ପାଣ୍ଡିଆନଙ୍କୁ ଭେଟିବାକୁ ଚାହୁଁଥିଲେ ସ୍ୱଚ୍ଛ ଓ ଜଳ ସାଥୀ ମହିଳା, ଛାଡ଼ିଲାନି ପୁଲିସ୍‌

ପାଣ୍ଡିଆନଙ୍କୁ ଭେଟି ସେମାନେ ନିଜର ସମସ୍ୟା ସମ୍ପର୍କରେ କହିଥାଆନ୍ତେ। କିନ୍ତୁ କଟକ କମିଶନରେଟ ପୁଲିସ ମହିଳାମାନଙ୍କୁ ଏଥିପାଇଁ ଅନୁମତି ଦେଇନାହିଁ।

ନିରାଶ ହୋଇଥିବା ମହିଳା

  • Published: Sunday, 10 March 2024
  • , Updated: 10 March 2024, 05:00 PM IST

କଟକ ମହାନଗର ନିଗମ(ସିଏମସି) ଅଧୀନରେ କାର୍ଯ୍ୟରତ ସ୍ୱଚ୍ଛ ସାଥୀ ଓ ଜଳ ସାଥୀ ମହିଳାମାନଙ୍କୁ ଆଜି ନିରାଶ ହେବାକୁ ପଡ଼ିଛି। କଟକ ଗସ୍ତରେ ଯାଇଥିବା ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ସେମାନେ ଭେଟିବାକୁ ଚାହୁଁଥିଲେ।

ପାଣ୍ଡିଆନଙ୍କୁ ଭେଟି ସେମାନେ ନିଜର ସମସ୍ୟା ସମ୍ପର୍କରେ କହିଥାଆନ୍ତେ। କିନ୍ତୁ କଟକ କମିଶନରେଟ ପୁଲିସ ମହିଳାମାନଙ୍କୁ ଏଥିପାଇଁ ଅନୁମତି ଦେଇନାହିଁ। ଏହାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଆଜି କଟକର ବିଭିନ୍ନ କଲେଜରେ ଭିକେ ପାଣ୍ଡିଆନଙ୍କ " ନୂଆ ଓ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ସମୟରେ ସ୍ୱଚ୍ଛସାଥୀ ଓ ଜଳସାଥୀ ମହିଳାମାନେ ସେମାନଙ୍କ ଦାବି ନେଇ ପାଣ୍ତିଆନଙ୍କୁ ଭେଟିବାକୁ ଚାହିଁଥିଲେ। କମିଶନରେଟ ପୁଲିସ୍‌ ଭେଟିବାକୁ ମହିଳାମାନଙ୍କ ପାଖରେ ଅନୁମତି ନଥିବା କହି ସେମାନଙ୍କୁ ଘଟଣାସ୍ଥଳରୁ ବିଦା କରି ଦେଇଛି। 

ବିଭିନ୍ନ ବର୍ଗର କର୍ମଚାରୀଙ୍କ ପାଇଁ ସରକାର ଦରମା ବୃଦ୍ଧି ଘୋଷଣା କରୁଛନ୍ତି। କିନ୍ତୁ ସ୍ୱଚ୍ଛ ଓ ଜଳ ସାଥୀମାନଙ୍କର ଦରମା କାହିଁକି ବୃଦ୍ଧି କରାଯାଉନାହିଁ ବୋଲି ମହିଳାମାନେ ପ୍ରଶ୍ନ କରିଛନ୍ତି। ୨୦୧୯ ମସିହାରୁ ଏସଏଜି ଗ୍ରୁପର ମହିଳାମାନେ ସ୍ୱଚ୍ଛସାଥୀ ଓ ଜଳସାଥୀ ଭାବେ କାମ କରୁଥିବା ବେଳେ ମାସିକ ୪ ହଜାର ଟଙ୍କା ଲେଖାଏ ଦରମା ପାଉଛନ୍ତି।

ସେମାନଙ୍କୁ ବିଭିନ୍ନ ସରକାରୀ କାମରେ ନିୟୋଜିତ କରାଯାଉଛି। ହେଲେ ସେମାନଙ୍କ ଦରମା ଦରମା ଵୃଦ୍ଧି କରାଯାଉନାହିଁ। ଦରମା ବୃଦ୍ଧି ଉପରେ ଯଦି ସରକାର କୌଣସି ପଦକ୍ଷେପ ନ ନିଅନ୍ତି, ତା’ହେଲେ ଆଗାମୀ ଦିନରେ ମହିଳାମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସ୍ୱଚ୍ଛ ସାଥୀ ଉମା ବାରିକ କହିଛନ୍ତି, “୨୦୧୯ ମସିହା ଅକ୍ଟୋବର ୧୬ ତାରିଖରେ ଆମକୁ ଇଣ୍ଟରଭ୍ୟୁ ପରେ ନିଯୁକ୍ତି ମିଳିଥିଲା। ଆମକୁ ୮ ହଜାର ଟଙ୍କା ଦରମା ମିଳିବ ବୋଲି କୁହାଯାଇଥିଲା। କିନ୍ତୁ ଆମକୁ ମାସିକ ୪ ହଜାର ଟଙ୍କା ଲେଖାଏ ମିଳୁଛି। ଆମକୁ ଆଗକୁ ଦରମା ବଢ଼ିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ହେଲେ ପ୍ରତିଶ୍ରୁତିକୁ ୫ ବର୍ଷ ପୂରିଥିଲେ ହେଁ ଆମ କଥା କେହି ବି ଶୁଣୁ ନାହାନ୍ତି।

ଆମେ ମିଶନ ଶକ୍ତି ଅଫିସ ଯାଇଥିଲୁ। ସେଠାରେ ସୁଜାତା କାର୍ତ୍ତିକେୟ ପାଣ୍ଡିଆନ ଆମକୁ ଚଳିତ ବର୍ଷ ଦରମା ବଢ଼ିବ ବୋଲି କହିଥିଲେ। ତଥାପି ଆମ ଦରମା ବଢ଼ି ନାହିଁ। ପାଣ୍ଡିଆନ ମଧ୍ୟ ସ୍ୱଚ୍ଛ ସାଥୀ ଓ ଜଳ ସାଥୀଙ୍କ ଦରମା ବଢ଼ିବ ବୋଲି ଘୋଷଣା କରିଥିଲେ। ସମସ୍ତଙ୍କ ଦରମା ବଢ଼ିଲା। ଆମକୁ ନିରାଶ କରାଗଲା।

ବାଲିଯାତ୍ରା ଠାରୁ ଏସିବିସି ସର୍ଭେର ଟଙ୍କା ମଧ୍ୟ ମିଳିନି। ଆମେ ଆମର ସମସ୍ୟା ପାଣ୍ଡିଆନ ସାରଙ୍କୁ ଜଣାଇବାକୁ ଚାହୁଁଥିଲୁ। କିନ୍ତୁ ପୁଲିସ୍‌ ଆମକୁ ଅନୁମତି ନଥିବା କହି ତାଙ୍କୁ ଦେଖାକରିବାକୁ ଛାଡ଼ି ନାହିଁ।”

Related story