଟିଶୂନ୍ୟ ତାଲିକା ଏପର୍ଯ୍ୟନ୍ତ କାହିଁକି ପ୍ରକାଶ କରୁନି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ବଡ଼ ବଡ଼ିଆଙ୍କ ଚାପରେ ଚେପା ହୋଇଯାଇଛି କି ବିଏମସି?

Advertisment

ମାର୍ଚ୍ଚ ୧୧ ତାରିଖ ରାତିରେ ବିଏମସିର ଇନଷ୍ଟାଗ୍ରାମ୍ ହ୍ୟାଣ୍ଡଲରୁ ଗୃହ ଟିକସ ବା ହୋଲଡିଂ ଟ୍ୟାକ୍ସ ଦେଇନଥିବା ୩୧ ଜଣ ବଡ଼ ଟିକସ ଖିଲାପକାରୀଙ୍କ ନାଁ ସାର୍ବଜନୀନ କରାଯାଇଥିଲା। ଏହାର ସ୍କ୍ରିନ୍ ସଟକୁ ବିଏମସି ମିଡିଆ ହ୍ବାଟସଆପ୍ ଗ୍ରୁପରେ ବି ଛାଡ଼ିଥିଲା। ତେବେ ହଠାତ୍ ମାର୍ଚ୍ଚ ୧୨ ତାରିଖରେ ଇନଷ୍ଟାଗ୍ରାମ ପୋଷ୍ଟକୁ ଉଡ଼ାଇ ଦିଆଯାଇଥିଲା।

ବିଏମସିର ବିଏମସି ଡେପୁଟି କମିଶନର (ରାଜସ୍ବ) ଅଜୟ ମହାନ୍ତି ମାର୍ଚ୍ଚ ୧୨ ତାରିଖରେ ଟେଲିଫୋନ ଯୋଗେ `ଓଡ଼ିଶା ରିପୋର୍ଟର’କୁ କହିଥିଲେ, “ଏକ ସପ୍ତାହ ପୂର୍ବରୁ ଯେଉଁମାନେ ବକେୟା ଟିକସ ଦେଇନଥିଲେ ସେମାନଙ୍କ ତାଲିକା ସାର୍ବଜନୀନ କରାଯାଇଥିଲା। ମାତ୍ର ଏହି ସପ୍ତାହ ଭିତରେ କିଟ୍ ତାର ସମସ୍ତ ପ୍ରାପ୍ୟ ଦେଇଦେଇଛି। ଏଥିସହ ସୋଆ ୟା ଭିତରେ କିଛି ପ୍ରାପ୍ୟ ଦେଇଥିବାବେଳେ ଆଜି ସୁଦ୍ଧା ତାହା କ୍ଲିଅର କରିଛି। ହୋଲଡିଂ ଟିକସ ସାଧାରଣତଃ ତ୍ରୈମାସିକ ଭାବେ ପୈଠ କରିବା କଥା। ଆର୍ଥିକ ବର୍ଷ ସରିବାକୁ ଯାଉଥିବାବେଳେ ଆମେ ବାଧ୍ୟ ହୋଇ ଖିଲାପୀକାରୀଙ୍କ ତାଲିକା ସାର୍ବଜନୀନ କରିଥିଲୁ। ଖୁବ୍ ଶୀଘ୍ର ସଂଶୋଧିତ ତାଲିକା ପ୍ରକାଶ ପାଇବ।”

Advertisment

ମାର୍ଚ୍ଚ ୧୨ ତାରିଖରେ ଏକ ପ୍ରେସ ମିଟରେ ମଧ୍ୟ ବିଏମସି ମେୟର ସୁଲୋଚନା ଦାସ ବିଏମସିର ତ୍ରୁଟିକୁ ସ୍ୱୀକାର କରିଥିଲେ। ସେ କହିଥିଲେ’, “ଏହି ତାଲିକାରେ ଦିଆଯାଇଥିବା ତଥ୍ୟ ଏକ-ସପ୍ତାହ ପୂର୍ବରୁ ଥିଲା। ଏହା ବିଏମସିର ଏକ ତ୍ରୁଟି ଥିଲା। ୟା ଭିତରେ କିଛି ବଡ଼ ଅନୁଷ୍ଠାନ ବେକୟା ଦେୟ ଦେଇଦେଲେଣି। ଆଉ କିଛି ଅନୁଷ୍ଠାନ ଅଧା ପ୍ରାପ୍ୟ ଦେଇ ବକେୟା ପାଇଁ ଆଉ କିଛି ଦିନ ମାଗିଛନ୍ତି।

ଆଶା କରୁଛୁ ୮ରୁ ୧୦ ଦିନରେ ଆମକୁ ସେମାନେ ସବୁ ବକେୟା ପ୍ରାପ୍ୟ ଦେଇଦେବେ। ଆମେ ଚଳିତ ବର୍ଷ ହୋଲଡିଂ ଟ୍ୟାକ୍ସରୁ ୧୩୨ କୋଟି ଟଙ୍କା ରାଜସ୍ବ ପାଇବାକୁ ଲକ୍ଷ୍ୟ ରଖିଥିବା ବେଳେ ଏପର୍ଯ୍ୟନ୍ତ ୮୦କୋଟି ଟଙ୍କା ମିଳିଛି। ବିଏମସି ସବୁ ପ୍ରକାର ପୌର ସେବା ଯୋଗାଉଥିବାରୁ ସଂସ୍ଥାଗୁଡ଼ିକ ବିଏମସିର ପ୍ରାପ୍ୟ ଦେବା ଉଚିତ।”

ବିଏମସି ତାଲିକାରେ ୧ କୋଟି ଟଙ୍କାରୁ ଅଧିକ ଟିକସ ଖିଲାପକାରୀ ବର୍ଗରେ ୧୬ ଜଣ ରହିଥିବାବେଳେ ୫୦ ଲକ୍ଷରୁ ୧ କୋଟି ଟଙ୍କା ହୋଲଡିଂ ଟ୍ୟାକ୍ସ ଖିଲାପକାରୀଙ୍କ ଭିତରେ ୧୫ ଜଣଙ୍କ ନାଁ ରଖିଥିଲା। ହୋଲଡିଂ ଟ୍ୟାକ୍ସ ଖିଲାପକାରୀଙ୍କ ତାଲିକା ସଂପର୍କରେ ମାର୍ଚ୍ଚ ୧୨ ତାରିଖରେ ଅଧିକାଂଶ ଓଡ଼ିଆ ଓ ଇଂଲିଶ ମିଡିଆ ରିପୋର୍ଟ ପ୍ରକାଶ କରିଥିଲେ।

ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନ୍‌ଗୋ

Odisha Bmc Mayor Sulata Deo