Naveen
କିଛି ନକରି ବି ଘରେ ବସି ଜଣେ ସବୁକିଛିର ଶ୍ରେୟ ନେଉଥିଲେ । ଏବେ ଜଣେ ସବୁ କରି ମଧ୍ୟ ଶ୍ରେୟ ନେଇପାରୁନାହାନ୍ତି କିମ୍ବା ସମ୍ଭବତଃ ନେବାକୁ ଚାହୁଁନାହାନ୍ତି । ଯଦିଓ ନିଜ ସରକାରର ଭାବମୂର୍ତ୍ତି ରକ୍ଷା ଓ ନିଜର ନେତୃତ୍ୱ ଦକ୍ଷତା ପ୍ରତିପାଦନ କରି ବିରୋଧୀ ଦଳଗୁଡ଼ିକର ସମସ୍ତ ପ୍ରସଙ୍ଗକୁ ପ୍ରଭାବହୀନ କରାଇବାରେ ସକ୍ଷମ ହେଉଛନ୍ତି । ଆଉ ବିରୋଧୀ ଦଳଗୁଡ଼ିକ କୌଣସି ଗୋଟିଏ ପ୍ରସଙ୍ଗରେ ସରକାରଙ୍କୁ ଅଡ଼ୁଆରେ ପକାଇବା ତ ଦୂରର କଥା ୨-୩ଦିନ ମଧ୍ୟ ସେହି ପ୍ରସଙ୍ଗକୁ ଜାବୁଡ଼ି ରଖିବାରେ ସଫଳ ହୋଇପାରୁନାହାନ୍ତି ।
ଓଡ଼ିଶାରେ ପ୍ରମୁଖ ପ୍ରସଙ୍ଗ ଓ ସମସ୍ୟାଗୁଡ଼ିକୁ ନେଇ ବିରୋଧୀ ଦଳଗୁଡ଼ିକର ଆଭିମୁଖ୍ୟ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶେଷ ୫ବର୍ଷର କାର୍ଯ୍ୟକାଳ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ସରକାରର ବର୍ଷପୂର୍ତ୍ତି ପାଳନ ପରେ ଆପଣାଇଥିବା ଆଭିମୁଖ୍ୟ ସିଧାସଳଖ ‘ମୋହନଙ୍କ ଆକ୍ସନମୋଡ୍’ର ପ୍ରମାଣ ଦେଇଛି । ଯାହାକି ଏବେ ରାଜନୀତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।
ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଜେଲ୍ ପଠାଇବା ହେଉ ଅବା ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀ ଆତ୍ମହାହ ମାମଲାରେ ଏବିଭିପି (ବିଜେପିର ଛାତ୍ର ଶାଖା)ର ଦୁଇଜଣ ଛାତ୍ର ନେତାଙ୍କୁ ଗିରଫ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ସରକାରଙ୍କ ଅପରାଧ ବିରୁଦ୍ଧରେ ‘ଜିରୋ ଟଲେରାନ୍ସ’ ଆଭିମୁଖ୍ୟର ପ୍ରମାଣ ଦେବା ସହ ବିଜେପି କର୍ମୀ-ନେତାମାନଙ୍କୁ ମଧ୍ୟ କଡ଼ାସନ୍ଦେଶ ଦେବାକୁ ପ୍ରୟାସ କରିଥିବା ଚର୍ଚ୍ଚା ହେଉଛି ।
ବିଜେପି କର୍ମୀ-ନେତାଙ୍କୁ କଡ଼ା ସନ୍ଦେଶ
ସୂତ୍ର ଅନୁସାରେ, ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଦଳୀୟ କର୍ମୀ-ନେତାମାନେ ଅଧିକ ଉତ୍ସାହିତ ହୋଇ ବ୍ଲକଠୁ ଆରମ୍ଭ କରି ଥାନା ଓ ସରକାରୀ ଅଫିସଗୁଡ଼ିକରେ ନିଜର ପତିଆରା ଦେଖାଇ ଆଇନକୁ ହାତମୁଠାକୁ ନେଉଥିବାର ମାତ୍ରାଧିକ ଅଭିଯୋଗ ସରକାରଙ୍କ ପାଇଁ ମୁଣ୍ଡବ୍ୟଥା ବଢ଼ାଇଥିଲା । ଦଳୀୟ ନେତା-କର୍ମୀମାନଙ୍କ ଏଭଳି ଆଭିମୁଖ୍ୟ ଯୋଗୁ ସରକାର ସମାଲୋଚିତ ହେଉଥିଲେ ମଧ୍ୟ ଦଳପ୍ରୀତି ଆଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଷ୍ପ୍ରଭ ହୋଇପଡ଼ିଥିଲେ । ମାତ୍ର ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ମାମଲାରେ ମୋହନ ସରକାର ଯେଭଳି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ତାହା ବିରୋଧୀ ଦଳକୁ ନିରବ ରହିବାକୁ ଏକରକମ ବାଧ୍ୟ କରିଦେଇଥିବା ଚର୍ଚ୍ଚା ହେଉଛି ।
ଅତିରିକ୍ତ କମିଶନର ଶ୍ରୀ ସାହୁଙ୍କୁ ଆକ୍ରମଣ କରିଥିବା ୬ଜଣ ଦଳୀୟ କର୍ମୀଙ୍କୁ ପୁଲିସ ୨୪ଘଣ୍ଟା ମଧ୍ୟରେ ଗିରଫ କରି ଜେଲ୍ ପଠାଇଥିଲା । ଜଗନ୍ନାଥଙ୍କୁ ଗିରଫ ନିମନ୍ତେ ଆନ୍ଦୋଳନ କରୁଥିବା ଓଏଏସ୍ ସଂଘ ମଧ୍ୟରେ ଫାଟ ସୃଷ୍ଟି ହୋଇସାରିଥିଲା । ଯାହାର ଫାଇଦା ଉଠାଇ ସରକାର ଚାହିଁଥିଲେ ନିଜ ଦଳର ନେତାଙ୍କୁ ସୁରକ୍ଷା ଦେଇପାରିଥାନ୍ତେ । ମାତ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସେଭଳି କରିନଥିଲେ ।
ତାଙ୍କ ନିର୍ଦ୍ଦେଶ ବିନା ମଧ୍ୟ ଜଗନ୍ନାଥଙ୍କୁ ପୁଲିସ ଛୁଇଁବା ସମ୍ଭବପର ନଥିଲା । ତେବେ ଜଗନ୍ନାଥଙ୍କୁ ଗିରଫ କରି ମୋହନ ଖୋଲାଖୋଲି ଭାବେ ଦଳୀୟ କର୍ମୀ-ନେତାମାନଙ୍କୁ ‘ଅରାଜକତା’ ସୃଷ୍ଟି କଲେ ଅନୁରୂପ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ିବ ବୋଲି ଚେତାଇ ଦେଇଛନ୍ତି । ଅବଶ୍ୟ ଜଗନ୍ନାଥଙ୍କ ଗିରଫ ଓ ଜେଲରେ ୬ଦିନ ରହିବାକୁ ନେଇ ବିଜେପି ପକ୍ଷରୁ ତାଙ୍କୁ ‘ହିରୋ’ କରାଯିବାର ପ୍ରୟାସ ହେଲା, ମାତ୍ର ନିଜ ସରକାର ଥାଇ ମଧ୍ୟ ଓ ଆକ୍ରମଣରେ ପ୍ରତ୍ୟକ୍ଷ ସମ୍ପୃକ୍ତି ନଥାଇ ୬ଦିନ ଜେଲରେ ରହିବାର କଷ୍ଟ ଜଗନ୍ନାଥ ପ୍ରଧାନଙ୍କୁ ଭୋଗିବାକୁ ପଡ଼ିଲା।
ସେହିପରି ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀ ଆତ୍ମଦାହ ଘଟଣାର ପ୍ରାୟ ୨୩ଦିନ ପରେ ଗତକାଲି ରାତିରେ (ଅଗଷ୍ଟ ୩ତାରିଖ) ଏବିଭିପି ସହ ଜଡ଼ିତ ଦୁଇଜଣ ଛାତ୍ର ନେତା ଜ୍ୟୋତିପ୍ରକାଶ ବିଶ୍ୱାଳ ଓ ଶୁଭ୍ରସମ୍ବିତ ନାୟକଙ୍କୁ ପୁଲିସ ଗିରଫ କରି ଜେଲ୍ ପଠାଇଛି । ବାଲେଶ୍ୱର ଛାତ୍ରୀ ଆତ୍ମଦାହ ଓ ମୃତ୍ୟୁ ଘଟଣା ଏବେ ଗଣମାଧ୍ୟମଠୁ ଆରମ୍ଭ କରି ବିରୋଧୀ ଦଳଙ୍କ ପର୍ଯ୍ୟନ୍ତ ସବୁଠି ଥମିଯାଇଥିବା ସତ୍ତ୍ୱେ ଏବିଭିପି ରାଜ୍ୟ ସମ୍ପାଦକ ଶ୍ରୀ ନାୟକ ଓ ତାଙ୍କ ସହଯୋଗୀ ଶ୍ରୀ ବିଶ୍ୱାଳଙ୍କୁ ପୁଲିସ ଗିରଫ କରିଛି ।
