Advertisment

କିଟ୍‌ରେ କାହିଁକି ବଢ଼ୁଛି ଆତ୍ମହତ୍ୟା ?

ଅନ୍ତର୍ଜାତୀୟ ସ୍ତରରେ କିଟ୍‌ ଯୋଗୁ ଓଡ଼ିଶା ବଦନାମ ମୁଣ୍ଡାଇଛି। ଏଥିରେ କିଟ କର୍ତ୍ତୃପକ୍ଷ ତାଳି ପକାଇବାକୁ ଲାଗିପଡ଼ିଛନ୍ତି।

author-image
Hemant Lenka
KIIT

KIIT

ରବିବାର ସନ୍ଧ୍ୟାରେ କିଟ୍ କ୍ୟାମ୍ପସ ହଷ୍ଟେଲରେ ଜଣେ ବିଦେଶୀ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ପୁଣି ଥରେ ଶିକ୍ଷାନୁଷ୍ଠାନ ପରିସରରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ପଦାକୁ ଆଣିଛି। ଛାତ୍ରଛାତ୍ରୀଙ୍କୁ ଠିକ୍ ସମୟରେ କାଉନସେଲିଂ ନଦେବାରୁ ସମସ୍ୟା ଜଟିଳ ହେଉଥିବା ଦେଖାଯାଉଛି। ରବିବାର ଆତ୍ମହତ୍ୟା କରିଥିବା ଛାତ୍ରୀ ପ୍ରକୃତି ଲାମସାମ ବିଟେକ୍ ତୃତୀୟ ବର୍ଷର ଜଣେ ଛାତ୍ରୀ। ସେ ନେପାଳର।

Advertisment

ଅନ୍ୟପଟରେ ତାଙ୍କର ସହପାଠୀ ବନ୍ଧୁ ଅଦ୍ୱିକ ଶ୍ରୀବାସ୍ତବ ବି ସେହି ବିଟେକ୍ ତୃତୀୟ ବର୍ଷର ଜଣେ ଛାତ୍ର। ସେ ମଧ୍ୟ ଜଣେ ନେପାଳର ଛାତ୍ର। ଉଭୟ ମେକାନିକାଲ ଇଂଜିନିୟରିଂର ଛାତ୍ରଛାତ୍ରୀ ହୋଇଥିବାବେଳେ ପରସ୍ପରଙ୍କ ଭିତରେ ପ୍ରେମ ସଂପର୍କ ଥିଲା । ପ୍ରେମ ସଂପର୍କରେ ବିଫଳତା ଓ ମେନାମାଳିନ୍ୟ ଆତ୍ମହ୍ୟତାର କାରଣ ବୋଲି କିଟର ରେଜିଷ୍ଟ୍ରାର୍ ଜୟନାରାୟଣ ମହାନ୍ତି ଦର୍ଶାଇଛନ୍ତି।

ଛାତ୍ରୀଙ୍କ ଆତ୍ମହତ୍ୟା ପରେ କିଟ ମେନ ଗେଟ ଆଗରେ ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିଲେ। ସେମାନେ ଅଭିଯୁକ୍ତ ଛାତ୍ରକୁ ଗିରଫ କରିବାକୁ ଦାବି କରି ଧାରଣା ଦେଇଥିଲେ। ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି, ପୁଅଟି ଝିଅଟିକୁ ହଇରାଣ କରୁଥିବା କଥା ସେ କିଟର ଇଣ୍ଟରନେସନାଲ୍ ରିଲେସନ୍‌ସ ଅଫିସ ବା IROରେ ଜଣାଇଥିଲା। ମାତ୍ର ବିଦେଶୀ ଛାତ୍ରଙ୍କ ସମସ୍ୟା ବୁଝୁଥିବା ଏହି ସେଲ୍ ଏହାର ସମାଧାନ ପାଇଁ ଅଧିକ ଉଦ୍ୟମ କରିନଥିଲା। ତେବେ ପରେ ପୁଲିସ୍ ଅଭିଯୁକ୍ତ ଛାତ୍ର ଶ୍ରୀବାସ୍ତବକୁ ଗିରଫ କରିଛି।

Advertisment

ସବୁ ନେପାଳୀ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ଛାଡ଼ିବାକୁ କିଟ୍‌ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ। ନେପାଳୀ ପିଲାମାନଙ୍କୁ ମାଡ଼ ମରାଯାଇ କ୍ୟାମ୍ପସରୁ ବାହାର କରି ଦିଆଯାଇଛି। ମାଡ଼ ମରା ଯିବା ବେଳର ଭଡିଓ ମଧ୍ୟ ଆସିଛି। ଏହାକୁ ନେଇ ସାରା ଦେଶ ସମେତ ନେପାଳରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିବାଦ ବଢ଼ୁଥିବାରୁ ପ୍ରଥମେ ନେପାଳୀ ଶିକ୍ଷାର୍ଥୀଙ୍କୁ ବିଦା କରି ଦେଇଥିବା କିଟ କର୍ତ୍ତୃପକ୍ଷ ନିଜ ସ୍ୱର ବଦଳାଇଛନ୍ତି। ସନ୍ଧ୍ୟା ସମୟରେ କିଟ କର୍ତ୍ତୃପକ୍ଷ ଗୋଟିଏ ନୋଟିସ ଜାରି କରି ନେପାଳୀ ଶିକ୍ଷାର୍ଥୀ ଚାହିଁଲେ କ୍ୟାମ୍ପସ ମଧ୍ୟରେ ରହିପାରିବେ ବୋଲି କହିଛନ୍ତି।  

କିନ୍ତୁ ଅନ୍ତର୍ଜାତୀୟ ସ୍ତରରେ କିଟ୍‌ ଯୋଗୁ ଓଡ଼ିଶା ବଦନାମ ମୁଣ୍ଡାଇଛି। ଏଥିରେ କିଟ କର୍ତ୍ତୃପକ୍ଷ ତାଳି ପକାଇବାକୁ ଲାଗିପଡ଼ିଛନ୍ତି।  ତେବେ କିଟରେ ଆତ୍ମହତ୍ୟା ଘଟଣା ନୂଆ ନୁହେଁ। 

ପୂର୍ବରୁ 2023 ଏପ୍ରିଲରେ କିଟରେ ପଢ଼ୁଥିବା ଜଣେ ଉତ୍ତର ପ୍ରଦେଶ ଛାତ୍ରୀ ମଧ୍ୟ ଆତ୍ମହତ୍ୟା କରିଥିବା ମାମଲା ଇନଫୋସିଟି ଥାନାରେ ରୁଜୁ ହୋଇଥିଲା। ସେହିଭଳି ପ୍ରେମରେ ବିଫଳତା ଓ ଅନ୍ୟାନ୍ୟ ସାମାଜିକ କାରଣରୁ କିଛି ଛାତ୍ରଛାତ୍ରୀ ଚାପରେ ଆତ୍ମହତ୍ୟା କରୁଛନ୍ତି ବୋଲି ଇନଫୋସିଟି ପୁଲିସ୍‌ ସୂଚନା ଅଧିକାର ଆଇନରେ ଦର୍ଶାଇଥିଲା। କିଟରେ 34ଟି ପାଠ୍ୟକ୍ରମରେ ପ୍ରାୟ ପ୍ରାୟ 27 ହଜାର ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି।

ଆଉ ଏଥିରେ ଅଛନ୍ତି ପ୍ରାୟ 65ଟି ଦେଶରୁ ଆସିଥିବା 2 ହଜାର ଛାତ୍ରଛାତ୍ରୀ। ସେମାନଙ୍କୁ ଠିକ ସମୟରେ କାଉନସେଲିଂ କରାନଯିବାରୁ କେତେକ ଛାତ୍ରୀ ଆତ୍ମହତ୍ୟା କୁରଥିବାବେଳେ ଓ କେତେକ ଛାତ୍ର ଅପରାଧିକ ମାମଲାରେ ଜଡ଼ିତ ହୋଇଯାଉଥିବା ଦେଖାଯାଉଛି।

ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ

Odisha KIIT Bhubaneshwar KIIT