ସ୍କୁଟି ଯୋଜନା : ଦରମା ବଢ଼ିଲାନି, ଇଏମଆଇ ପରିଶୋଧକୁ ନେଇ ଦ୍ୱନ୍ଦ୍ୱରେ ମହିଳା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମିଶନ ଶକ୍ତି ସ୍କୁଟର ଯୋଜନାର  ଶୁଭାରମ୍ଭ କରିଛନ୍ତି । ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ଆଉ ପାଦେ ଆଗକୁ ଯାଇଛି ।

ମହିଳାମାନେ ସ୍କୁଟିରେ ଯାଉଛନ୍ତି

  • Published: Wednesday, 11 October 2023
  • , Updated: 11 October 2023, 10:06 PM IST

 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ଏସଏଚଜି ମହିଳାମାନଙ୍କ ପାଇଁ ସ୍କୁଟି ଯୋଜନାକୁ ରାଜ୍ୟ ସରକାର ଆଜିଠୁ କାର୍ଯ୍ୟକ୍ଷମ କରିଛନ୍ତି । ପ୍ରାୟ ୨ଲକ୍ଷ ମିଶନ ଶକ୍ତି ମା’ ଓ ତୃଣମୂଳ ଷ୍ଟାଫଙ୍କୁ ଏହି ସ୍କୁଟି ଯୋଜନାର ଲାଭ ମିଳିବ । ଏହି ଯୋଜନାରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ମାଧ୍ୟମରେ ସ୍କୁଟି ଯୋଗାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇ କେବଳ ସୁଧଖର୍ଚ୍ଚ ବହନ କରିବେ ।  ତେବେ ମାସିକ ମାତ୍ର ୩ହଜାର ଟଙ୍କା ଦରମା ପାଉଥିବା (ତା’ପୁଣି ନିୟମିତ ପ୍ରତିମାସରେ ନୁହେଁ) ମହିଳା ଏସଏଚଜି ଓ ତୃଣମୂଳ ଷ୍ଟାଫ କେମିତି ସ୍କୁୂଟି ଋଣବାବଦ ବ୍ୟାଙ୍କ ଇଏମଆଇ ପରିଶୋଧ କରିବେ ତାକୁ ନେଇ ଆଶଙ୍କା ଦେଖାଦେଇଛି । ଏହି ମହିଳାମାନଙ୍କ ଦରମା ବୃଦ୍ଧି ନକରି ସରକାର ଓଲଟା ସେମାନଙ୍କୁ ଋଣ ଯନ୍ତା ଭିତରକୁ ଠେଲି ଦେବାକୁ ଷଡ଼ଯନ୍ତ୍ର କରିଥିବା ଚର୍ଚ୍ଚା ହେଉଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମିଶନ ଶକ୍ତି ସ୍କୁଟର ଯୋଜନାର  ଶୁଭାରମ୍ଭ କରିଛନ୍ତି । ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ଆଉ ପାଦେ ଆଗକୁ ଯାଇଛି । ନିଜ ପସନ୍ଦର ସ୍କୁଟି କିଣିବା ପାଇଁ କମ୍ୟୁନିଟି ସର୍ପୋଟ ଷ୍ଟାଫ, ବିଜିନେସ କରେସପୋଣ୍ଡେଣ୍ଟ ଏଜେଣ୍ଟ ଓ ଏକଜ୍ୟୁଟିଭ କମିଟି ମେମ୍ବରଙ୍କୁ ବିନା ସୁଧରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ସୁବିଧା ମିଳିବ । ଏହି ସ୍କୁଟର ହେଉଛି ମିଶନ ଶକ୍ତି ମା’ମାନଙ୍କ ପରିଚୟର ପ୍ରତୀକ, ଦକ୍ଷତାର ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ପ୍ରାୟ ୨ଲକ୍ଷ କମ୍ୟୁନିଟି ସର୍ପୋଟ ମା’ମାନଙ୍କୁ ପର୍ଯ୍ୟାୟକ୍ରମେ ଏହି ସ୍କୁଟି ଯୋଗାଇ ଦିଆଯିବ । ଏଥିପାଇଁ ରାଜ୍ୟ ସରକାର ସୁଧବାବଦରେ ୫୨୮କୋଟି ଟଙ୍କା ବହନ କରିବେ । ଆଜି ଯୋଜନାର ଶୁଭାରମ୍ଭରେ ୧୫ହଜାର ମା’ଙ୍କୁ ସ୍କୁଟର ଯୋଗାଇ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ଯେଉଁ ମହିଳାମାନଙ୍କୁ ରାଜ୍ୟ ସରକାର ଏବେ ସ୍କୁଟ ଋଣ ଯୋଗାଇ ଦେଉଛନ୍ତି ସେମାନେ କିଭଳି ନିଜର ଇଏମଆଇ ପରିଶୋଧ କରିବେ ତାହା ଚିନ୍ତା କରିଛନ୍ତି ତ? ରାଜ୍ୟରେ  କାର୍ଯ୍ୟରତ ଥିବା ଜିପିଏଲଏଫ, ପ୍ରାଣୀ ମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର ଆଦିମାନଙ୍କୁ ସରକାର ମାସିକ ୩ରୁ ୪ହଜାର ଟଙ୍କା ମଧ୍ୟରେ ଦରମା ଦେଉଛନ୍ତି । ଏପରିକି ବେଳେବେଳେ ୨-୩ମାସରେ ଥରେ ଦରମା ମିଳୁଛି । ଯଦି ଜଣେ ମହିଳା ସ୍କୁଟ ପାଇଁ ସର୍ବାଧିକ ବ୍ୟାଙ୍କ ଋଣ କରୁଛନ୍ତି ତାକୁ ପରିଶୋଧ ନିମନ୍ତେ ଅତିକମରେ ମାସିକ ୨୨୦୦ଟଙ୍କା ଇଏମଆଇ ଆକାରରେ ଦେବାକୁ ପଡ଼ିବ । ଅର୍ଥାତ୍ ଇଏମଆଇ କଟିବା ପରେ ସ୍ୱଳ୍ପ ପରିମାଣର ଦରମା ଟଙ୍କା ହାତକୁ ଆସିବ । ସେଥିରେ ତେଲ ପକାଇବା ଓ ଅନ୍ୟାନ୍ୟ ଖର୍ଚ୍ଚ କରିବା ସମ୍ଭବପର ହେବନି ।

