Advertisment

ଷ୍ଟିଲ୍‌ ସିଟିରେ ଝାଡ଼ାବାନ୍ତି ବ୍ୟାପିବା ପଛରେ କିଏ?

ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଛି। ୫୯୫ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୩୪୩ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ମଧ୍ୟରୁ ୧୪୫ ଜଣ ସୁସ୍ଥ ହୋଇ ଘରକୁ ଯାଇଛନ୍ତି।

Rourkela

Rourkela

Advertisment

ଷ୍ଟିଲ୍‌ ସିଟି ରାଉରକେଲାର ସ୍ଥିତି ବେହାଲ୍‌। ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଗୋଟିଏ ପଡ଼ାରୁ ଅନ୍ୟ ପଡ଼ାକୁ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି। ଗତ ସାତ ଦିନରେ ବେହାଲ୍‌ ହେଲାଣି ଷ୍ଟିଲ୍‌ ସିଟିର ଅବସ୍ଥା। ଗଲାଣି ୬ଟି ମୂଲ୍ୟବାନ ଜୀବନ। ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ସରକାରୀ ଓ ଘରୋଇ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ସବୁଠାରୁ ଦୁଃଖର ବିଷୟ ସରକାରୀ ମେଡ଼ିକାଲ୍‌ରେ ରୋଗୀଙ୍କ ଚିକିତ୍ସା ପାଇଁ ବେଡ୍‌ ନାହିଁ। ତେଣୁ ମେଡ଼ିକାଲ୍‌ ଚଟ୍ଟାଣରେ ରୋଗୀ ସେବା ଚାଲିଥିବା ଅଭିଯୋଗ ହେଉଛି। ତେବେ ଏଠି ପ୍ରଶ୍ନ ଉଠୁଛି, ବାହାରୁ ଚକାଚକ୍‌ ଦିଶୁଥିବା ରାଉରକେଲା ସ୍ମାର୍ଟ ସିଟିରେ ଝାଡ଼ାବାନ୍ତି ବ୍ୟାପିବା ପଛରେ କିଏ? ଝାଡ଼ାବାନ୍ତି ବ୍ୟାପିବା ପରେ ଏବେ ଏମିତି ପ୍ରଶ୍ନ ପଚାରିଛନ୍ତି ରାଉରକେଲା ବାସୀ।

Advertisment

ଝାଡ଼ାବାନ୍ତି କବ୍‌ଜାରେ ରାଉରକେଲା! ଛେଣ୍ଡ କଲୋନୀଠୁ ଆରମ୍ଭ କରି ସିଭିଲ୍‌ ଟାଉନସିପ୍, ପାନପୋଷରୁ କୋଏଲ ନଗର; ଏବେ ସବୁଠି ସ୍ଥିତି ଗମ୍ଭିର। ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ପାର କଲାଣି। ହେଲେ ରୋଗୀ ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲରେ ବେଡ୍‌ର ଅଭାବ ଦେଖାଦେଇଛି। ରୋଗୀ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି। ଧୀରେ ଧୀରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ପ୍ରତିଦିନ ହସ୍ପିଟାଲରେ ଡାଇରିଆ ରୋଗୀଙ୍କ ସଂଖ୍ୟା ବଢୁଛି। ସ୍ଥିତି ବିଗୁଡ଼ୁଥିବା ଦେଖି ଜିଲ୍ଲା ପ୍ରଶାସନ ଭୁବନେଶ୍ୱରରୁ ଡାକ୍ତର, ନର୍ସ ଆଣି ଚିକିତ୍ସା କରାଯାଉଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି ଝାଡ଼ାବାନ୍ତି ବ୍ୟାପିଲା କାହିଁକି? ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗତ ୮ ଦିନ ହେଲା ଟ୍ୟାପରେ ଯେଉଁ ପାଣି ଆସୁଛି, ତାହା ସମ୍ପୂର୍ଣ୍ଣ ଭାବେ ଦୂଷିତ। ସେହି ପାଣିକୁ ପିଇ ଲୋକମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି।

Advertisment

ସେପଟେ ଦେଖିବାକୁ ମିଳିଛି, ରାଉରକେଲା ସହରରେ ୩୭ଟି ସ୍ଥାନରେ ପାଣି ପାଇପ୍‌ ଫାଟିଛି। ଏ ସମ୍ପର୍କରେ ଜାଣିପାରି WATCO ଗତ ଦୁଇ ଦିନ ହେଲା ମରାମତି କାର୍ଯ୍ୟରେ ଲାଗିଛି। ୨୦ଟି ଟିମ୍‌ ୩୭ଟି ସ୍ଥାନରେ ପାଇପ୍‌ ମରାମତି କାମ କରୁଛନ୍ତି। ଏ କାମର ତଦାରଖ କରୁଛନ୍ତି ପାନପୋଷ ଉପଜିଲ୍ଲାପାଳ। ସେ ରାଉରକେଲାର ବରିଷ୍ଠ ଅଧିକାରୀଙ୍କୁ ନେଇ ୪ଟି ଟିମ୍‌ ଗଠନ କରି କାମର ମାନ ଯାଞ୍ଚ କରୁଛନ୍ତି।

ଅନ୍ୟପକ୍ଷରେ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଛି। ୫୯୫ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୩୪୩ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ମଧ୍ୟରୁ ୧୪୫ ଜଣ ସୁସ୍ଥ ହୋଇ ଘରକୁ ଯାଇଛନ୍ତି। ୧୨ ରୁ ୧୪ଟି ୱାର୍ଡରୁ ଝାଡ଼ାବାନ୍ତି ମାମଲା ଆସୁଛି। ସେଥିପାଇଁ ୬ଟି ରାପିଡ୍‌ ରେସପନ୍ସ ଟିମ୍‌ ନିୟୋଜିତ ହୋଇଛନ୍ତି। ସୁନ୍ଦରଗଡ଼ ମେଡ଼ିକାଲ କଲେଜରୁ ୪ ଜଣ ଫ୍ୟାକଲଟିଙ୍କୁ ନିୟୋଜିତ କରାଯାଇଛି। ସିଡ଼ିଏମଓଙ୍କ ତରଫରୁ ୪ ଜଣ ଜୁନିୟର ଡାକ୍ତର ନିୟୋଜିତ କରାଯାଇଛି। ୧୨ ଜଣ ଷ୍ଟାଫ୍ ନର୍ସ ଓ ଦୁଇ ଜଣ ଟେକ୍ନିସିଆନଙ୍କୁ ପଠା ଯାଉଛି। ଆବଶ୍ୟକୀୟ ଔଷଧ ସରଞ୍ଜାମ ମହଜୁଦ ଅଛି। ପାଣି ପାଇଁ ଏମିତି ଝାଡା ବାନ୍ତି ବ୍ୟାପିଛି। ଲୋକ ମଧ୍ୟ କିଛି ଦିନ ହେଲା ପାଣିକୁ ନେଇ ଅଭିଯୋଗ କରିଥିଲେ। ଜଳ ବାହିତ ରୋଗ ବୋଲି ପ୍ରାଥମିକ ଯାଞ୍ଚରୁ ଜଣାପଡୁଛି। ପାଣିରେ କ୍ଲୋରିନ କମ ରହିଛି। ପାଣିରେ କ୍ଲୋରିନ ପରିମାଣ ବଢ଼େଇବା ପାଇଁ ୱାଟକୋକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

Rourkela
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe