/odisha-reporter/media/post_attachments/uploads/2020/09/kaur.jpg)
harsimat
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ନୂଆ ଚାଷ ବିଲ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିପରିଷଦରୁ ଇସ୍ତଫା ଦେଇଛନ୍ତି ଅକାଳୀ ଦଳର ହରସିମରନ କାଉର ବାଦଲ। ଏହା ଘୋଷଣା କରିଛନ୍ତି ତାଙ୍କ ସ୍ୱାମୀ ତଥା ଶିରୋମଣି ଅକାଳୀ ଦଳର ନେତା ସୁଖବୀର ସିଂହ ବାଦଲ। ମୋଦୀ ମନ୍ତ୍ରିମଣ୍ଡଳରେ ହରସିମରନ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ଥିଲେ।
ଚାଷ ଓ ଚାଷୀଙ୍କ ଉନ୍ନତି ଉଦ୍ଦେଶ୍ୟରେ ମୋଦୀ ସରକାର ତିନିଟି ଅଧ୍ୟାଦେଶ ଜାରି କରିଥିଲେ। ଏବେ ସଂସଦ ଅଧିବେଶରେ ଏ ସଂପର୍କୀତ ବିଲ୍କୁ ଆଇନରେ ପରିଣତ କରିବାକୁ ଆଗତ କରାଯାଇଛି। ଶିରୋମଣି ଅକାଳୀ ଦଳ ପ୍ରଥମେ ଏହି ବିଲ୍କୁ ସମର୍ଥନ କରୁଥିଲା। କିନ୍ତୁ ପଞ୍ଜାବ ଓ ହରିଆନାରେ ଏହି ପ୍ରସ୍ତାବିତ ବିଲ୍ ବିରୋଧରେ ସପ୍ତାହେ ହେଲାଣି ଜୋରଦାର ଆନ୍ଦୋଳନ ଚଳାଇଥିବାରୁ ଦଳ ରାଜନୀତିକ ଉଦ୍ଦେଶ୍ୟରେ ମତ ପରିବର୍ତ୍ତନ କରିଛି। ପଞ୍ଜାବ ଓ ହରିଆଣାର ଚାଷୀମାନଙ୍କର ମତ ହେଉଛି ଏହି ବିଲ୍ ଆଇନରେ ପରିଣତ ହେଲେ ଚାଷୀମାନେ ଅଧିକ କ୍ଷତିର ସମ୍ମୁଖୀନ ହେବେ।
ଚାଷୀ ଆନ୍ଦୋଳନ ପୃଷ୍ଠଭୂମିରେ ସରକାର ପ୍ରଥମେ ସେମାନଙ୍କ ସମସ୍ୟା ସମାଧାନ କରିବା ପରେ ସଂସଦରେ ବିଲ୍ ପାଶ୍ କରିବାକୁ ଅକାଳୀ ଦଳ ପ୍ରସ୍ତାବ ଦେଇଥିଲା। କିନ୍ତୁ ତାହାକୁ ସରକାର ଗ୍ରହଣ କରି ନଥିଲେ। ତେଣୁ ଆଜି ସଂସଦରେ ଅକାଳୀ ଦଳର ନେତା ତଥା କେନ୍ଦ୍ର ମନ୍ତ୍ରୀ ହରସିମରନ କାଉରଙ୍କ ସ୍ୱାମୀ ସୁଖବୀର ସିଂହ ବାଦଲ ଏହି ବିଲ୍କୁ ବିରୋଧ କରିବା ସହିତ ତାଙ୍କ ଦଳର ମନ୍ତ୍ରୀ ନିଜ ପଦତ୍ୟାଗ କରିଛନ୍ତି ବୋଲି ଘୋଷଣା କରିଛନ୍ତି।
ତେବେ ସେ କହିଛନ୍ତି ଯେ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ତାଙ୍କ ଦଳ ଏହି ବିଲ୍କୁ ବିରୋଧ କରୁଛି। ତେବେ କେନ୍ଦ୍ର ସରକାରଙ୍କୁ ତାଙ୍କ ଦଳର ସମର୍ଥନ ଜାରି ରହିବ। କେବଳ ଚାଷ ଓ ଚାଷୀ ବିରୋଧୀ ସରକାରୀ ନିଷ୍ପତ୍ତିକୁ ତାଙ୍କ ଦଳ ବିରୋଧ କରିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
