Advertisment

୫୨ ବର୍ଷ ବୟସରେ ନିଟ୍‌ ପାସ୍‌ କଲେ ବ୍ୟବସାୟୀ, ରହିଛି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ

ଅହମଦାବାଦ: ବୟସ କେବଳ ଗୋଟିଏ ସଂଖ୍ୟା। ଇଚ୍ଛା ଶକ୍ତି ଓ ଜ୍ଞାନ ଆଗରେ ବୟସର ମୂଲ୍ୟ କିଛିନାହିଁ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ୫୨ ବର୍ଷୀୟ ପ୍ରଦୀପ କୁମାର ସିଂହ। ସେ ଜଣେ ବ୍ୟବସାୟୀ ହୋଇଥିଲେ ମଧ୍ୟ ୫୨ ବର୍ଷ ବୟସରେ ମେଡିକାଲ କଲେଜରେ ନାଁ ଲେଖାଇବା ପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷା ନିଟ୍‌ରେ କୃତକାର୍ଯ୍ୟ ହୋଇଛନ୍ତି। ବୁଧବାର ନିଟ୍‌ ରେଜଲ୍ଟ ପ୍ରକାଶ ପାଇଥିଲା। ଅନଲାଇନରେ ରେଜଲ୍ଟ ଦେଖି ପ୍ରଦୀପ ନିଜ ସ୍ୱପ୍ନକୁ ପୂରଣ କରିପାରିଥିବା କହିଛନ୍ତି। […]

author-image
Hemant Lenka
ଅଦ୍ୟତନ ହୋଇଛି
୫୨ ବର୍ଷ ବୟସରେ ନିଟ୍‌ ପାସ୍‌ କଲେ ବ୍ୟବସାୟୀ, ରହିଛି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ

pradeep

ଅହମଦାବାଦ: ବୟସ କେବଳ ଗୋଟିଏ ସଂଖ୍ୟା। ଇଚ୍ଛା ଶକ୍ତି ଓ ଜ୍ଞାନ ଆଗରେ ବୟସର ମୂଲ୍ୟ କିଛିନାହିଁ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ୫୨ ବର୍ଷୀୟ ପ୍ରଦୀପ କୁମାର ସିଂହ। ସେ ଜଣେ ବ୍ୟବସାୟୀ ହୋଇଥିଲେ ମଧ୍ୟ ୫୨ ବର୍ଷ ବୟସରେ ମେଡିକାଲ କଲେଜରେ ନାଁ ଲେଖାଇବା ପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷା ନିଟ୍‌ରେ କୃତକାର୍ଯ୍ୟ ହୋଇଛନ୍ତି। ବୁଧବାର ନିଟ୍‌ ରେଜଲ୍ଟ ପ୍ରକାଶ ପାଇଥିଲା। ଅନଲାଇନରେ ରେଜଲ୍ଟ ଦେଖି ପ୍ରଦୀପ ନିଜ ସ୍ୱପ୍ନକୁ ପୂରଣ କରିପାରିଥିବା କହିଛନ୍ତି।

Advertisment

ଦୀର୍ଘ ୩ ଦଶନ୍ଧି ଧରି ପାଠପଢ଼ା ସହ ଟଚରେ ନଥିବା ପ୍ରଦୀପ ଅହମଦାବାଦର ବୋଡାକଦେବ ଠାରେ ବ୍ୟବସାୟ କରନ୍ତି। ସେ ଜଣେ ସଫଳ ବ୍ୟବସାୟୀ ହୋଇଥିବା ବେଳେ ଏବେ ନିଟରେ ୭୨୦ରୁ ୬୦୭ ମାର୍କ ସ୍କୋର କରିଛନ୍ତି। ତେବେ ସେ ଧଳା କୋଟ ପିନ୍ଧି ଡାକ୍ତର ହେବାକୁ ନିଟ୍ ପରୀକ୍ଷା ଦେଇ ନଥିଲେ। ବରଂ ନିଟ୍ ପରୀକ୍ଷା ଦେବାକୁ ଚାହୁଁଥିବା ଗରିବ ପିଲାମାନଙ୍କୁ ପାଠପଢ଼ାଇବା ପାଇଁ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି। ନିଜେ କୃତକାର୍ଯ୍ୟ ହୋଇଥିବାରୁ ପ୍ରଦୀପ ଢେର ଆତ୍ମବିଶ୍ୱାସର ସହ ଗରିବ ପିଲାମାନଙ୍କୁ ମାଗଣାରେ ନିଟ୍ ପାଇଁ ପ୍ରସ୍ତୁତ କରିପାରିବେ ବୋଲି କହିଛନ୍ତି।

ଶ୍ରୀ ସିଂହ କହିଛନ୍ତି, “୫୨ ବର୍ଷ ବୟସରେ ମୁଁ ୯୮.୯୮% ମାର୍କ ରଖିଛି। କୌଣସି ମେଡିକାଲ କଲେଜରେ ନାଁ ଲେଖାଇବା ମୋର ଉଦ୍ଦେଶ୍ୟ ନୁହେଁ। କିନ୍ତୁ ଗରିବ ପିଲାମାନଙ୍କୁ ମାଗଣା ନିଟ୍‌ କୋଚିଂ ଦେବା ମୋର ଲକ୍ଷ୍ୟ।”

