Advertisment

ନବ ଦାସଙ୍କ ହତ୍ୟାର ସିବିଆଇ ତଦନ୍ତ ହେବ?

‘ଓଡ଼ିଶାରେ ଅନେକ ମାମଲାରେ ରାଜ୍ୟର ତଦନ୍ତକାରୀ ସଂସ୍ଥା- କ୍ରାଇମ ବ୍ରାଞ୍ଚ ପ୍ରକୃତ ତଥ୍ୟ ପଦାକୁ ନ ଆଣି ବଡ଼ ନେତାମାନଙ୍କୁ ସୁରକ୍ଷା ଦେଉଥିବା ଦେଖାଯାଉଛି।’

ଅଦ୍ୟତନ ହୋଇଛି
Naba das and Gopal das

Naba das and Gopal das

Advertisment

ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ହେବ କି ସିବିଆଇ ତଦନ୍ତ? ଜୁଲାଇ ୨୯ ତାରିଖରେ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ। କ୍ରାଇମ ବ୍ରାଞ୍ଚ ଅନେକ ତଦନ୍ତରେ ସତ୍ୟ ପଦାକୁ ଆଣୁନଥିବା ଅଭିଯୋଗ କରି ସୁପ୍ରିମକୋର୍ଟରେ ଏ ନେଇ ପିଟିସନ୍ ଦାୟର କରିଛନ୍ତି ମାନବାଧିକାର କର୍ମୀ ପିନାକ ପାଣି ମହାନ୍ତି।

Advertisment

କଟକ ଜିଲ୍ଲାର ସାମାଜିକ କର୍ମୀ ପିନାକ ପାଣି ମହାନ୍ତିଙ୍କ ପିଟିସନ୍ ପାଇଁ ସୁପ୍ରିମକୋର୍ଟ ଗତ ବର୍ଷ ମାର୍ଚ୍ଚ ୨୯ରେ ଏକ ଉଲ୍ଲେଖନୀୟ ରାୟ ଦେଇ ସାହାର ଗ୍ରୁପର ଲକ୍ଷାଧିକ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ଏବେ ସେ ଓଡ଼ିଶାର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରି ନିଜେ ପକ୍ଷ ରଖିଛନ୍ତି। ସେ ତାଙ୍କ ପିଟିସନରେ ଅଭିଯୋଗ କରିଛନ୍ତି, ଓଡ଼ିଶାରେ ଅନେକ ମାମଲାରେ ରାଜ୍ୟର ତଦନ୍ତକାରୀ ସଂସ୍ଥା- କ୍ରାଇମ ବ୍ରାଞ୍ଚ ପ୍ରକୃତ ତଥ୍ୟ ପଦାକୁ ନ ଆଣି ବଡ଼ ନେତାମାନଙ୍କୁ ସୁରକ୍ଷା ଦେଉଥିବା ଦେଖାଯାଉଛି। ଗତ ବର୍ଷ ଜାନୁଆରୀ ମାସ ୨୯ ତାରିଖରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲା ଏଏସଆଇ ଗୋପାଳ ଦାସ। ଗୋପାଳର ମାନସିକ ସ୍ଥିତି ଠିକ ଥିଲେ ବି ପୂର୍ବ ରାଗ କାରଣରୁ ସେ ନବ ଦାସଙ୍କୁ ହତ୍ୟା କରିଥିବା କ୍ରାଇମ ବ୍ରାଞ୍ଚ ଚାର୍ଜସିଟରେ ଉଲ୍ଲେଖ କରିଛି। ମାତ୍ର ଏହା ପଛରେ ଶାସକ ଦଳର ଅନେକ ବଡ଼ ନେତା ରହିଥିବା ସେ ଅଭିଯୋଗ ଆଣିଛନ୍ତି। ତେଣୁ ସତ ପଦାକୁ ଆସିବା ପାଇଁ ସିବିଆଇ ଏହି ମାମଲାର ତଦନ୍ତ କରୁ ବୋଲି ସେ ପ୍ରାର୍ଥନା କରିଛନ୍ତି। ସୁପ୍ରିମକୋର୍ଟର ଦୁଇ-ଜଣିଆ ଖଣ୍ଡପୀଠ ଚଳିତ ମାସ ୧୫ ତାରିଖରେ ତାଙ୍କ ମାମଲାର ଶୁଣାଣି କରିଥିଲେ। ଏ ନେଇ ଆସନ୍ତା ଜୁଲାଇ ୨୯ ତାରିଖରେ ମାମଲାର ଶୁଣାଣି ହେବ ବୋଲି ତାରିଖ ଧାର୍ଯ୍ୟ କରିଛନ୍ତି।

Advertisment

ନବ ଦାସଙ୍କ ହତ୍ୟା ରାଜ୍ୟର ଏକ ବହୁ ଚର୍ଚ୍ଚିତ ମାମଲା ହୋଇଥିବା ବେଳେ ଏ ନେଇ ସିବିଆଇ ତଦନ୍ତ ହେଉଛି କି ନାହିଁ, ଓ ତାଙ୍କ ପିଟିସନ୍ ଆଧାରରେ ରାଜ୍ୟର ଅନ୍ୟାନ୍ୟ ଦୁର୍ନୀତି ଅଭିଯୋଗ ଉପରେ ସୁପ୍ରିମକୋର୍ଟ କିଭଳି ଆଭିମୁଖ୍ୟ ରଖୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ରିପୋର୍ଟ- ଭୁବନେଶ୍ୱରରୁ ଲକ୍ଷ୍ମୀନାରାୟଣ କାନୁନଗୋ‌

CBI Supreme Court Naba Das Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe