/odisha-reporter/media/post_attachments/uploads/2022/10/Mangalyaan.jpg)
Mangalyaan
ନୂଆଦିଲ୍ଲୀ: ବିଦାୟ ନେଲା ମଙ୍ଗଳଯାନ। ଭାରତର ପ୍ରଥମ ତଥା ଐତିହାସିକ ମଙ୍ଗଳ ମିଶନ ସମାପ୍ତ ହୋଇଥିବା ଚର୍ଚ୍ଚା ହେଉଛି। ଦୀର୍ଘ ୮ ବର୍ଷ ଧରି ମଙ୍ଗଳ ଗ୍ରହ ଚାରିପଟେ ବୁଲିବା ପରେ, ଇନ୍ଧନ ଓ ବ୍ୟାଟେରୀ ଶେଷ ହୋଇଯିବା କାରଣରୁ ମଙ୍ଗଳଯାନର କାର୍ଯ୍ୟକାଳ ସମାପ୍ତ ହୋଇଛି। ଇସ୍ରୋ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିଲେ ମଧ୍ୟ, ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି।
ମଙ୍ଗଳଯାନକୁ ବିନା ସୂର୍ଯ୍ୟୋଲୋକରେ ମାତ୍ର ୧ ଘଣ୍ଟା ୪୦ ମିନିଟ ପାଇଁ କାର୍ଯ୍ୟକ୍ଷମ ରହିବା ଭଳି ଡିଜାଇନ୍ କରାଯାଇଛି। ତେବେ ନିକଟ ଅତୀତରେ ଲଗାତାର ମଙ୍ଗଳ ଗ୍ରହରେ ସୂର୍ଯ୍ୟପରାଗ ହୋଇଥିଲା। ଗୋଟିଏ ସୂର୍ଯ୍ୟପରାଗ ସାଢ଼େ ୭ ଘଣ୍ଟା ଧରି ଚାଲିଥିଲା। ଏଥିଯୋଗୁଁ ମଙ୍ଗଳଯାନର ବ୍ୟାଟେରୀ ଉପରେ ପ୍ରଭାବ ପଡ଼ିଛି ଏବଂ ଏହା ଅଚଳ ହୋଇଯାଇଛି। ଯାନ ସହ ଯୋଗାଯୋଗ ମଧ୍ୟ ବିଛିନ୍ନ ହୋଇଯାଇଛି।
୪୫୦ କୋଟି ଟଙ୍କାରେ ନିର୍ମିତ ମଙ୍ଗଳଯାନ ୨୦୧୩ରେ ଭୂପୃଷ୍ଠରୁ ଉତ୍କ୍ଷେପଣ ହୋଇଥିଲା। ୨୦୧୪ ସେପ୍ଟେମ୍ବର ୨୪ରେ ମଙ୍ଗଳ ଗ୍ରହର କକ୍ଷପଥରେ ଏହା ପ୍ରବେଶ କରିଥିଲା। ପ୍ରଥମ ପ୍ରଚେଷ୍ଟାରେ ମଙ୍ଗଳକୁ ସଫଳତାର ସହ ଯାନ ପଠାଇ ଇତିହାସ ରଚିଥିଲା ଭାରତ। ଏଥିରେ ସମୁଦାୟ ୧୫ କିଲୋ ଓଜନର ୫ଟି ‘ସାଇଣ୍ଟିଫିକ୍ ପ୍ଲେଲୋଡ୍’ ଯାଇଥିଲା।
ମାତ୍ର ୬ ମାସ ପାଇଁ ଏହାକୁ ଡିଜାଇନ କରାଯାଇଥିଲେ ମଧ୍ୟ, ଏହା ଦୀର୍ଘ ୮ ବର୍ଷ ଧରି କାର୍ଯ୍ୟ କରିଥିଲା। ୮ ବର୍ଷ ଭିତରେ ମଙ୍ଗଳ ଗ୍ରହ ସମ୍ପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ଫଟୋ ଓ ତଥ୍ୟ ପଠାଇଛି ମଙ୍ଗଳଯାନ। ଭବିଷ୍ୟତରେ ମଙ୍ଗଳଯାନ-୨ ମିଶନ ପାଇଁ ମଧ୍ୟ ଲକ୍ଷ୍ୟ ରଖିଛି ଇସ୍ରୋ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
