/odisha-reporter/media/post_attachments/uploadimage/library/16_9/16_9_0/IMAGE_1743518016.jpg)
Lok Seva Bhawan
ରାଜ୍ୟରେ ମହିଳା ବିରୋଧୀ ହିଂସା ଓ ନିର୍ଯାତନା ମାମଲା ବୃଦ୍ଧିକୁ ନେଇ ବିରୋଧୀ ଦଳଗୁଡ଼ିକର ତୁମ୍ବିତୋଫାନ୍ ମଧ୍ୟରେ ରାଜ୍ୟ ସରକାର ମହିଳାମାନେ ରାତି ସିଫ୍ଟରେ କାର୍ଯ୍ୟ କରିବାକୁ ନେଇ ଏକ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ମହିଳାଙ୍କ ପାଇଁ ରୋଜଗାର ସୁଯୋଗ ବୃଦ୍ଧି କରିବା ଏବଂ ‘ଇଜ ଅଫ ଡୁଇଂ ବିଜନେସ’କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏବଂ ମହିଳାଙ୍କ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବା ନିମନ୍ତେ ଏହି ଗାଇଡଲାଇନ୍ ଜାରି କରିଛନ୍ତି ।
ଯଦିଓ ୨୦୨୨ ଜୁଲାଇ ୩୧ତାରିଖରେ ଓଡ଼ିଶା ସରକାର ମହିଳାମାନଙ୍କୁ ରାତି ସିଫ୍ଟରେ କାର୍ଯ୍ୟ କରିବାକୁ ଅନୁମତି ଦେଇ ‘ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ-୧୯୫୬’ର ଧାରା ୨୩କୁ କୋହଳ କରିଥିଲେ ମାତ୍ର ୨୦୨୫ ଜୁଲାଇ ୩୧ତାରିଖରେ ଜାରି ବିଜ୍ଞପ୍ତିରେ ପୂର୍ବର ଏହି ଆଦେଶକୁ ରଦ୍ଦ କରି ମହିଳାଙ୍କୁ ରାତି ସିଫ୍ଟରେ କାର୍ଯ୍ୟ କରିବା ପାଇଁ ଅନୁମତି ଦେବା ଉଦ୍ଦେଶ୍ୟରେ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜ୍ୟ ଇଏସଆଇ ଓ ଶ୍ରମ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି ।
ମହିଳାଙ୍କୁ ରାତି ସିଫ୍ଟରେ କାମ: ୧୧ସୂତ୍ରୀୟ ଗାଇଡଲାଇନ୍ ଜାରି
୧- ରାତି ସିଫ୍ଟରେ କାମ କରିବା ପାଇଁ ମହିଳା କର୍ମଚାରୀଙ୍କ ଲିଖିତ ସମ୍ମତି ନେବା ବାଧ୍ୟତାମୂଳକ ।
୨- ସିଫ୍ଟରେ ଅତି କମରେ ତିନିଜଣ ମହିଳା କର୍ମଚାରୀ ରହିବା ଆବଶ୍ୟକ, ଯେଉଁଥିରେ ଅନସାଇଟ ମହିଳା ନିଯୁକ୍ତିଦାତା ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରିବେ ।
୩-ମହିଳାମାନଙ୍କୁ ସେମାନଙ୍କ ବାସସ୍ଥାନ ନିକଟରୁ ଆଣିବା ଓ ଛାଡ଼ିବା ପାଇଁ ଜିପିଏସ ଟ୍ରାକିଂ ସିଷ୍ଟମ୍ ସହିତ ସୁରକ୍ଷିତ ପରିବହନ ସୁବିଧା ଦେବାକୁ ହେବ ।
୪-ନିଯୁକ୍ତିଦାତାଙ୍କୁ ରାତି ସିଫ୍ଟ ପାଇଁ ବ୍ୟବହୃତ ଗାଡ଼ିର ପ୍ରତ୍ୟେକ ଡ୍ରାଇଭରଙ୍କ ବାୟୋ-ଡାଟା ଓ ପୁଲିସ୍ ଭେରିଫିକେସନ୍ କରାଇବାକୁ ହେବ ।
୫-କାର୍ଯ୍ୟସ୍ଥଳରେ ଶୌଚାଳୟ, ୱାଶରୁମ ଓ ପାନୀୟ ଜଳର ଉପଯୁକ୍ତ ସୁବିଧା ରହିବା ଆବଶ୍ୟକ, ଯେଉଁଥିରେ ସିସିଟିଭି କ୍ୟାମେରା ଓ ଯଥେଷ୍ଟ ଆଲୋକ ବ୍ୟବସ୍ଥା ରହିବ ।
୬-କାର୍ଯ୍ୟସ୍ଥଳ ଓ ପରିବହନ ଗାଡ଼ିରେ ମହିଳା ହେଲ୍ପଲାଇନ ନମ୍ବର (୧୮୧) ଓ ଶ୍ରମ ବିଭାଗର ହେଲ୍ପଲାଇନ ନମ୍ବର (୧୮୦୦୩୪୫୬୭୦୩) ପ୍ରମୁଖ ଭାବେ ପ୍ରଦର୍ଶନ କରାଯିବ ।
୭-ଦିନ ସିଫ୍ଟରୁ ରାତି ସିଫ୍ଟକୁ ବା ତା’ର ବିପରୀତ ସିଫ୍ଟ ବଦଳାଇବା ସମୟରେ, କ୍ରମାଗତ ୮ ଘଂଟା ବିଶ୍ରାମ ଦେବା ବାଧ୍ୟତାମୂଳକ ।
୮-‘କାର୍ଯ୍ୟସ୍ଥଳରେ ମହିଳାଙ୍କ ଯୌନ ଉତ୍ପୀଡ଼ନ (ନିବାରଣ, ନିଷେଧ ଓ ନିରାକରଣ) ଆଇନ, ୨୦୧୩’ର ପାଳନ ବାଧ୍ୟତାମୂଳକ ।
