ପ୍ରଦୂଷଣଜନିତ ବିଷ ବଳୟରେ ଫସି ରହିଛନ୍ତି ରାଜଧାନୀ ଦିଲ୍ଲୀବାସୀ। ପ୍ରଦୂଷଣ ଜ୍ୱାଳାରେ ଛଟପଟ ହେଉଛନ୍ତି ରାଜଧାନୀବାସୀ। ଦିଲ୍ଲୀ ଏନସିଆରରେ ବଢ଼ୁଥିବା ପ୍ରଦୂଷଣ ରୋକିବାକୁ ଲାଗୁ ହେଉଛି ନୂଆ ନୂଆ ପଦକ୍ଷେପ ।
ବିଭିନ୍ନ ରାଜ୍ୟ ସହ ବୈଠକ ପରେ କମିଶନ ଫର ଏୟାର କ୍ୱାଲିଟି ମନିଟରିଂ (CAQM)ଜାରି କରିଛି ନୂଆ ନିର୍ଦ୍ଦେଶନାମା। ଏହା ଅନୁଯାୟୀ, ଦିଲ୍ଲୀ-ଏନସିଆରରେ ସବୁ ସ୍କୁଲ, କଲେଜ ଓ ଶିକ୍ଷା ସଂସ୍ଥାନକୁ ପୁନଃ ଆଦେଶ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ଏହାବାଦ ଅଫିସ, କନଷ୍ଟ୍ରକସନ୍ ଓ ଟ୍ରକ୍ ଏଣ୍ଟ୍ରି ଉପରେ ମଧ୍ୟ ଲାଗିଛି ରୋକ ।
ଜାଣି ରଖନ୍ତୁ, ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ କେଉଁ ସବୁ ପଦକ୍ଷେପ ନିଆଯାଇଛି।
-ରାଜଧାନୀର ୩୦୦ କି.ମି ବଳୟ ମଧ୍ୟରେ ଆସୁଥିବା ସମୁଦାୟ ୧୧ ଥର୍ମାଲ ପ୍ଲାଣ୍ଟ ମଧ୍ୟରୁ ୬ଟିକୁ ୩୦ ନଭେମ୍ବର ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି। ଦିଲ୍ଲୀରୁ ୩୦୦ କିମି ଦୂରରେ ଥିବା ପ୍ଲାଣ୍ଟ ରାଜଧାନୀର ଆବଶ୍ୟକତା ମେଣ୍ଟାଇବେ ବୋଲି କୁହାଯାଇଛି।
-ଦିଲ୍ଲୀ-ଏନସିଆର ମଧ୍ୟରେ ଅବସ୍ଥିତ ଥିବା ସମସ୍ତ ସରକାରୀ ଓ ଘରୋଇ ସ୍କୁଲ, କଲେଜ ଓ ଶିକ୍ଷଣ ସଂସ୍ଥା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ସମୟରେ ଅନଲାଇନ୍ରେ ପାଠପଢ଼ା ଜାରି ରହିବ।
- ଦିଲ୍ଲୀ-ଏନସିଆର ଅଞ୍ଚଳରେ ଥିବା ସବୁ ସରକାରୀ, ବେସରକାରୀ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ । ଅବଶିଷ୍ଟ ୫୦ ପ୍ରତିଶତ ୱର୍କ ଫ୍ରମ ହୋମ୍ କରିବେ।
- ଏନସିଆରରେ ଗ୍ୟାସ କ୍ଷମତା ବିଶିଷ୍ଟ ସବୁ ଇଣ୍ଡଷ୍ଟ୍ରି ଚାଲୁ ରଖିବାକୁ ଅନୁମତି ମିଳିଛି। ହେଲେ କେଉଁଥିରେ ଅନଆପ୍ରୁଭୁଡ ତେଲ ବ୍ୟବହାର କରିବାକୁ ଅନୁମତି ମିଳିନି। ଏପରି ହେଲେ ତୁରନ୍ତ ଉକ୍ତ ଇଣ୍ଡଷ୍ଟ୍ରିକୁ ବନ୍ଦ କରି ଦିଆଯିବ।
-ଯାନବାହନରୁ ପ୍ରଦୂଷଣ ବଢ଼ୁଥିବାରୁ ଦିଲ୍ଲୀକୁ ପ୍ରବେଶ କରୁଥିବା ସମସ୍ତ ଟ୍ରକ୍ର ପ୍ରବେଶ ଉପରେ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରୋକ ଲଗାଇ ଦିଆଯାଇଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ନେଉଥିବା ଟ୍ରକ୍କୁ ହିଁ ଅନୁମତି ମିଳିବ।
- ୧୫ ବର୍ଷ ପୁରୁଣା ପେଟ୍ରୋଲ ଗାଡ଼ି ଓ ୧୦ ବର୍ଷ ପୁରୁଣା ଡିଜେଲ ଗାଡ଼ିକୁ ରାସ୍ତାରେ ଗଡ଼ିବାକୁ ବାରଣ କରାଯାଇଛି। ବ୍ୟସ୍ତବହୁଳ ଅଞ୍ଚଳରେ ଟ୍ରାଫିକ ଟାସ୍କ ଫୋର୍ସ ମୁତୟନ କରାଯାଇଛି। ଏହାବାଦ ଖୁବ୍ ଶୀଘ୍ର ସିଏନ୍ଜି ବସ୍ ସଂଖ୍ୟା ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
-ଡିଜେଲ ଦ୍ୱାରା ଚାଳିତ ଜେନେରେଟର ଉପରେ ବ୍ୟାନ୍ ଲଗାଯାଇଛି। କେବଳ ଅତ୍ୟାବଶ୍ୟକ ସ୍ଥଳେ ଏହାକୁ ଅନୁମତି ମିଳିବ।
-ଆଣ୍ଟି ସ୍ମଗ ଗନ ଓ ପାଣି ସ୍ପ୍ରେ କରୁଥିବା ମେଶିନ ସଂଖ୍ୟା ବଢ଼ାଇବାକୁ କୁହାଯାଇଛି। ବ୍ୟସ୍ତବହୁଳ ଅଞ୍ଚଳରେ ଧୁଳିକୁ ହଟାଇବା ପାଇଁ ଦିନକୁ ୩ ଥର ଏହାର ପ୍ରୟୋଗ କରାଯିବ ।
-ଏହି ନିର୍ଦ୍ଦେଶ ଜାରି ହେବା ଏହାର କ’ଣ ପ୍ରଭାବ ରହୁଛି ପ୍ରତିଦିନ ଦିଲ୍ଲୀ ନିକଟବର୍ତ୍ତୀ ରାଜ୍ୟର ଚିଫ ସେକ୍ରେଟେରୀ ଏହାର ତଦାରଖ କରିବେ। ଏହାପରେ ୨୨ ନଭେମ୍ବରରେ ଆୟୋଗ ସମ୍ମୁଖରେ ରିପୋର୍ଟ ରଖିବେ।