ମୁଖ୍ୟମନ୍ତ୍ରୀ ତଥା ଗୃହ ବିଭାଗର ମନ୍ତ୍ରୀଙ୍କ ବିନା ଅନୁମତିରେ ତାଙ୍କ ଦଳର ଦୁଇଜଣ ଛାତ୍ରନେତାଙ୍କୁ ଗିରଫ ସମ୍ଭବପର ହୋଇନଥିବ । ସରକାର ଚାହିଁଥିଲେ ଏହି ଘଟଣାରେ ଆଉ କାର୍ଯ୍ୟାନୁଷ୍ଠାନ ନନେଇ ଚୁପଚାପ୍ ବସିପାରିଥାନ୍ତେ । କିନ୍ତୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅପରାଧ ବିରୁଦ୍ଧରେ ‘ଜିରୋ ଟଲେରାନ୍ସ’ ନୀତିକୁ ଆପଣାଇ ନିଜର କାର୍ଯ୍ୟଦକ୍ଷତାର ପ୍ରମାଣ ଦେଇଛନ୍ତି ।
ଶ୍ରେୟ ନେଇପାରୁନାହାନ୍ତି ମୋହନ
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା- ବିଏମସି ଅତିରିକ୍ତ କମିଶନର ଆକ୍ରମଣ ମାମଲା ଓ ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ଘଟଣାରେ ବିଜେପି ସହ ଜଡ଼ିତ ନେତାମାନେ ସାମିଲ ଥିଲେ ମଧ୍ୟ ସେମାନଙ୍କୁ ଜେଲ୍ ପଠାଇବାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯଦିଓ ସକ୍ଷମ ହୋଇଛନ୍ତି କିନ୍ତୁ ତା’ର ଶ୍ରେୟ ନେଇ ପାରିନାହାନ୍ତି । ଏହାକୁ ତାଙ୍କ ସରକାରଙ୍କ କଠୋର ପ୍ରଶାସନିକ ନିଷ୍ପତ୍ତିର ପ୍ରମାଣ ବୋଲି ତାଙ୍କ ଦଳ ମଧ୍ୟ ପ୍ରଚାର କରିବାକୁ କୁଣ୍ଠାବୋଧ କରୁଥିବା ଚର୍ଚ୍ଚା ହେଉଛି । ସୂତ୍ର ଅନୁସାରେ, ରାଜ୍ୟରେ ଡ୍ରାଇଭର ଆନ୍ଦୋଳନ ହେଉ ଅବା କର୍ମଚାରୀଙ୍କ ଆନ୍ଦୋଳନରେ ମଧ୍ୟ ମୋହନ ହସ୍ତକ୍ଷେପ କରି ବେଶ୍ ଚତୁରତାର ସହ ସେହି ଆନ୍ଦୋଳନର ପରିସମାପ୍ତି ଘଟାଇଥିଲେ ।
ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କ ପଂଚମ ପାଳି ସରକାରରେ ଯାହାବି ଦୁର୍ନୀତି ଓ ଅପରାଧ ସାମ୍ନାକୁ ଆସିଛି ତଥା ସେଥିରେ ବିଜେଡି ନେତାଙ୍କ ସମ୍ପୃକ୍ତି ଆସିଛି ସେହି ସମସ୍ତ ଘଟଣାକୁ ଚପାଇ ଦିଆଯାଇଛି । ନବ ଦାସ,ମମିତା ମେହେର, ମାହଙ୍ଗା ଡବଲ ମର୍ଡର, ରୁଚିକା ଆତ୍ମହତ୍ୟା-ସ୍ମିତାରାଣୀ ହତ୍ୟା, ସଞ୍ଜୟ ଦାସବର୍ମାଙ୍କ ପିଏସଓ ହତ୍ୟା ଭଳି ଘଟଣାରେ ବିଜେଡି ନେତାମାନଙ୍କ ସମ୍ପୃକ୍ତି ଓ ବହୁ ଦୁର୍ନୀତି ଅଭିଯୋଗର ପୁଳାପୁଳା ପ୍ରମାଣ ଥାଇ ମଧ୍ୟ କ୍ରାଇମବ୍ରାଂଚ ନିରବ ରହିଥିଲା ।
ନବୀନ ନିଜର ଶେଷ ମୁଖ୍ୟମନ୍ତ୍ରୀତ୍ୱ ପାଳିରେ ନବୀନ ନିବାସର ଚାରିକାନ୍ଥ ଭିତରେ ଆବଦ୍ଧ ହୋଇ ଏସବୁ ଘଟଣାରେ ର୍ଦୁନାମ ମୁଣ୍ଡାଇବା ପରିବର୍ତ୍ତେ ବିଭିନ୍ନ ଭଲ କାର୍ଯ୍ୟର ଶ୍ରେୟ କିଭଳି ନେବେ ସେଥିପାଇଁ ସବୁ ବ୍ୟବସ୍ଥା ହୋଇଥିଲା। ଏବେ ସରକାରର ବର୍ଷକ ପରେ ମୋହନ ନିରବତା ସହ କଠୋର ଆକ୍ସନ ନେଇ କାର୍ଯ୍ୟ କରୁଥିଲେ ମଧ୍ୟ ସେ ଶ୍ରେୟ ନନେବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Naveen_1754310714.jpg)