୯-ଯେକୌଣସି ନିଯୁକ୍ତିଦାତା ଯିଏ ମହିଳାମାନଙ୍କୁ ରାତିରେ କାମରେ ନିୟୋଜିତ କରିବେ, ତାଙ୍କୁ ବିଭାଗର ନିର୍ଦ୍ଧାରିତ ୱେବସାଇଟରେ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ସ୍ୱ-ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ ଯେ ସେ ସମସ୍ତ ସର୍ତ୍ତକୁ ପାଳନ କରିି ବିଜ୍ଞପ୍ତିରେ ଉଲ୍ଲେଖିତ ସବୁ ସୁବିଧା ପ୍ରଦାନ କରିଛନ୍ତି ଏବଂ ମହିଳା କର୍ମଚାରୀଙ୍କ ସୁରକ୍ଷା, ନିରାପତ୍ତା ଓ ସମ୍ମାନ ନେଇ ଯଥେଷ୍ଟ ଯତ୍ନ ଓ ସତର୍କତା ଅବଲମ୍ବନ କରିବେ ।
୧୦-କୌଣସି କିଶୋର-କିଶୋରୀଙ୍କୁ ରାତିରେ କୌଣସି ପ୍ରତିଷ୍ଠାନରେ କାମ କରିବାକୁ ଅନୁମତି ଦିଆଯିବ ନାହିଁ ।
୧୧- ଏହି ସର୍ତ୍ତଗୁଡ଼ିକର ପାଳନ ନ କଲେ ‘ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ, ୧୯୫୬’ର ଧାରା ୩୫ ଅନୁଯାୟୀ ଜରିମାନା ଲାଗୁ ହେବ ।
ସୂଚନାଯୋଗ୍ୟ, ଏଫଏମ କଲେଜ ଛାତ୍ରୀ ଆତ୍ମଦାହ ଘଟଣା ପରେ, ଓଡ଼ିଶା ସରକାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟରେ ମହିଳାଙ୍କ ସୁରକ୍ଷା ନିମନ୍ତେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ଗଠନ ବାଧ୍ୟତାମୂଳକ କରିଥିଲେ ।
ରାଜ୍ୟ ସରକାର ମହିଳାଙ୍କ ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି ଉପରେ ଗୁରୁତ୍ୱ ଦେଉଥିବାବେଳେ କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଗତମାସ ୧୭ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରି ମହିଳା ଶିକ୍ଷକ, କର୍ମଚାରୀ ଓ ଛାତ୍ରୀମାନଙ୍କୁ ସନ୍ଧ୍ୟା ସାଢ଼େ ୫ଟା ପରେ ପରେ ବିଶ୍ୱବିଦ୍ୟାଳୟ କ୍ୟାଂପସରେ ରହିବା ଉପରେ କଟକଣା ଜାରି କରିଥିଲେ । କିନ୍ତୁ ଏହାକୁ ନେଇ ବିବାଦ ହେବା ଓ ସରକାର ସମାଲୋଚିତ ହେବାରୁ କିଛି ଘଣ୍ଟା ମଧ୍ୟରେ ଏହି ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିନେଇଥିଲେ ।
ତେବେ ଶ୍ରମ ବିଭାଗର ଜୁଲାଇ ୩୧ତାରିଖର ନିର୍ଦ୍ଦେଶନାମା ରାଜ୍ୟରେ ମହିଳାଙ୍କ ସୁରକ୍ଷା, ସମ୍ମାନ ଓ ସଶକ୍ତିକରଣକୁ ସୁନିଶ୍ଚିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି ।
ଦେଶର ଅନ୍ୟ କେଉଁ ରାଜ୍ୟ ଦେଇଛନ୍ତି ଅନୁମତି
ମହିଳାମାନଙ୍କୁ ରାତି ସିଫ୍ଟରେ କାର୍ଯ୍ୟ ନିମନ୍ତେ ଅନୁମତି ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ନୁହେଁ । ଓଡ଼ିଶା ପୂର୍ବରୁ କର୍ଣ୍ଣାଟକ,କେରଳ, ତାମିଲନାଡୁ, ହରିୟାଣା, ତେଲେଙ୍ଗାନା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଦିଲ୍ଲୀରେ ଏଭଳି ଅନୁମତି ଦିଆଯାଇଛି । ଅବଶ୍ୟ ଦିଲ୍ଲୀ ସରକାର ରାତି ସିଫ୍ଟରେ ମହିଳାଙ୍କୁ କାର୍ଯ୍ୟ କରିବା ନିମନ୍ତେ ଅନୁମତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ରାଜ୍ୟପାଳଙ୍କ ମଞ୍ଜୁରୀ ପାଇପାରି ନାହିଁ ।
ଏହି ସମସ୍ତ ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷା ଓ ଗାରିମା ସୁନିଶ୍ଚିତ କରିବା ନିମନ୍ତେ କେତେକ ବାଧ୍ୟତାମୂଳକ ସର୍ତ୍ତ ଲାଗୁ କରିଛନ୍ତି । ଯେଉଁଥିରେ ମହିଳାଙ୍କ ଲିଖିତ ସହମତି, ସୁରକ୍ଷିତ ପରିବହନ, ସିସିଟିଭି ସର୍ଭିଲେନ୍ସ ଓ କର୍ମସ୍ଥଳରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି) ଗଠନ ଇତ୍ୟାଦି ସାମିଲ ବୋଲି ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
