ନୂଆଦିଲ୍ଲୀ: ଫିଲ୍ମ ଫେୟାର ଆୱାର୍ଡସ ଉତ୍ସବର ପ୍ରଚାରରେ ତମାଖୁ, ସିଗାରେଟ ଇତ୍ୟାଦିର ବିଜ୍ଞାପନକୁ ଵ୍ୟାନ୍ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି ଦିଲ୍ଲୀ ସ୍ଵାସ୍ଥ୍ୟ ବିଭାଗ। ସୂଚନାଯୋଗ୍ୟ, ଚଳିତ ସପ୍ତାହରେ ମୁମ୍ବାଇରେ ୬୪ତମ ଫିଲ୍ମ ଫେୟାର ଆୱାର୍ଡସ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।
କେବଳ ଦିଲ୍ଲୀ ସ୍ଵାସ୍ଥ୍ୟ ବିଭାଗ ନୁହେଁ, ଦିଲ୍ଲୀର ପୂର୍ବତନ ତମାଖୁ ନିରୋଧ ଅଫିସର ଏସ. କେ ଆରୋରା ମଧ୍ୟ ବଲିଉଡ଼ର ଅନେକ କଳାକାର ଓ ସଂସ୍ଥାକୁ ତମାଖୁ ସମ୍ପର୍କିତ ବିଜ୍ଞାପନ ଆୱାର୍ଡସ ଶୋ'ରୁ ହଟାଇବା ପାଇଁ ଚିଠି ଲେଖି ଜଣାଇଛନ୍ତି।
ସେ କହିଛନ୍ତି, ଏପରି ସ୍ଵାସ୍ଥ୍ୟ ପ୍ରତି ହାନିକାରକ ଦ୍ରବ୍ୟର ବିଜ୍ଞାପନ ଦେବା ବିଜ୍ଞାପନ ଆଇନ ୨୦୦୩କୁ ଉଲ୍ଲଂଘନ କରୁଛି। ଏପରି ବିଜ୍ଞାପନ ପ୍ରସାରଣ ଦ୍ବାରା ଦେଶର ଯୁବପିଢ଼ି ତମାଖୁ ପ୍ରତି ଆକୃଷ୍ଟ ହେଉଛନ୍ତି। ଦେଶରେ ବଲିଉଡ଼ ଷ୍ଟାରଙ୍କର ଅନେକ ଫ୍ୟାନ ଅଛନ୍ତି। ଯେହେତୁ ଅନେକ ତମାଖୁ ବିଜ୍ଞାପନରେ ବଡ଼ ବଡ଼ ଷ୍ଟାର ଭାଗ ନେଉଛନ୍ତି ତେଣୁ ଏହାର ପ୍ରଭାବ ଯୁବପିଢ଼ିଙ୍କ ଉପରେ ପଡୁଥିବା ଦେଖିବାକୁ ମିଳୁଛି।
ଗତବର୍ଷ ମଧ୍ୟ ଶ୍ରୀ ଆରୋରା ‘ବଧାଇ ହୋ’ ଫିଲ୍ନରୁ ସିଗାରେଟ ଦୃଶ୍ୟକୁ ହଟାଇବା ପାଇଁ ବଲିଉଡର ଜଣେ ପ୍ରଯୋଜକ ଏବଂ ଅଭିନେତାଙ୍କୁ ଲିଗାଲ ନୋଟିସ ପଠାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।