ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଋଣ ଗ୍ରହୀତାଙ୍କଠାରୁ ଆଦାୟ ହୋଇଛି ୮୧ ହଜାର କୋଟି ଟଙ୍କା। ଇନ୍ସଲ୍ଭେନ୍ସି ପ୍ରକ୍ରିୟା ମାଧ୍ୟମରେ ଏହି ଟଙ୍କା ସବୁ ଆଦାୟ କରାଯାଇଛି। ଏହି ସୂଚନା ଦେଇଛନ୍ତି ଇନ୍ସଲ୍ଭେନ୍ସି ଆଣ୍ଡ୍ ବ୍ୟାଙ୍କର୍ସ ବୋର୍ଡ ଅଫ୍ ଇଣ୍ଡିଆ (ଆଇବିବିଆଇ)ର ଅଧକ୍ଷ, ଏମ୍ ଏସ୍ ସାହୁ।
ଇଣ୍ଡିଆନ୍ ଚ୍ୟାମ୍ୱର୍ ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ (ଆଇସିସି) ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଏକ ଜାତୀୟ ସମ୍ମିଳନୀରେ ଯୋଗ ଦେଇ ଶ୍ରୀ ସାହୁ ଏହା କହିଛନ୍ତି।
ଦେଶରେ ୩୦୦ କମ୍ପାନୀ ସ୍ୱେଚ୍ଛାକୃତ ଭାବେ କାରବାର ବନ୍ଦ କରିବା ପାଇଁ ଆବେଦନ କରିଛନ୍ତି। ସେହିପରି ୧୦୦୦ କର୍ପୋରେଟ୍ ଋଣଗ୍ରହୀତା କର୍ପୋରେଟ୍ ଇନ୍ସଲ୍ଭେନ୍ସି ପ୍ରକ୍ରିୟାରେ ଭାଗ ନେଇଛନ୍ତି ବୋଲି ସେ କହିଛନ୍ତି।
ଆଇବିସି ଯୋଗୁ ଋଣ ନେଇ ପରିଶୋଧ କରୁନଥିବା କମ୍ପାନୀଗୁଡ଼ିକ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଏନ୍ସିଏଲ୍ଟିକୁ ଟଣା ହେବା ଭୟରେ କେତେକ କମ୍ପାନୀ ୮୩ ହଜାର କୋଟି ଟଙ୍କାର ଋଣ ପରିଶୋଧ କରିଦେଇଛନ୍ତି ବୋଲି ସେ ସମ୍ମିଳନୀରେ କହିଛନ୍ତି।
ଏହି ଅବସରରେ ଓଡ଼ିଶାର ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ଯୋଗ ଦେଇ ଜାତୀୟ ଅଭିବୃଦ୍ଧି ହାର ଠାରୁ ରାଜ୍ୟର ଅଭିବୃଦ୍ଧି ହାର ଅଧିକ ଥିବା କହିଥିଲେ। ଦେବାଳିଆପଣର ସମାଧାନ ଯେତେଶୀଘ୍ର ହେବ ତାହା ନିବେଶ ସୁଯୋଗକୁ ଆହୁରି ବଢ଼ାଇବ ବୋଲି ଶ୍ରୀ ବେହେରା ମତ ରଖିଥିଲେ।