/odisha-reporter/media/post_attachments/uploads/2021/08/Twitter-Rahul..jpg)
Twitter-Rahul.
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ସମେତ ଅନେକ କଂଗ୍ରେସ ନେତାଙ୍କ ଟ୍ୱିଟର ଆକାଉଣ୍ଟକୁ ଅଚଳ କରି ଦେଇଛି ଟ୍ୱିଟର। ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରର ଏଭଳି ପଦକ୍ଷେପ ଗଣତନ୍ତ୍ର ଉପରେ ପ୍ରହାର ବୋଲି କଂଗ୍ରେସ କହିଛି। ବିରୋଧୀଙ୍କ ସ୍ୱରକୁ ଚପାଇବାକୁ ଯାଇ ମୋଦି ସରକାର ଟ୍ୱିଟର ଦ୍ୱାରା ଏପରି କରାଉଛନ୍ତି ବୋଲି କଂଗ୍ରେସ କହିଛି। ଅନ୍ୟପଟେ ଯେଉଁ କାରଣ ପାଇଁ ଟ୍ୱିଟର କଂଗ୍ରେସ ନେତାଙ୍କ ଉପରେ ଏଭଳି ପଦକ୍ଷେପ ନେଇଛି ବୋଲି ଯୁକ୍ତି ଦର୍ଶାଇଛି ସେ ନେଇ କିନ୍ତୁ କଂଗ୍ରେସ ନିରବ ରହିଛି।
ଟ୍ୱିଟର କହିଛି ଯେ ରାହୁଲ ଗାନ୍ଧୀ ଜଣେ ନଅ ବର୍ଷର ନାବାଳିକା ଯିଏକି ଦୁଷ୍କର୍ମ ପରେ ମୃତ୍ୟୁର ଶିକାର ହୋଇଛନ୍ତି ତାଙ୍କ ବାପା, ମାଙ୍କ ଫଟୋକୁ ଟୁଇଟ୍ କରି ଶେଆର କରିଥିଲେ। ମୃତ ନାବାଳିକା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିବାରୁ ତାଙ୍କ ପରିବାରର କୌଣସି ବ୍ୟକ୍ତିଙ୍କ ସୂଚନା ସାର୍ବଜନୀନ କରିହେବ ନାହିଁ। ଭାରତୀୟ ନିୟମ ଅନୁଯାୟୀ ଏଭଳି ଫଟୋ ଶେଆର କରିବା ଅପରାଧ। ତେଣୁ ନ୍ୟାସନାଲ କମିଶନ ଫର ପ୍ରୋଟେକସନ ଅଫ୍ ଚାଇଲ୍ଡ ରାଇଟ୍ସ (ଏନସିପିସିଆର) ରାହୁଲଙ୍କ ବିରୋଧରେ ଅଭିଯୋଗ କରିଥିଲା। ରାହୁଲ ଗାନ୍ଧୀଙ୍କ ଏହି ଫଟୋ ପୋକସୋ ଆକ୍ଟ ସହିତ ଜୁଭେନାଇଲ ଆକ୍ଟକୁ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଥିଲା। ତେଣୁ ରାହୁଲ ଗାନ୍ଧୀଙ୍କ ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଟ୍ୱିଟର କହିଥିଲା। ପରେ ରାହୁଲଙ୍କ ଏହି ଟ୍ୱିଟକୁ ଯେଉଁମାନେ ରିଟ୍ୱିଟ୍ କରିଛନ୍ତି ସେମାନଙ୍କ ଆକାଉଣ୍ଟକୁ ମଧ୍ୟ ଟ୍ୱିଟର ଅଚଳ କରି ଦେଉଛି।
ତେବେ ଟ୍ୱିଟରର ଏପରି ପଦକ୍ଷେପକୁ ନେଇ କଂଗ୍ରେସ ଏବଂ ଦଳର ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଳି କରିବା ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି ରାହୁଲ ଗାନ୍ଧୀ ୟ୍ୟୁଟ୍ୟୁବରେ ଏକ ଭିଡିଓ ଜାରି କରି କହିଛନ୍ତି। ଟ୍ୱିଟର ଆକାଉଣ୍ଟ ଅଚଳ କରି ଟ୍ୱିଟର ରାଜନୀତିକ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଛି ବୋଲି ସେ କହିଛନ୍ତି। ସରକାରଙ୍କ ବିରୋଧରେ ବିରୋଧୀଙ୍କ ସ୍ୱରକୁ ଦମନ କରିବାକୁ ଟ୍ୱିଟର ଏପରି କରୁଛି ବୋଲି ରାହୁଲ କହିଛନ୍ତି। ହେଲେ ରାହୁଲ ଗାନ୍ଧୀ ନିଜ ମନ୍ତବ୍ୟରେ ଗୋଟିଏ ବି ଶବ୍ଦ କହିନାହାନ୍ତି ସେ ପୀଡ଼ିତାଙ୍କ ପରିବାରର ଫଟୋ ପକାଇବା ଠିକ୍ କି ଭୁଲ୍? କିନ୍ତୁ ଟ୍ୱିଟର ଆକାଉଣ୍ଟ ଅଚଳ ହେବା ପରେ ବିଭିନ୍ନ ଶବ୍ଦ ଯୋଡ଼ି ସେ ସରକାରଙ୍କୁ ଘେରିଛନ୍ତି।
ଟ୍ୱିଟରର କଂଗ୍ରେସ ନେତାଙ୍କ ଆକଉଣ୍ଟକୁ ବନ୍ଦ କରିଦେବାରୁ କଂଗ୍ରେସ ଅନ୍ୟ ବିରୋଧୀ ଦଳର ସମର୍ଥନ ମଧ୍ୟ ପାଇଛି। ଟିଏମସି ସାଂସଦ ଡେରେକ ଓ’ବ୍ରାଇନ୍ ଏକ ଟ୍ୱିଟରେ ଏପରି ପଦକ୍ଷେପକୁ ନିନ୍ଦା କରିଛନ୍ତି।
ସୂଚନାଯୋଗ୍ୟ, ଗତ ଜୁନ୍ ମାସରେ କେନ୍ଦ୍ର ସରକାର ଓ ଟ୍ୱିଟର ସହ ବିବାଦ ଚାଲିଥିଲା। ଏହି ସମୟରେ ସେତେବେଳର ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଏକ ଟ୍ୱିଟ ପୋଷ୍ଟକୁ ନେଇ ଟ୍ୱିଟର ଆପତ୍ତି ଉଠାଇଥିଲା। ପରେ କିଛି ସମୟ ପାଇଁ ଟ୍ୱିଟର ରବିଶଙ୍କରଙ୍କ ଆକାଉଣ୍ଟ ଅଚଳ କରି ଦେଇଥିଲା। ରବି ଶଙ୍କର ପ୍ରସାଦଙ୍କ ଗୋଟିଏ ଟ୍ୱିଟ୍ କପିରାଇଟ୍ ନିୟମକୁ ଉଲ୍ଲଂଘନ କରିଥିଲା ବୋଲି ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ବୋଲି ଟ୍ୱିଟର କହିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
