ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନରେ ଦେଶର ୫୪୩ ଲୋକସଭା ଆସନରୁ ୧୧୦ଟି ଆସନ ବ୍ୟୟବହୁଳ ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏହା ଆଗକୁ ବଢ଼ି ୧୫୦ ମଧ୍ୟ ଛୁଇଁପାରେ ବୋଲି ସୂଚନା ରହିଛି। ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଏହି ସବୁ ଆସନରେ ରାଜନୀତିକ ଦଳ ଏବଂ ପ୍ରାର୍ଥୀ ପ୍ରଚୁର ଟଙ୍କା ଖର୍ଚ୍ଚ କରିପାରନ୍ତି ବୋଲି କୁହାଯାଉଛି। ସେଣ୍ଟର ଫର ମିଡିଆ ଷ୍ଡଡ଼ିଜର ରିପୋର୍ଟ ଅନୁସାରେ ଚଳିତ ନିର୍ବାଚନରେ ୫୦ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏହି ସବୁ କ୍ଷେତ୍ର ଉପରେ କଡ଼ା ନଜର ରଖିବେ ନିର୍ବାଚନ କମିଶନ।
ସୂଚନାଯୋଗ୍ୟ, ଚଳିତ ୧୭ତମ ସାଧାରଣ ନିର୍ବାଚନ ପାଇଁ ଭୋଟଦାନ ୭ଟି ପର୍ଯ୍ୟାୟରେ ହେବାକୁ ଯାଉଛି। ଏପ୍ରିଲ ୧୧ରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇ ମେ ୧୯ରେ ଶେଷ ହେବାକୁ ଥିବାବେଳେ ମେ ୨୩ରେ ଭୋଟ ଗଣତି ହେବ।
ତାମିଲନାଡ଼ୁର ଅଧାରୁ ଅଧିକ ଲୋକସଭା ଆସନ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, କର୍ଣ୍ଣାଟକା ଏବଂ ଗୁଜରାଟରେ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ରାଜନୈତିକ ଦଳ ଗୁଡ଼ିକ ଅଧିକ ଟଙ୍କା ଖର୍ଚ୍ଚ କରିପାରନ୍ତି।
ତେବେ ଏ ସମସ୍ତ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ପାଇଁ ନିର୍ବାଚନ କମିଶନ ଦୁଇଟି ପର୍ଯ୍ୟବେକ୍ଷକ ଟିମ୍ ପଠାଇବାକୁ ଯାଉଛନ୍ତି। ଏହି ଟିମ୍ ସଂସଦୀୟ କ୍ଷେତ୍ରରେ ରାଜନୈତିକ ଦଳ ଗୁଡ଼ିକ ଦ୍ୱାରା ଖର୍ଚ୍ଚ ହେଉଥିବା ଟଙ୍କା ଉପରେ ନଜର ରଖିବେ। ନିର୍ବାଚନ କମିଶନ ଗତ ୧୫ ତାରିଖରେ ମଲ୍ଟି ଡିପାର୍ଟମେଣ୍ଟ ଇଲେକ୍ସନ ଇଣ୍ଟେଲିଜେନ୍ସ କମିଟି(ଏମଡିଆଇସି) ଗଠନ କରିଛନ୍ତି। ବ୍ୟୟବହୁଳ ନିର୍ବାଚନ ହେବା ଆଶଙ୍କା କରାଯାଉଥିବା ୧୫୦ଟି ସଂସଦୀୟ କ୍ଷେତ୍ର ଉପରେ ଏହି ଟିମର ସ୍ୱତନ୍ତ୍ର ନଜର ରହିବ। ଖାଲି ଟଙ୍କା ନୁହେଁ, ମଦ, ଖାଦ୍ୟ, ଘରୋଇ ଆସବାବ ପତ୍ର ବିତରଣ ଉପରେ ମଧ୍ୟ ଏହି ଟିମ୍ ନଜର ରଖିବ।
ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଆଧାରରେ ନିର୍ବାଚନ କମିଶନ ବିହିତ ପଦକ୍ଷେପ ନେବେ। ତେବେ ତାମିଲନାଡୁର ପ୍ରତି ସଂସଦୀୟ କ୍ଷେତ୍ରରେ ପ୍ରାର୍ଥୀଙ୍କ ଉପରେ ନଜର ରଖିବା ପାଇଁ ୩୯ ଜଣ ପର୍ଯ୍ୟବେକ୍ଷକକୁ ପଠାଯାଇଛି। ଆନ୍ଧ୍ରପ୍ରଦେଶରେ ୧୭୫ଟି ବିଧାନସଭା ଆସନରୁ ୧୧୬ଟି ଆସନରେ ନିର୍ବାଚନ ବ୍ୟୟବହୁଳ ହେବ ବୋଲି ଜଣାପଡ଼ିଛି। ସେହିପରି ୨୫ଟି ଲୋକସଭା ଆସନରୁ ୧୬ଟି ଲୋକସଭା ଆସନ ନିର୍ବାଚନ ଅଧିକାରୀଙ୍କ ରାଡାରରେ ରହିଛି। ତେଲେଙ୍ଗାନାର ୧୭ଟି ଲୋକସଭା, ବିହାରର ୪୦ଟି ଲୋକସଭା ଆସନରୁ ୨୧ରୁ ୨୬ଟି ଆସନ ଉପରେ ଦ୍ୱିସ୍ତରୀୟ ନିର୍ବାଚନ କମିଶନଙ୍କ ଟିମ୍ ନଜର ରଖିବେ।
ବ୍ୟୟବହୁଳ ହେବାକୁ ଯାଉଥିବା ଆସନ ତାଲିକା ମଧ୍ୟରେ ଗୁଜରାଟରେ ୨୮ଟି ଲୋକସଭା ଆସନରୁ ୧୮ରୁ ୨୬ଟି ଆସନ, କର୍ଣ୍ଣାଟକରେ ୨୮ଟି ଆସନରୁ ୧୨ଟି ଆସନ, ଉତ୍ତରାଖଣ୍ଡରେ ୫ଟି ଲୋକସଭା ଆସନରୁ ୪ଟି ଲୋକସଭା ଆସନ, ଜମ୍ମୁରେ ୬ଟି ଆସନରୁ ୨ଟି, ହରିଆଣା, ଛତିଶଗଡ଼ରେ ୩ଟି ଲୋକସଭା ଆସନ, ଗୋଆରେ ଗୋଟିଏ, ରାଜସ୍ଥାନରେ ୫ଟି, ପଞ୍ଜାବରେ ୬ଟି ଆସନ ରହିଛି।
ତେବେ ଅନ୍ୟାନ୍ୟ ରାଜ୍ୟଗୁଡ଼ିକରେ ହେବାକୁ ଥିବା ଲୋକସଭା ଆସନ ବ୍ୟୟବହୁଳ ହେବ କି ନାହିଁ, ସେ ନେଇ ନିର୍ବାଚନ କମିଶିନ ରିପୋର୍ଟ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।ନିକଟରେ ୨୦୧୭-୧୮ରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଥିଲା। ଯେଉଁଥିରେ ଭୋଟରଙ୍କୁ ବଣ୍ଟା ହେବାକୁ ଥିବା ମୋଟ ୨୯୬ କୋଟି ଟଙ୍କା ଜବତ ହୋଇଥିଲା।