ନୂଆଦିଲ୍ଲୀ: ଜଣେ ମାସ୍ ଲିଡର୍ ବା ସାଧରଣ ଜନତାଙ୍କ ନେତା ଥିଲେ ପ୍ରଣବ ମୁଖାର୍ଜୀ। କ୍ଷମତାରେ ଥିବାବେଳେ ସବୁ ପ୍ରସଙ୍ଗରେ ଲୋକଙ୍କ ସ୍ୱାର୍ଥକୁ ସେ ଗୁରୁତ୍ୱ ଦେଉଥିଲେ। ଗଣତନ୍ତ୍ରର ସର୍ବୋଚ୍ଚ ପଦ ଅର୍ଥାତ୍ ରାଷ୍ଟ୍ରପତି ଆସନରେ ବସିବା ପରେ ଲୋକଙ୍କ ନେତା ପ୍ରଣବ ଦା ୧୨ଟି ଏମିତି ପଦକ୍ଷେପ ନେଇଥିଲେ, ଯାହା ଥିଲା ସମ୍ପୂର୍ଣ୍ଣ ଲୋକାଭିମୁଖୀ। ଏହି ପଦକ୍ଷେପଗୁଡ଼ିକ ସାଧାରଣ ଜନତାଙ୍କୁ ରାଷ୍ଟ୍ରପତି ଭବନ ସହ ଯୋଡ଼ିଥିଲା, ରାଇସିନା ହିଲରେ ଲୋକଙ୍କ ପହଞ୍ଚକୁ ସହଜ ଓ ସରଳ କରିଥିଲା।
ମହାମହୀମ ପଦବୀପ ଉଚ୍ଛେଦ
ସମ୍ୱିଧାନର ମୁଖ୍ୟ ରାଷ୍ଟ୍ରପତିଙ୍କୁ ସମ୍ୱୋଧନବେଳେ ପ୍ରଥମେ ମହାମହିମ ବା ହିଜ୍ ଏକ୍ସିଲେନ୍ସି ଭଳି ସମ୍ମାନସୂଚକ ଉପାଧିକୁ ବ୍ୟବହାର କରାଯାଉଥିଲା। ତେବେ ଜୁଲାଇ୨୦୧୨ ଜୁଲାଇ ୨୫ରେ ପ୍ରଣବ ମୁଖାର୍ଜୀ ରାଇସିନା ହିଲରେ ପ୍ରବେଶ କରିବା ପରେ ଏହି ମହାମହିମ ଶବ୍ଦ ହଟାଇବା ଉପରେ ଗୁରୁତ୍ୱ ଦେଇଥିଲେ। ପରେ ବ୍ରିଟିଶ ଅମଳରୁ ଚାଲି ଆସିଥିବା ଏହି ସମ୍ମାନସୂଚକ ସମ୍ବୋଧନକୁ ଉଚ୍ଛେଦ କରିଦେଇଥିଲେ। ଏପରିକି ରାଷ୍ଟ୍ରପତି ଭବନର ସମସ୍ତ କାର୍ଯ୍ୟକ୍ରମରେ କିଭଳି ସାଧାରଣ ଲୋକ ଯୋଗ ଦେଇପାରିବେ, ସେ ଉପରେ ଗୁରୁତ୍ୱ ଦେଇଥିଲେ। ତେଣୁ ରାଷ୍ଟ୍ରପତି ଭବନରେ ଥିବା ବିଭିନ୍ନ ପ୍ରୋଟକଲକୁ ସେ କୋହଳ କରିଥିଲେ ।
ଅଧ୍ୟାଦେଶ ଏବଂ କ୍ଷମା ଆବେଦନ
ପ୍ରଣବ ମୂଖାର୍ଜୀ ରାଷ୍ଟ୍ରପତି କାର୍ଯ୍ୟକାଳ ମଧ୍ୟରେ ୨୬ଟି ଅଧ୍ୟାଦେଶକୁ କାର୍ଯ୍ୟକାରୀ କରାଇଥିଲେ। ଏହା ମଧ୍ୟରୁ ୫ଟି ଅଧ୍ୟାଦେଶକୁ ପ୍ରଣବ ଦା’ କାର୍ଯ୍ୟକାଳର ପଞ୍ଚମ ବର୍ଷରେ ଲାଗୁ କରିଥିଲେ। ଏହି ସମୟରେ, ସେ କେବଳ ଚାରିଟି କ୍ଷମା ଆବେଦନକୁ ଗ୍ରହଣ କରିଥିଲେ ଏବଂ ୩୦ଟି ଆବେଦନ ଖାରଜ କରିଦେଇଥିଲେ।
ଶିକ୍ଷକ ସାଜି ସ୍କୁଲରେ ପାଠ ପଢ଼ାଇଲେ
ପ୍ରଣବ ମୁଖାର୍ଜୀ ହେଉଛନ୍ତି ଦେଶର ପ୍ରଥମ ରାଷ୍ଟ୍ରପତି ଯିଏ କି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସ୍କୁଲ ପିଲାମାନଙ୍କୁ ପାଠ ପଢ଼ାଉଥିଲେ। ରାଷ୍ଟ୍ରପତି ଭବନର ରାଜେନ୍ଦ୍ର ପ୍ରସାଦ ସର୍ବୋଦୟ ସ୍କୁଲକୁ ଯାଇ ପିଲାମାନଙ୍କୁ ଅନେକ ଥର ପ୍ରଣବ ଦା ଶିକ୍ଷାଦାନ କରିଥିଲେ।
