ହାଇଦ୍ରାବାଦ୍(ଓଡ଼ିଶା ରିପୋର୍ଟର୍): ଏକ ସରକାରୀ ବିଜ୍ଞାପନରେ ଜଣେ ମହିଳା ଓ ତାଙ୍କ ଝିଅର ଫଟୋ ସହ ଅନ୍ୟଜଣେ ବ୍ୟକ୍ତିଙ୍କ ଫଟୋକୁ ଯୋଡ଼ି ସମସ୍ତଙ୍କୁ ଗୋଟିଏ ପରିବାର ବୋଲି ଦର୍ଶାଯାଇଛି। ଆଉ ଏହି ବିଜ୍ଞାପନ ବିଭିନ୍ନ ଖବରକାଗଜରେ ବାହାରିବା ପରେ ସଂପୃକ୍ତ ମହିଳାଙ୍କ ପାଇଁ ସାମାଜିକ ସମସ୍ୟା ସୃଷ୍ଟି କରିଛି।
ତେଲେଙ୍ଗାନା ସରକାରଙ୍କ ଏହି ତ୍ରୁଟିଯୁକ୍ତ ବିଜ୍ଞାପନ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ମଧ୍ୟ ହୋଇଛି।
ବିଭିନ୍ନ ଖବରକାଗଜରେ ଏହି ବିଜ୍ଞାପନ ବାହାରିବା ପରେ ପଦ୍ମା ଅଭିଯୋଗ କରିଛନ୍ତି, ଅନ୍ୟଜଣେ ପୁରୁଷଙ୍କୁ ବିଜ୍ଞାପନରେ ତାଙ୍କ ସ୍ୱାମୀ ଭାବେ ଚିତ୍ରଣ କରାଯାଇଥିବାରୁ ସେ ରହୁଥିବା ସ୍ଥାନୀୟ ଅଞ୍ଚଳର ଲୋକେ ଏଥିପାଇଁ ତାଙ୍କୁ ତାତ୍ସଲ୍ୟ କରୁଛନ୍ତି। ଏପରିକି ବନ୍ଧୁବାନ୍ଧବ ମଧ୍ୟ ତାଙ୍କ ଘରକୁ ଆସିବା ପାଇଁ ନାପସନ୍ଦ କରୁଥିବା ପଦ୍ମା କହିଛନ୍ତି।
'ରାଇଥୁ ବୀମା' (Rythu Bhima) ହେଉଛି, କୃଷକମାନଙ୍କ ପାଇଁ ଏକ ବୀମା ଯୋଜନା ଏବଂ 'କାନ୍ତି ଭେଲୁଗୁ' ହେଉଛି, ଆଖି ପରୀକ୍ଷା ସମ୍ପର୍କିତ ଯୋଜନା। ଏହି ଦୁଇ ଯୋଜନାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଶ୍ରୀ ଚନ୍ଦ୍ରଶେଖର ରାଓ ଗତ ଅଗଷ୍ଟ ୧୫, ସ୍ୱାଧୀନତା ଦିବସ ଅବସରରେ ଶୁଭାରମ୍ଭ କରିଥିଲେ। ଏହି ଦୁଇ ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବା ପାଇଁ ବିଭିନ୍ନ ଖବରକାଗଜରେ ସଂପୂର୍ଣ୍ଣ ପୃଷ୍ଠାର ବିଜ୍ଞାପନ ଛପାଯାଇଥିଲା। ତେବେ 'ରାଇଥୁ ବୀମା' ଯୋଜନାର ବିଜ୍ଞାପନରେ ଅଭିଯୋଗକାରିଣୀ ମହିଳାଙ୍କ ସମେତ ଅନ୍ୟ ଜଣେ ବ୍ୟକ୍ତିଙ୍କ ଫଟୋ ରହିଥିଲା।
ପଦ୍ମାଙ୍କ ସ୍ୱାମୀ ନୟାକୁଲା ନାଗାରାଜୁ କହିଛନ୍ତି, “୩ବର୍ଷ ତଳେ ସେ ପଦ୍ମା ଓ ଝିଅଙ୍କ ସହିତ ୟାଦାଗିରିଗୁଟା ନିକଟସ୍ଥ ଭଙ୍ଗାପାଲିକୁ ଯାଇଥିଲେ। ସେଠାରେ କିଛି ଲୋକ ତାଙ୍କୁ ଋଣ ଦେବାକୁ କହିଥିଲେ ଏବଂ ଏହା ବଦଳରେ ତାଙ୍କ ପରିବାରର ଏକ ଫୋଟୋ ନେବାପାଇଁ ଚାହିଁଥିଲେ। କିନ୍ତୁ ପ୍ରକାଶିତ ବିଜ୍ଞାପନରେ ତାଙ୍କ ଫୋଟୋକୁ ପତ୍ନୀ ଓ ଝିଅର ଫଟୋ ସହ ନରଖି, ଅନ୍ୟ ଜଣେ ବ୍ୟକ୍ତିଙ୍କର ଫୋଟୋ ଲଗାଇ ସମସ୍ତଙ୍କୁ ଗୋଟିଏ ପରିବାରର ବୋଲି ଦର୍ଶାଯାଇଛି।"
ନାଗାରାଜୁ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କର ନିଜସ୍ୱ ଜମି ନଥିବାରୁ ସେ 'ରାଇଥୁ ବୀମା' ଯୋଜନାର ସୁଫଳ ପାଇଁ ଆବେଦନ ମଧ୍ୟ କରିପାରିବେ ନାହିଁ। ସେହିଭଳି ତାଙ୍କ ପରିବାରର ଫୋଟୋକୁ ବିଜ୍ଞାପନରେ ଅପବ୍ୟବହାର କରାଯାଇଛି ବୋଲି ପଦ୍ମା କହିଛନ୍ତି।
ଏନେଇ ପଦ୍ମାଙ୍କ ସ୍ୱାମୀ ନାଗାରାଜୁ ସ୍ଥାନୀୟ ସରପଞ୍ଚଙ୍କ ପାଖରେ ଅଭିଯୋଗ କରିଥିଲେ ହେଁ କୌଣସି ସୁଫଳ ମିଳି ନଥିଲା।
ଏହି ପ୍ରସଙ୍ଗରେ ନାଗାରାଜୁଙ୍କ ପରିବାର କିଛି କଂଗ୍ରେସ ନେତାଙ୍କୁ ଭେଟିବା ସହ ତେଲେଙ୍ଗାନା ସରକାରଙ୍କ ନିକଟରେ କ୍ଷତିପୂରଣ ପାଇଁ ଦାବି କରିଛନ୍ତି।
ତେଲେଙ୍ଗାନା ସରକାରଙ୍କ ସୂଚନା ଏବଂ ଲୋକସମ୍ପର୍କ ବିଭାଗର କମିଶନର୍ ଏ ସମ୍ପର୍କରେ କହିଛନ୍ତି ଯେ ଘଟଣାର ତଦନ୍ତ ଆରମ୍ଭ ହୋଇଛି ଏବଂ ଦୁଇଟି ବିଜ୍ଞାପନ ସଂସ୍ଥାକୁ ନୋଟିସ୍ ପଠାଯାଇଛି। ସଂପୃକ୍ତ ବିଜ୍ଞାପନ ସଂସ୍ଥା, କିପରି ପରିବାରର ବିନା ଅନୁମତିରେ ଏହି ଫଟୋର ବ୍ୟବହାର କରିଛନ୍ତି, ସେଥିପାଇଁ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।