Mann
ନୂଆଦିଲ୍ଲୀ: ଆସନ୍ତା ୧୬ ତାରିଖରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ଆପ୍ ବିଧାୟକ ଭଗୱନ୍ତ ମାନ ଆଜି ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଆଜି ସେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ସାକ୍ଷାତକରି ନିଜର ଇସ୍ତଫାପତ୍ର ହସ୍ତାନ୍ତର କରିଛନ୍ତି। ୨୦୧୪ରୁ ମାନ ପଞ୍ଜାବର ସଙ୍ଗରୁର ଆସନରେ ସାଂସଦ ଭାବେ କାର୍ଯ୍ୟ କରି ଆସୁଥିଲେ।
ଏବେ ସେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବାରୁ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ସାଂସଦ ପଦରୁ ଇସ୍ତଫା ଦେବା ପୂର୍ବରୁ ମାନ ସୋଶାଲ ମିଡିଆରେ ସଙ୍ଗରୁର ଲୋକଙ୍କୁ ଧନ୍ୟବାଦ ଜଣାଇଥିଲେ।
ସେ କହିଥିଲେ ଯେ “ସଙ୍ଗରୁର ଲୋକମାନେ ଯେଉଁଭଳି ଭାବେ ଦୀର୍ଘ ବର୍ଷ ହେଲା ମୋତେ ଭଲ ପାଇବା ଦେଇ ଆସୁଥିଲେ ସେଥିପାଇଁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଏବେ ମୁଁ ପୂରା ପଞ୍ଜାବର ସେବା କରିବାକୁ ସୁଯୋଗ ପାଇଛି। ମୁଁ ସଙ୍ଗରୁରବାସୀଙ୍କୁ ପ୍ରତିଶ୍ରୁତି ଦେବାକୁ ଚାହୁଁଛି ଯେ ବହୁତ କମ ମାସ ମଧ୍ୟରେ ସେମାନଙ୍କ ସ୍ୱର ପୁଣି ଲୋକସଭାରେ ଶୁଣିବାକୁ ମିଳିବ।”
ଆଜି ସଂସଦରେ ବଜେଟର ଅଧିବେଶର ଦ୍ୱିତୀୟ ଭାଗ ଆରମ୍ଭ ହୋଇଛି। ସାଂସଦ ଭାବେ ନିଜର ଶେଷ ଦିନରେ ମାନ ଗଣମାଧ୍ୟମକୁ କହିଛନ୍ତି ଯେ “ମୁଁ ସଦନକୁ ବହୁତ ମିସ୍ କରିବି। ପଞ୍ଜାବ ମୋତେ ବହୁତ ବଡ଼ ଦାୟିତ୍ୱ ଦେଇଛି। ମୁଁ ସଙ୍ଗରୁରବାସୀଙ୍କୁ କଥା ଦେଇଛି ଯେ ସେମାନଙ୍କ ଶାଣିତ ସ୍ୱର ପୁଣି ସଂସଦରେ ଶୁଣିବାକୁ ମିଳିବ।”
ସୂଚନାଯୋଗ୍ୟ, ଆପ ପଞ୍ଜାବର ୧୧୭ ବିଧାନସଭା ଆସନରୁ ଏକାକୀ ୯୨ଟିରେ ଜିତିଛି। ଏହାପରେ ଆପ୍ ବିଧାୟକ ଦଳର ନେତା ଭାବେ ୪୮ ବର୍ଷୀୟ ମାନ ନିର୍ବାଚିତ ହୋଇଥିଲେ। ଏହାର ଅର୍ଥ ସେ ହିଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବେ। ଆସନ୍ତା ୧୬ ତାରିଖରେ ସହିଦ ଭଗତ ସିଂହଙ୍କ ଗାଁରେ ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/03/Mann-1.jpg)
/odisha-reporter/media/post_attachments/dolon.png)