Advertisment

ପ୍ରଦୀପଙ୍କ ଏହି ଯାତ୍ରାରେ ତାଙ୍କ ପୁଅ ବିଜନ ସ୍ନେହାଂଶ ପୂରା ସମର୍ଥନ କରିଛନ୍ତି। ବିଜନ ଏବେ ଇଲିସବ୍ରିଜ୍‌ରେ ଥିବା ଏନଏଚ୍‌ଏଲ ମେଡିକାଲ କଲେଜର ତୃତୀୟ ବର୍ଷ ଏମବିବିଏସ୍‌ ଛାତ୍ର। ପ୍ରଦୀପ ୧୯୮୭ରେ ଦିଲ୍ଲୀରୁ ଦ୍ୱାଦଶ ଶ୍ରେଣୀର ବିଜ୍ଞାନ ପାଠ୍ୟକ୍ରମରେ ୭୧% ମାର୍କ ସହ ପାସ ହୋଇଥିଲେ। ଏହାପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ବ୍ୟାଚଲର ଡିଗ୍ରୀ ହାସଲ କରିଥିଲେ। ପ୍ରାଥମିକ ଅବସ୍ଥାରେ ସେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ କାମ କରୁଥିଲେ। ଏହାପରେ ସେ ନିଜସ୍ୱ ଟ୍ରେଡ ବ୍ୟବସାୟ ଆରମ୍ଭ କରିଥିଲେ।

୨୦୧୯ରେ ବିଜନ ନିଟ୍‌ ପରୀକ୍ଷା ଦେଇଥିଲେ ଓ ୫୯୫ ମାର୍କ ରଖିଥିଲେ। ଏ ସମ୍ପର୍କରେ ପ୍ରଦୀପ କହିଛନ୍ତି, “ଯେତେବେଳେ ମୋ ପୁଅ ନିଟ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କଲା ମୋତେ ବହୁତ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ମୁଁ ଋଣରେ ଟଙ୍କା ଆଣି ତା’କୁ ସହଯୋଗ କରିଥିଲି। ଏହି ସମୟରେ କୋଚିଂ ସେଣ୍ଟରଗୁଡ଼ିକ ମୋଟା ଅଙ୍କର ଚାର୍ଜ ନେଉଥିବା ମୁଁ ହୃଦୟଙ୍ଗମ କରିଥିଲି।

ଏହି ମୋଟା ଅର୍ଥ ଯୋଗୁ ଗରିବ ପିଲାମାନେ ନିଟ୍‌ରୁ ବଞ୍ଚିତ ହେଉଛନ୍ତି। ମୋ ପୁଅ ବାୟୋଲୋଜିରେ ଦକ୍ଷ। ମୁଁ ଫିଜିକ୍ସ ଓ କେମେଷ୍ଟ୍ରୀ ବିଷୟରେ ଜାଣିଛି। ଆମେ ମାଗଣାରେ ଏହି ୩ ବିଷୟକୁ ପଢ଼ାଇବାକୁ ନିଷ୍ପତ୍ତି ନେଇଥିଲୁ। ବର୍ତ୍ତମାନ ଆମେ ଏକାଧିକ ପିଲାମାନଙ୍କୁ ପାଠପଢ଼ାଉଛୁ। ଯେଉଁମାନଙ୍କ ବାପା ମା’ ଶ୍ରମିକ ଓ ଦିନ ମଜୁରିଆ ଭାବେ କାମ କରୁଛନ୍ତି, ସେମାନଙ୍କୁ ଆମେ ମାଗଣାରେ ନିଟ୍‌ ପାଇଁ ପ୍ରସ୍ତୁତ କରୁଛୁ।

ତଥାପି ବିଶ୍ୱାସ କମ ରହିଥିବା ମୁଁ ଅନୁଭବ କରିଥିଲି। ମୁଁ ନିଜେ ପରୀକ୍ଷା ନ ଦେଇ କେମିତି ଅନ୍ୟମାନଙ୍କୁ ପଢ଼ାଇବି ବୋଲି ଚିନ୍ତା କରିଥିଲି। ଏହାକୁ ଦୃଷ୍ଟିରେ ରଖି ମୁଁ ମଧ୍ୟ ନିଟ୍‌ ପରୀକ୍ଷା ଦେଇଥିଲି। ୨୦୨୧ରେ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ଓ ନ୍ୟାଶନାଲ ମେଡିକାଲ କାଉନସିଲ ନିଟ୍‌ ପାଇଁ ଧାର୍ଯ୍ୟ ବୟସକୁ ଉଠାଇ ଦେଇଥିଲେ।

ମୋ ହାତରେ କମ ସମୟ ଥିଲେ ମଧ୍ୟ ମୁଁ ପ୍ରସ୍ତୁତି ଆରମ୍ଭ କରିଥିଲି। ଜୁଲାଇ ମାସର ନିଟ ପାଇଁ ଫେବୃଆରୀର ମାସରେ ମୋର ପ୍ରସ୍ତୁତି ଆରମ୍ଭ ହୋଇଥିଲା। ମୁଁ ବହୁତ କଠିନ ପରିଶ୍ରମ କରିଥିଲି ଓ ୯୮.୯୮% ମାର୍କ ମଧ୍ୟ ରଖିଛି।

ବର୍ତ୍ତମାନ ମୁଁ ପିଲାମାନଙ୍କ ମଧ୍ୟରେ ବିଶ୍ୱାସ ବଢ଼ାଇ ପାରିବି। ଯେଉଁମାନେ ମୋ ଠାରୁ ଓ ମୋ ପୁଅ ଠାରୁ କୋଚିଂ ନେବାକୁ ଆସୁଛନ୍ତି, ସେମାନଙ୍କର ମଧ୍ୟ ବିଶ୍ୱାସ ଆମ ଉପରେ ରହିବ।”

୫୨ ବର୍ଷୀୟ ପ୍ରଦୀପ ଗୁଜରାଟରେ ନିଜ ପତ୍ନୀ, ଝିଅ ଓ ପୁଅଙ୍କ ସହ ରହୁଛନ୍ତି।