ଯଦିଓ ଏହି ସର୍ପୋଟ ଷ୍ଟାଫମାନେ ଦୀର୍ଘଦିନ ଧରି ସେମାନଙ୍କ ଦରମା ବୃଦ୍ଧି ପାଇଁ ଦାବି କରିଆସୁଛନ୍ତି । ଆଉ ବ୍ୟାଙ୍କ ଇଏମଆଇ ପରିମାଣକୁ ଦେଖି ଅଧିକାଂଶ ମହିଳା ଏହି ସ୍କୁଟି ଋଣ କରିବା ସପକ୍ଷରେ ନଥିବାବେଳେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସ୍କୁଟ ଋଣ ନେବାକୁ ଚାପ ପକାଯାଉଛି । ଏପରିକି ସେମାନଙ୍କ ଦରମା ସରକାର ଖୁବଶୀଘ୍ର ବୃଦ୍ଧି କରିବେ ବୋଲି ମିଛ ପ୍ରତିଶ୍ରୁତି ଦେବାକୁ ବି ସ୍ଥାନୀୟ ବ୍ଲକସ୍ତରର ପ୍ରଶାସନିକ ଅଧିକାରୀମାନେ ପଛାଉ ନାହାନ୍ତି ।

ରାଜ୍ୟ ସରକାର ଯଦି ବାସ୍ତବରେ ଏହି ମହିଳାମାନେ ଆଗକୁ ଯାଆନ୍ତୁ ଓ ସେମାନଙ୍କର ବିକାଶ ହେଉ ବୋଲି ଚାହୁଁଛନ୍ତି ତା’ହେଲେ ସେମାନେ କିଭଳି ସ୍କୁଟି ଋଣବାବଦ ଇଏମଆଇ ପରିଶୋଧ କରିବେ ସେ ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଏହି ସର୍ପୋଟ ଷ୍ଟାଫ ଭାବେ କାର୍ଯ୍ୟ କରୁଥିବା ମହିଳାମାନଙ୍କ ମଧ୍ୟରୁ ଅଧିକାଂଶ ଆର୍ଥିକ ସ୍ୱଚ୍ଛଳ ପରିବାରର ନୁହଁନ୍ତି । ତେଣୁ ନିର୍ବାଚନକୁ ଦୃଷ୍ଟିରେ ରଖି ସ୍କୁଟି ଦେବା ଆଳରେ ମହିଳାମାନଙ୍କୁ ଋଣଗ୍ରସ୍ତ କରାଇବା ସରକାରଙ୍କ ପରବର୍ତ୍ତୀ ସମୟରେ ମହଙ୍ଗା ପଡ଼ିପାରେ । ଏବେବି ମହିଳାମାନଙ୍କ ମଧ୍ୟରେ ଇଏମଆଇକୁ ନେଇ ସଂଶୟ ରହିଥିବାରୁ ସରକାର ଯେତେ ଚାପ ସୃଷ୍ଟି କଲେ ମଧ୍ୟ ‘ସ୍କୁଟି ଯୋଜନା’ର ହିତାଧିକାରୀ ସଂଖ୍ୟା ଚଳିତବର୍ଷ ୫୦ହଜାର ଛୁଇଁବା ସମ୍ଭାବନା କ୍ଷୀଣ ବୋଲି ସାଧାରଣରେ ଚର୍ଚ୍ଚା ।

ଅନ୍ୟପକ୍ଷରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ, ବିଜେପି ରାଜ୍ୟରେ କ୍ଷମତାକୁ ଆସିଲେ ମାଗଣାରେ ମହିଳାଙ୍କୁ ସ୍କୁଟି ଯୋଗାଇ ଦେବ । ଏହା କେବଳ ନିର୍ବାଚନକୁ ଆଖିରେ ରଖି ମହିଳାଙ୍କୁ ପ୍ରତାରଣା କରିବା ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି ।

Related story