Advertisment

ଆବେଙ୍କ ଅବସ୍ଥା ସଙ୍କଟାପନ୍ନ, କାମ କରୁନି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ

ଟୋକିଓ: ଗୁଳି ମାଡ଼ ଯୋଗୁ ଗୁରୁତର ହୋଇପଡ଼ିଥିବା ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅବସ୍ଥା କ୍ରମଶଃ ସଙ୍କଟାପନ୍ନ ହେବାରେ ଲାଗିଛି। ତାଙ୍କ ହାର୍ଟ କାମ କରିବା ବନ୍ଦ କରି ଦେଇଥିବା ବେଳେ ଶ୍ୱାସକ୍ରିୟା ଚାଲୁ ନ ଥିବା ଜଣାଯାଇଛି। ସିଞ୍ଜୋଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କ ଜୀବନ ରକ୍ଷା ପାଇଁ ଡାକ୍ତରୀ ଦଳ ଯଥାସାଧ୍ୟ ଚେଷ୍ଟା ଚଳାଇଥିବା କହିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫ୍ୟୁମିଓ କିସିଡା। ଭଗବାନ ତାଙ୍କ ପ୍ରତି ସହାୟ ହେବା ସହ ଏପରି […]

author-image
Niharika Rout
ଅଦ୍ୟତନ ହୋଇଛି
ଆବେଙ୍କ ଅବସ୍ଥା ସଙ୍କଟାପନ୍ନ, କାମ କରୁନି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ

shinzo-abe

ଟୋକିଓ: ଗୁଳି ମାଡ଼ ଯୋଗୁ ଗୁରୁତର ହୋଇପଡ଼ିଥିବା ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅବସ୍ଥା କ୍ରମଶଃ ସଙ୍କଟାପନ୍ନ ହେବାରେ ଲାଗିଛି। ତାଙ୍କ ହାର୍ଟ କାମ କରିବା ବନ୍ଦ କରି ଦେଇଥିବା ବେଳେ ଶ୍ୱାସକ୍ରିୟା ଚାଲୁ ନ ଥିବା ଜଣାଯାଇଛି।

Advertisment

ସିଞ୍ଜୋଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କ ଜୀବନ ରକ୍ଷା ପାଇଁ ଡାକ୍ତରୀ ଦଳ ଯଥାସାଧ୍ୟ ଚେଷ୍ଟା ଚଳାଇଥିବା କହିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫ୍ୟୁମିଓ କିସିଡା। ଭଗବାନ ତାଙ୍କ ପ୍ରତି ସହାୟ ହେବା ସହ ଏପରି କଷ୍ଟ ସମୟ ଅତିକ୍ରମ କରିବା ନିମନ୍ତେ ସାହସ ଦେବାକୁ ସେ ପ୍ରାର୍ଥନା କରିଛନ୍ତି। ଏଥିସହ ସିଞ୍ଜୋଙ୍କ ଆଶୁ ଆରୋଗ୍ୟ ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ।

ଆସନ୍ତା ରବିବାର ହେବାକୁ ଥିବା ଜାପାନର ଉଚ୍ଚ ସଦନ ନିର୍ବାଚନ ପୂର୍ବରୁ ନାରା ସହରରେ ଆଜି ସକାଳେ କ୍ୟାମ୍ପେନିଂ କରୁଥିଲେ ସିଞ୍ଜୋ ଆବେ। ଏହି ସମୟରେ ହଠାତ୍‌ ପଛ ପଟୁ ତାଙ୍କ ଉପରକୁ ଜଣେ ବ୍ୟକ୍ତି ଅତର୍କିତ ଭାବେ ୨ ରାଉଣ୍ଡ ଗୁଳି ଚାଳନା କରିଥିଲେ। ଘଟଣାସ୍ଥଳରେ ହିଁ ସିଞ୍ଜୋ ଆବେ ଟଳି ପଡ଼ିଥିବା ବେଳେ ତାଙ୍କ ଶରୀରରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ନାରା ମେଡିକାଲ ୟୁନିଭରସିଟି ହସ୍ପିଟାଲକୁ ପଠାଯାଇଛି।

Advertisment

ଅତ୍ୟଧିକ ରକ୍ତସ୍ରାବ ହେତୁ ସିଞ୍ଜୋ ହୃଦଘାତର ଶିକାର ହୋଇଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍‌ କହିଛନ୍ତି। ଏଥିନିମନ୍ତେ ତାଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ କାମ କରୁ ନ ଥିବା ଜଣାଯାଇଛି।

ସିଞ୍ଜୋ ଆବେଙ୍କ ଉପରକୁ ଗୁଳି ଚଳାଇଥିବା ବ୍ୟକ୍ତିଙ୍କୁ ତୁରନ୍ତ କାବୁ କରି ଗିରଫ କରାଯାଇଛି। ତାଙ୍କ ନିକଟରୁ ଏକ ବନ୍ଧୁକ ଜବତ ହୋଇଛି। ତାଙ୍କ ନାମ ୟାମାଗାମି ତେତସୁୟା (Yamagami Tetsuya ) ହୋଇଥିବା ବେଳେ ବୟସ ୪୧ ବର୍ଷ ବୋଲି ଜଣାଯାଇଛି। ସେ ପୂର୍ବରୁ ସେଲ୍ଫ ଡିଫେନ୍ସ ଫୋର୍ସର ସଦସ୍ୟ ଥିବା ଜଣାଯାଇଛି। ୟାମାଗାମିଙ୍କ ଉପରେ ହତ୍ୟା ଉଦ୍ୟମ ପରି ସଙ୍ଗୀନ ଦଫା ଲଗାଯାଇଛି।

ସିଞ୍ଜୋ ଆବେ ଜାପାନରେ ସବୁଠୁ ଅଧିକ ଦିନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି। ୨୦୦୬-୦୭, ୨୦୧୨-୨୦୨୦ ଯାଏଁ ସେ ଜାପାନର ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। ମାତ୍ର ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ରହୁ ନ ଥିବାରୁ ସିଞ୍ଜୋ ଆବେ ପ୍ରଧାନମନ୍ତ୍ରୀ ପଦରୁ ୨୦୨୦ ମସିହାରେ ଇସ୍ତଫା ଦେଇଦେଇଥିଲେ। ସିଞ୍ଜୋ ଆବେଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ ଭାରତ ସହ ଜାପାନ ସମ୍ପର୍କ ଅଧିକ ସୁଦୃଢ ହୋଇଥିଲା।

Japan Shinzo Abe