/odisha-reporter/media/post_attachments/uploads/2018/09/te.jpg)
te
ଶ୍ରୀନଗର: ଜମ୍ମୁ-କଶ୍ମୀରର କୁଲଗାମ୍ରେ ଶନିବାର ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଗୋଟିଏ ଦିନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଉପତ୍ୟକାରେ ହଇଚଇ ସୃଷ୍ଟି କରୁଥିବା ୫ ଜଣ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛନ୍ତି। ଶନିବାର ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅପରାହ୍ଣରେ ହୋଇଥିବା ଏନ୍କାଉଣ୍ଟ୍ରରେ ଆଉ ୨ ଜଣଙ୍କ ଜୀବନ ଯାଇଛି।
ଏନ୍କାଉଣ୍ଟର୍ ସ୍ଥଳରୁ ସୁରକ୍ଷାକର୍ମୀମାନେ ବିପୁଳ ପରିମାଣର ବିସ୍ଫୋରକ ଓ ବନ୍ଧୁକ ଜବତ କରିଛନ୍ତି।
ନିହତ ୫ ଜଣ ଆତଙ୍କବାଦୀ ପାକିସ୍ତାନରେ ସକ୍ରିୟ ଲସ୍କର-ଏ-ତାଇବା ଓ ହିଜବୁଲ୍ ମୁଜାହିଦ୍ଦିନର ସଦସ୍ୟ। ନିହତଙ୍କ ମଧ୍ୟରେ ଥିବା ଜଣେ ଆତଙ୍କବାଦୀ ଗତବର୍ଷ ବ୍ୟାଙ୍କର କ୍ୟାଶ୍ ଭ୍ୟାନ୍ ଉପରେ ହୋଇଥିବା ଆତଙ୍କୀ ହମ୍ଲାରେ ସାମିଲ ଥିଲା। ଏଥିରେ ୫ ଜଣ ପୁଲିସ୍ କର୍ମଚାରୀ ଓ ୨ ଜଣ ବ୍ୟାଙ୍କ ଗାର୍ଡ ପ୍ରାଣ ହରାଇଥିଲେ।
କୁଲଗାମ୍ର ଚୌଗାମ୍ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା। ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅପରେସନ୍ ଆରମ୍ଭ କରାଯାଇଥିଲା। ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇଥିଲେ। ହେଲେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହାର ତୁରନ୍ତ ଜବାବ ଦିଆଯାଇ ନଥିଲା। ପ୍ରଥମେ ଏନ୍କାଉଣ୍ଟର ସ୍ଥଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବା ପରେ ଆତଙ୍କବାଦୀଙ୍କ ମୁକାବିଲା କରାଯାଇଥିଲା। ତଥାପି କିଛି ସ୍ଥାନୀୟ ଲୋକ ସୁରକ୍ଷାକର୍ମୀଙ୍କ ଉପରକୁ ଟେକା ପଥର ମାଡ଼ କରିଥିଲେ।
ଏନ୍କାଉଣ୍ଟ୍ର ପରେ ବାରମୁଲ୍ଲା ଓ କ୍ୱାଜିଗୁଣ୍ଡ ମଧ୍ୟରେ ରେଳସେବାକୁ ବନ୍ଦ ରଖାଯାଇଛି। ସେହିପରି ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳରେ ଇଣ୍ଟରନେଟ୍ ସେବା ଉପରେ ରୋକ ଲଗାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
