/odisha-reporter/media/post_attachments/uploads/2021/05/bihar-lockdown.jpg)
bihar-lockdown
ପାଟଣା: ବିହାରରେ କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମେ ୫ରୁ ୧୫ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି। ଗତ ସପ୍ତାହକ ମଧ୍ୟରେ ବିହାରରେ କୋଭିଡ ଆକ୍ରାନ୍ତଙ୍କ ହାର ୧୦% ରୁ ଅଧିକ ବୃଦ୍ଧି ପାଇଛି। ଏହାକୁ ନଜରରେ ରଖି ନୀତୀଶ ଲକଡାଉନ ଘୋଷଣା କରିଛନ୍ତି।
ଏହି ଲକଡାଉନ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଫଳ, ପନିପରିବା, ମାଂସ, ମାଛ, କ୍ଷୀର, ପିଡିଏସ୍ ଦୋକାନ ସକାଳ ୭ ଟାରୁ ୧୧ ଟା ପର୍ଯ୍ୟନ୍ତ ଖୋଲା ରହିବ, କିନ୍ତୁ କାମ ନଥାଇ ଘର ବାହାରେ ଚାଲି ଚାଲି ବୁଲୁଥିବାର ଧରାପଡ଼ିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗତ ୨୪ ଘଣ୍ଟା ମଧ୍ୟରେ ବିହାରରେ କରୋନା ସଂକ୍ରମଣରେ ୧୦୫ ଜଣଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ଏହି ମହାମାରୀରେ ମୃତ୍ୟୁ ସଂଖ୍ୟା ୨୯୨୬ କୁ ବୃଦ୍ଧି ପାଇଥିବାବେଳେ ରାଜ୍ୟରେ ୧୪,୭୯୪ ଜଣ ନୂଆ ଚିହ୍ନଟ ହୋଇଛନ୍ତି।
ତେବେ ଲକଡାଉନ କରିବା ନେଇ ସରକାରରେ ଥିବା ଅନ୍ୟତମ ସହଯୋଗୀ ଦଳ ବିଜେପିର ରାଜ୍ୟ ସଭାପତି ସଞ୍ଜୟ ଜୟସୱାଲ ବୁଧବାର ତାଙ୍କ ଫେସବୁକ ପେଜରେ ଜେଡିୟୁ ନେତାଙ୍କୁ ସମାଲୋଚନା କରିଛନ୍ତି। କିଛି ଦିନ ପୂର୍ବରୁ ସେ ପ୍ରତି ସପ୍ତାହରେ ଶୁକ୍ରବାର ଠାରୁ ସୋମବାର ପର୍ଯ୍ୟନ୍ତ ସପ୍ତାହନ୍ତ ଲକଡାଉନ କରିବାକୁ ପରାମର୍ଶ ଦେଇଥିଲେ। ହେଲେ ତାଙ୍କ ପରାମର୍ଶକୁ ନିନ୍ଦା କରିଥିଲେ ଜେଡିୟୁ ନେତା। ଜେଡିୟୁ ନେତା ତଥା ସାଂସଦ ଲାଲାନ ସିଂ ସ୍ପଷ୍ଟ ଭାବରେ କହିଥିଲେ ଯେ ବିହାରରେ ଲକଡାଉନ ପକାଇବାକୁ ଦାବି କରୁଥିବା ନେତାମାନେ କେବଳ ହେଡଲାଇନରେ ରହିବାକୁ ଏଭଳି ବିବୃତ୍ତି ରଖୁଛନ୍ତି।
ଏବେ ନିଜେ ମୁଖ୍ୟମନ୍ତ୍ରୀ ଲକଡାଉନ ଘୋଷଣା କରିବା ପରେ ଜୟସ୍ୱାଲ ନିଜ ଫେସବୁକ ପେଜରେ ଲୋକଙ୍କୁ ନିବେଦନ କରି ଲେଖିଛନ୍ତି, "ବିହାର ସରକାର ୧୧ ଦିନ ପାଇଁ ଲକଡାଉନ କରିଛନ୍ତି। ଏହାକୁ ଅନୁସରଣ କରନ୍ତୁ ଏବଂ ନିଜକୁ ଏବଂ ଆପଣଙ୍କ ପରିବାରର ଜୀବନ ରକ୍ଷା କରନ୍ତୁ।" ସେ କହିଛନ୍ତି ଯେ ନାଗରିକଙ୍କ ସୁବିଧା ପାଇଁ ସରକାରଙ୍କୁ କିଛି କଷ୍ଟଦାୟକ ନିଷ୍ପତ୍ତି ନେବାକୁ ପଡିବ। ଆଜି ଏହି ମହାମାରୀ ପାଇଁ ବିଭିନ୍ନ ରାଜ୍ୟରେ ଲକଡାଉନ ହେଉଛି।
ସେ କହିଛନ୍ତି ଯେ ରାଜ୍ୟପାଳଙ୍କ ବୈଠକରେ ଯେତେବେଳେ ମୁଁ ଶୁକ୍ରବାର ଠାରୁ ସୋମବାର ସକାଳ ପର୍ଯ୍ୟନ୍ତ ୬୨ ଘଣ୍ଟାର ଲକଡାଉନ ବିଷୟରେ କହିଥିଲି, ସେତେବେଳେ ବିହାରରେ ମାମଲା ୪୦ ହଜାରରୁ କମ୍ ଥିଲା କିନ୍ତୁ ଆଜି ଏକ ଲକ୍ଷରୁ ଅଧିକ ଆକ୍ରାନ୍ତ ମାମଲା ହେବା ପରେ ବିହାର ସରକାର ଲକଡାଉନ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏବେ ଅନ୍ୟ କୌଣସି ବିକଳ୍ପ ନଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ସରକାର। ସେ ବିଜେପିର ସମସ୍ତ ପ୍ରତିନିଧୀଙ୍କୁ ନିଜ ଅଞ୍ଚଳରେ ରହିବାକୁ ଏବଂ ହସ୍ପିଟାଲରେ ସୁବିଧା ଅସୁବିଧା ବିଷୟରେ ବୁଝିବାକୁ ଅନୁରୋଧ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
