/odisha-reporter/media/post_attachments/uploads/2020/07/dt-2.jpg)
dt
ନୂଆଦିଲ୍ଲୀ: ଲଦାଖର ଗଲୱାନ ଉପତ୍ୟକାରେ ଭାରତକୁ ନାଲି ଆଖି ଦେଖାଉଥିବା ଚାଇନା ଶେଷରେ ପଛ ଘୁଞ୍ଚା ଦେଇଛି। ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ର ବିବାଦୀୟ ଅଞ୍ଚଳରୁ ଚାଇନା ତା’ର ଟେଣ୍ଟ, ଗାଡ଼ି ଓ ଯବାନମାନଙ୍କୁ ପ୍ରାୟ ୧ରୁ୨ କିମି ପଛକୁ ଘୁଞ୍ଚାଇ ନେଇଛି। ଜୁନ୍ ୧୫ ଗଲୱାନ ଉପତ୍ୟକାରେ ଯେଉଁ ଅଞ୍ଚଳରେ ସଂଘର୍ଷ ହୋଇଥିଲା, ସେଠାରେ ଚାଇନା କବଜା କରି ବସିଥିଲା। ଏହାର ସାମାଧାନ ପାଇଁ ଦୁଇ ଦେଶ ମଧ୍ୟରେ ଘନଘନ ବୈଠକ ବସିଥିଲା। ଶେଷରେ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନାରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଚାଇନା ସେନା ପଛକୁ ଘୁଞ୍ଚିଥିବା ଜଣାପଡ଼ିଛି।
ଚାଇନା ଭଳି ଭାରତ ମଧ୍ୟ ତା’ର ଟେଣ୍ଟ ଓ ଯବାନଙ୍କୁ ପଛକୁ ଫେରାଇ ଆଣିଛି। ଭବିଷ୍ୟତରେ ବିବାଦ ଯେମିତି ସୃଷ୍ଟି ନ ହେବ, ସେଥିପାଇଁ ସହମତି ଭିତ୍ତିରେ ଉଭୟ ଦେଶ ଏକ ବଫର ଜୋନ ତିଆରି କରିଛନ୍ତି। ବଫର ଜୋନ ଠାରୁ ଉଭୟ ଦେଶ ସର୍ବଦା ସମ ଦୂରତାରେ ରହିବେ।
ଚାଇନା ପୁପୁଲ୍ସ ଲିବେରେସନ ଆର୍ମି(ପିଏଲଏ) ପକ୍ଷରୁ ପ୍ୟାଟ୍ରୋଲ ପଏଣ୍ଟ ୧୪ ନିକଟରେ ଅସ୍ଥାୟୀ ଟେଣ୍ଟ ଓ ଆଉ କିଛି ନିର୍ମାଣ କାର୍ଯ୍ୟ କରାଯାଇଥିଲା। ତେବେ ଆଜି ପିଏଲଏ ସେଗୁଡ଼ିକ ହଟାଉଥିବା ଦେଖିବାକୁ ମିଳିଛି।
ଅନ୍ୟପକ୍ଷରେ ଆଉ ଏକ ରିପୋର୍ଟ ଅନୁଯାୟୀ, ଚାଇନାର କିଛି ଯୁଦ୍ଧ ସରଞ୍ଜାମ ଖଚିତ ଗାଡ଼ି ଏବେ ବି ଗଲୱାନ ନଦୀର ଗଭୀର ଅଞ୍ଚଳରେ ମହୁଜଦ ହୋଇ ରହିଥିବା ଦେଖିବାକୁ ମିଳିଛି। ଏହା ଉପରେ ଭାରତୀୟ ସେନା କଡ଼ା ନଜର ରଖିଛି। ସେନା ପକ୍ଷରୁ କୁହାଯାଇଛି ଯେ ଚାଇନା ସେନା ବିବାଦୀୟ ଗଲୱାନ ସ୍ଥିତ ଏଲଏସିରୁ ପଛକୁ ଘୁଞ୍ଚିଥିବା ଖବର ମିଳିଛି।
ତଥାପି ଆମେ ସ୍ଥିତି ଉପରେ ନଜର ରଖିଛୁ। ଏହା ପ୍ରକୃତରେ ଡିସଏନଗେଜ୍ମେଣ୍ଟ ନା ଚାଇନାର ନୂଆ ଭେଳିକି, ତା’କୁ ମଧ୍ୟ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେନା ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଦୀର୍ଘ ୭ ସପ୍ତାହ ହେଲାଣି ଇଷ୍ଟର୍ଣ୍ଣ ଲଦାଖର ବିଭିନ୍ନ ସୀମାରେ ଭାରତ ଓ ଚାଇନା ଯବାନ ମୁହାଁମୁହିଁ ସ୍ଥିତିରେ ରହିଛନ୍ତି। ସ୍ଥିତି ଏପରି ହୋଇଥିଲା ଯେ ଜୁନ୍ ୧୫ରେ ଗଲୱାନରେ ଉଭୟ ଦେଶର ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