ଟ୍ୱିଟରରେ ରାଷ୍ଟ୍ରପତି ଭବନ
ପ୍ରଣବ ମୁଖାର୍ଜୀଙ୍କ କାର୍ଯ୍ୟକାଳ ସମୟରେ ହିଁ ରାଷ୍ଟ୍ରପତି ଭବନର ଟ୍ୱିଟର ଆକାଉଣ୍ଟ ଖୋଲିଥିଲା। ୨୦୧୪ ଜୁଲାଇ ୧ରେ ଆରମ୍ଭ ହୋଇଥିଲା ଏହି ଆକାଉଣ୍ଟ। ଏହାପରେ ରାଷ୍ଟ୍ରପତିଙ୍କ ସହ ଜଡ଼ିତ କାର୍ଯ୍ୟକଳାପ ବିଷୟରେ ସାଧରଣ ଜନତାଙ୍କୁ ସିଧାସଳଖ ସୂଚନା ଦେବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା।
ରାଇସିନା ହିଲରେ ସଂଗ୍ରହାଳୟ
ରାଷ୍ଟ୍ରପତି ଭବନର ହେରିଟେଜ ବିଲ୍ଡିଂରେ ଏକ ନୂଆ ମ୍ୟୁଜିୟମ ଆରମ୍ଭ କରିଥିଲେ ପ୍ରଣବ ମୁଖାର୍ଜୀ। ପ୍ରଥମେ ଏହି ଜାଗାକୁ ଏକ ଷ୍ଟଲ ଭାବରେ ବ୍ୟବହାର କରାଯାଉଥିଲା। ପରେ ରାଷ୍ଟ୍ରପତି ଭବନର ଏକ ନୂଆ ସଂଗ୍ରହାଳୟ ଆରମ୍ଭ ହୋଇଥିଲା। ଏହି ମ୍ୟୁଜିୟମକୁ ଏବେ ଅତ୍ୟାଧୁନିକ ସଂଗ୍ରହାଳୟରେ ପରିଣତ କରାଯାଉଛି। ଏହା ଏକ ସ୍ସିକିଂ ସଂଗ୍ରହାଳୟ, ଯାହା ରାଷ୍ଟ୍ରପତି ଭବନର କାହାଣୀ କହିଥାଏ।
ସ୍ମାର୍ଟଗ୍ରାମ
ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ୨୦୧୬ ଜୁଲାଇ ୨ରେ 'ସ୍ମାର୍ଟଗ୍ରାମ' ଯୋଜନା ଆରମ୍ଭ କରିଥିଲେ। ଯାହାର ଉଦ୍ଦେଶ୍ୟ ଗାଁ ଗୁଡ଼ିକୁ ଏକ ସମୃଦ୍ଧ ତଥା ଉଚ୍ଚବୈଷୟିକ ସହରରେ ପରିଣତ କରିବା। ଏହା ଅଧୀନରେ ଗାଁ ଗୁଡ଼ିକରେ ଶିକ୍ଷା, ଦକ୍ଷତା ବିକାଶ, ଭିତ୍ତିଭୂମି, କୃଷି, ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ କାର୍ଯ୍ୟକ୍ରମ ଚାଲିଛି।
ରାଷ୍ଟ୍ରପତି ଭବନରେ ସାଧାରଣ ଜନତା
ରାଷ୍ଟ୍ରପତି ଭବନକୁ ଦେଶର ଐତିହାସିକ ପର୍ଯ୍ୟଟନ ସ୍ଥଳ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ଏହାପରେ ରାଷ୍ଟ୍ରପତି ଭବନ, ମୋଗଲ ଗାର୍ଡେନ ଏବଂ ରାଷ୍ଟ୍ରୀୟ ଭବନ ସଂଗ୍ରହାଳୟ ଦେଶର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ତାଲିକାରେ ସାମିଲ୍ ହୋଇଥିଲା। ଯାହାକି ସାଧାରଣ ଲୋକଙ୍କ ପାଇଁ ରାଷ୍ଟ୍ରପତି ଭବନ ଯିବାକୁ ସହଜ କରିଥିଲା।
କଲ୍ୟାଣକାରୀ କାର୍ଯ୍ୟ
ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କ କାର୍ଯ୍ୟକାଳ ସମୟରେ '4S' ପଦକ୍ଷେପ ଆରମ୍ଭ କରିଥିଲେ। ଏହା ଜରିଆରେ ରାଷ୍ଟ୍ରପତି ଭବନ ଭିତରେ ଥିବା ଶିଶୁ, ବରିଷ୍ଠ ନାଗରିକଙ୍କ ପାଇଁ ଅନେକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହା 4S ଯୋଜନା ଜରିଆରେ ଯୋଗ କ୍ଲାସ, କମ୍ୟୁନିଟି ସିଙ୍ଗିଙ୍ଗ, କାଉନସେଲିଂ ସେବା, ମାଗଣା ସ୍ୱାସ୍ଥ୍ୟ ସେବା, କ୍ୟାରମ ଆଦି ଖେଳକୁ ଅନ୍ତର୍ଭୂକ୍ତ କରାଯାଇଥିଲା।
ସୌର ଶକ୍ତିର ଉପଯୋଗ
ରାଷ୍ଟ୍ରପତି ଭବନକୁ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ କରିବା ପାଇଁ ପ୍ରଣବ ମୁଖାର୍ଜୀ ଅନେକ ପଦକ୍ଷେପ ନେଇଥିଲେ। ତାଙ୍କ କାର୍ଯ୍ୟକାଳର ପଞ୍ଚମ ବର୍ଷରେ ପ୍ରାୟ ୫୦୮ କିଲୋୱାଟର ଏକ ସୌର ପ୍ୟାନେଲ୍ ସ୍ଥାପିତ ହୋଇଥିଲା। ଏମିତିକି ଇ-ରିକ୍ସା ସେବା ମଧ୍ୟ ସେ ଆରମ୍ଭ କରିଥିଲେ।
ଇ ରେସିଡେନ୍ସ
ରାଷ୍ଟ୍ରପତି ପଦବୀରେ ଥିବା ବେଳେ ପ୍ରଣବ ମୁଖାର୍ଜୀ ନେଇଥିବା ଅନେକ ପଦକ୍ଷେପ ମଧ୍ୟରେ ଇ ରେସିଡେନ୍ସ ବା ଆବାସିକ କାର୍ଯ୍ୟକ୍ରମ ଅନ୍ୟତମ। ଏହି ଯୋଜନା ଜରିଆରେ ରାଷ୍ଟ୍ରପତି ଭବନ ସହିତ ଲୋକଙ୍କ ଯିବା ଆସିବା ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହା ଯୋଜନା ଜରିଆରେ ବିଦ୍ୱାନ ବ୍ୟକ୍ତି, କଳାକାର ଏବଂ ଲେଖକମାନେ ରାଷ୍ଟ୍ରପତି ଭବନରେ ରହିବାର ସୁଯୋଗ ପାଇଥାନ୍ତି।
ଇ-ଗଭର୍ଣ୍ଣାନ୍ସ
ରାଷ୍ଟ୍ରପତି ଭବନର ପୁସ୍ତକାଳୟରେ କୋଡିଂ ଜରିଆରେ ଇ-ପୁସ୍ତକାଳୟ ସେବା ଆରମ୍ଭ ହୋଇଥିଲା। ଇ-ପୁସ୍ତକାଳୟ ସଫ୍ଟଓ୍ୱୟାର ବ୍ୟବହାର କରି ଏଥିରେ ୮,୧୩୦ ଇ-ବୁକ୍ସ ଅପଲୋଡ କରାଯାଇଥିଲା। ଏମିତିକି ରାଷ୍ଟ୍ରପତି ଭବନ ଆସୁଥିବା ଲୋକଙ୍କ ପାଇଁ ଇ-ମ୍ୟାନେଜମେଣ୍ଟ ଭିଜିଟର୍ସ ସିଷ୍ଟମ ସେବା ଆରମ୍ଭ ହୋଇଥିଲା।
ଘୋଡ଼ାଗାଡ଼ି ପରମ୍ପରାର ପୁନଃପ୍ରଚଳନ
ଆଧୁନିକ ଭାରତରେ ରାଷ୍ଟ୍ରପତି ଭବନ ଏବଂ ଏହାର ଐତିହ୍ୟକୁ ଗୁରୁତ୍ୱ ଦେବା ପାଇଁ ପ୍ରଣବ ମୁଖାର୍ଜୀ ଘୋଡ଼ାଗାଡ଼ି ପରମ୍ପରାକୁ ପୁନର୍ବାର ଆରମ୍ଭ କରିଥିଲେ। ୨୦୧୪ ଜାନୁଆରୀ ୨୯ରେ ବିଟିଙ୍ଗ୍ ରିଟ୍ରିଟରେ ପ୍ରାୟ ୩୦ ବର୍ଷ ପରେ ଏହି ଘୋଡ଼ାଗାଡ଼ି ପରମ୍ପରା ଆରମ୍ଭ କରିଥିଲେ ପ୍ରଣବ ଦା’।