ଶ୍ରୀ ଜେଟ୍ଲୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କ ସମେତ ବିଭିନ୍ନ ଦଳର ନେତାମାନେ ଦୁଃଖ ପ୍ରକାଶ କରିଛନ୍ତି। ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ତାଙ୍କ ପରିବାର ଲୋକଙ୍କ ସହିତ କଥା ହୋଇ ସମବେଦନା ଜଣାଇଛନ୍ତି।
ଜେଟ୍ଲୀଙ୍କ ଜୀବନୀ
ଶ୍ରୀ ଜେଟ୍ଲୀ ୧୯୫୨ ମସିହା ଡିସେମ୍ୱର ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାମ ମହାରାଜ କିଶେନ୍ ଜେଟଲୀ ଏବଂ ମାଆଙ୍କ ନାମ ରତନ ପ୍ରଭା ଜେଟଲୀ। ତାଙ୍କ ବାପା ମଧ୍ୟ ପେସାରେ ଜଣେ ଆଇନଜୀବୀ ଥିଲେ। ଦିଲ୍ଲୀ ସ୍ଥିତ ସେଣ୍ଟ ଜାଭିୟର୍ସ ସ୍କୁଲରେ ସେ ୧୯୬୦-୬୯ ଯାଏ ପଢ଼ିଥିଲେ। ଏହାପରେ ଦେଶର ଖ୍ୟାତନାମା କମର୍ସ କଲେଜ ଦିଲ୍ଲୀର ଶ୍ରୀରାମ କଲେଜ ଅଫ କମର୍ସରୁ ୧୯୭୩ରେ ସେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ୧୯୭୭ରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଆଇନରେ ପିଜି କରିଥିଲେ। ଏହି ସମୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ରେ ଯୋଗ ଦେଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ୟୁନିଅନର ସଭାପତି ନିର୍ବାଚିତ ହୋଇଥିଲେ।
୧୯୭୫ରୁ ୭୭ ଦେଶରେ ଜରୁରୀକାଳୀନ ପରିସ୍ଥିତି ବେଳେ ଜେଟଲୀ ହରିଆନାର ଅମ୍ୱାଲା ଓ ଦିଲ୍ଲୀ ସ୍ଥିତ ତିହାର ଜେଲରେ ବନ୍ଦୀ ଥିଲେ। ଏହି ସମୟରେ ସେ ଲୋକତାନ୍ତ୍ରିକ ଯୁବ ମୋର୍ଚ୍ଚାର ଆବାହକ ଥିଲେ। ଆଇନରେ ପିଜି ପାସ୍ କରିବା ପରେ ସେ ୧୯୭୭ ଯାଏ ଦେଶର ବିଭିନ୍ନ ହାଇକୋର୍ଟରେ ଓକିଲାତି କରିଥିଲେ। ଏମିତିକି ୧୯୮୯ରେ ସେ ଅତିରିକ୍ତ ସଲିସିଟର୍ ଜେନେରାଲ୍ ଭାବରେ ମଧ୍ୟ ସେ ନିଯୁକ୍ତ ହୋଇଥିଲେ।
୧୯୮୨ରେ ସେ ସଙ୍ଗୀତା ଡୋଗ୍ରାଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି।
୧୯୯୦ରେ ସେ ଦିଲ୍ଲୀ ହାଇକୋର୍ଟର ବରିଷ୍ଠ ଓକିଲ ଭାବରେ ମାନ୍ୟତା ପାଇଥିଲେ। ଏହାପରେ ସେ ୧୯୯୧ରେ ବିଜେପିର ସଦସ୍ୟତା ଗ୍ରହଣ କରିଥିଲେ। ୧୩ ଅକ୍ଟୋବର ୧୯୯୯ରେ ବାଜପେୟୀ ସରକାରରେ ସେ ସୂଚନା ପ୍ରସାରଣ ମନ୍ତ୍ରୀ (ସ୍ୱାଧୀନ) ହୋଇଥିଲେ। ୨୩ ଜୁଲାଇ ୨୦୦୦ରେ ଅତିରିକ୍ତ ଦାୟିତ୍ୱ ଭାବରେ ଆଇନ ଓ କମ୍ପାନୀ ଆଫାଏର୍ସ ମନ୍ତ୍ରୀ ହୋଇଥିଲେ। ଏହାପରେ ମନମୋହନ ସିଂହ ସରକାର ସମୟରେ ରାଜ୍ୟସଭାର ବିରୋଧୀ ଦଳ ନେତା ଭାବରେ ଶ୍ରୀ ଜେଟଲୀ ୩ ଜୁନ୍ ୨୦୦୯ରେ ଦାୟିତ୍ୱ ଗ୍ରହଣ କରିଥିଲେ।
ଶ୍ରୀ ଜେଟ୍ଲୀ ଲୋକସଭାକୁ କେବେ ନିର୍ବାଚିତ ହୋଇ ନଥିଲେ। ବିଜେପିରୁ ସେ କେବଳ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଅନ୍ତିମ ଥର ସେ ୨୦୧୪ରେ ପଞ୍ଜାବ ଅମୃତସର ଲୋକସଭା ଆସନରୁ ପ୍ରାର୍ଥୀ ହୋଇ କଂଗ୍ରେସ ପ୍ରାର୍ଥୀ ତଥା ବର୍ତ୍ତମାନର ପଞ୍ଜବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ପାଖରୁ ପରାଜିତ ହୋଇଥିଲେ। ଏହା ପରେ ସେ ୨୦୧୪ ମେ’ ୨୬ ତାରିଖରେ ଉତ୍ତର ପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ମୋଦିଙ୍କ ପ୍ରଥମ ସରକାର (୨୦୧୪-୧୭)ରେ ଦୁଇ ପ୍ରମୁଖ ମନ୍ତ୍ରଣାଳୟ- ଅର୍ଥ ଓ ପ୍ରତିରକ୍ଷା ବିଭାଗର ମନ୍ତ୍ରୀ ହୋଇଥିଲେ। ଏଥିସହିତ ୨୦୧୪ରୁ ୨୦୧୬ ଯାଏ ସେ କେନ୍ଦ୍ର ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ମଧ୍ୟ ଥିଲେ।
ଖେଳ ପ୍ରତି ଥିଲା ରୁଚି
ରାଜନୀତି ଓ ଓକିଲାତି ବ୍ୟତୀତ ସେ ବିଭିନ୍ନ ଖେଳରେ ରୁଚି ରଖୁଥିଲେ। ସେ ଭଲ ଟେବଲ୍ ଟେନିସ୍ ଖେଳୁଥିଲେ। ସେ ଦିଲ୍ଲୀ କ୍ରିକେଟ୍ ଆସୋସିଏସନ୍ର ସଭାପତି ମଧ୍ୟ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।