Advertisment

ବିଜେପିର ରଣନୀତି ପ୍ରସ୍ତୁତ, ରବିବାର ସୁଦ୍ଧା ମହାରାଷ୍ଟ୍ରରେ ନୂଆ ସରକାର!

ମୁମ୍ବାଇ: ଶିବସେନାର ୪୦ରୁ ଅଧିକ ବିଧାୟକ ବିଦ୍ରୋହ ଘୋଷଣା କରିବା ପରେ ମହାରାଷ୍ଟ୍ରର କ୍ଷମତାସୀନ ମହା ବିକାଶ ଅଘାଡ଼ି(ଏମଭିଏ) ସରକାର ସଙ୍କଟ ମଧ୍ୟକୁ ଠେଲି ହୋଇଯାଇଛି। ରାଜନୀତିକ ସଙ୍କଟକୁ ଦେଖି ବିରୋଧୀ ବିଜେପି ମଧ୍ୟ ରାଜ୍ୟରେ ସରକାର ଗଠନ କରିବାକୁ ତା’ର ରଣନୀତି ଚୂଡ଼ାନ୍ତ କରି ସାରିଥିବା ଜଣାପଡ଼ିଛି। ଏହି ରଣନୀତିକୁ ଶେଷ ସ୍ପର୍ଶ ଦେବାକୁ ଆଜି ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ ଦିଲ୍ଲୀ ମଧ୍ୟ ଯାଇଛନ୍ତି। ଏମିଭିଏ ସରକାର ବିରୋଧରେ ବିଦ୍ରୋହ […]

author-image
Hemant Lenka
ବିଜେପିର ରଣନୀତି ପ୍ରସ୍ତୁତ, ରବିବାର ସୁଦ୍ଧା ମହାରାଷ୍ଟ୍ରରେ ନୂଆ ସରକାର!

Shinde

ମୁମ୍ବାଇ: ଶିବସେନାର ୪୦ରୁ ଅଧିକ ବିଧାୟକ ବିଦ୍ରୋହ ଘୋଷଣା କରିବା ପରେ ମହାରାଷ୍ଟ୍ରର କ୍ଷମତାସୀନ ମହା ବିକାଶ ଅଘାଡ଼ି(ଏମଭିଏ) ସରକାର ସଙ୍କଟ ମଧ୍ୟକୁ ଠେଲି ହୋଇଯାଇଛି। ରାଜନୀତିକ ସଙ୍କଟକୁ ଦେଖି ବିରୋଧୀ ବିଜେପି ମଧ୍ୟ ରାଜ୍ୟରେ ସରକାର ଗଠନ କରିବାକୁ ତା’ର ରଣନୀତି ଚୂଡ଼ାନ୍ତ କରି ସାରିଥିବା ଜଣାପଡ଼ିଛି।

Advertisment

ଏହି ରଣନୀତିକୁ ଶେଷ ସ୍ପର୍ଶ ଦେବାକୁ ଆଜି ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ ଦିଲ୍ଲୀ ମଧ୍ୟ ଯାଇଛନ୍ତି। ଏମିଭିଏ ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିବା ପରଠାରୁ ଆସାମର ଗୌହାଟୀରେ ଥିବା ବରିଷ୍ଠ ନେତା ଏକନାଥ ସିନ୍ଦେ ଦିନେ କିମ୍ବା ଦୁଇ ଦିନ ଭିତରେ ମୁମ୍ବାଇରେ ପହଞ୍ଚିବେ।

ଏମଭିଏ ସରକାରଙ୍କ ଠାରୁ ଶିବସେନାର ୪୦ ଜଣ ବିଧାୟକ ସମର୍ଥନ ପ୍ରତ୍ୟାହାର କରି ସାରିଥିବାରୁ ଶ୍ରୀ ସିନ୍ଦେ ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କୁ ଭେଟିବେ। ଏହି ସମୟରେ ସେ ଆସ୍ଥା ଭୋଟ ତୁରନ୍ତ ଆୟୋଜନ କରିବାକୁ ଦାବି କରିବେ। ସେହିପରି ବିଜେପି ମଧ୍ୟ ରାଜ୍ୟପାଳଙ୍କୁ ସ୍ୱତନ୍ତ୍ର ଭାବେ ଚିଠି ଲେଖି ଆସ୍ଥା ଭୋଟ ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି ଜଣାଇବ।

Advertisment

ଯଦି ରାଜ୍ୟପାଳ ସ୍ୱତନ୍ତ୍ର ଅଧିବେଶ ଡାକନ୍ତି, ତା’ହେଲେ ବିଜେପି ବିଦ୍ରୋହ ଘୋଷଣା କରିଥିବା ବିଧାୟକମାନେ ଯେମିତି ବିଧାନସଭାକୁ ନ ଆସିବେ, ତା’ର ବ୍ୟବସ୍ଥା କରିବ। ବିଧାୟକମାନେ ନ ଆସିଲେ ଏମଭିଏ ସରକାର ଭାଙ୍ଗିଯିବ। ଯଦି ସବୁ କିଛି ବିଜେପିର ଯୋଜନା ଅନୁସାରେ ଚାଲେ, ତେବେ ଆସନ୍ତା ଶନିବାର କିମ୍ବା ରବିବାର ସୁଦ୍ଧା ମହାରାଷ୍ଟ୍ରରେ ନୂଆ ସରକାର ଗଠନ ହେବ ବୋଲି ଜଣେ ବରିଷ୍ଠ ରାଜନେତା ମତ ରଖିଛନ୍ତି।

ତାଙ୍କ ସୂଚନା ଅନୁସାରେ, ମହାରାଷ୍ଟ୍ରରେ କ୍ଷମତା ଦଖଲ ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିଛି। ଏହି ରଣନୀତିକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ବିଜେପି ନେତାମାନେ କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି। ରଣନୀତିକୁ କାର୍ଯ୍ୟକାରୀ କରିବା ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜି ବିଜେପି ନେତା ଫଡନାଭିସ ଦିଲ୍ଲୀ ମଧ୍ୟ ଯାଇଛନ୍ତି। ସେ ରାଜ୍ୟକୁ ଫେରିବା ପରେ ବିଜେପି ତା’ର ଯୋଜନାକୁ କାର୍ଯ୍ୟକାରୀ କରିବ ବୋଲି ସେ କହିଛନ୍ତି।

ବିଧାୟକଙ୍କ ବିଦ୍ରୋହ ଯୋଗୁ ଶିବସେନା ଏବେ ଦୁଇ ଫାଳ ହୋଇଯାଇଛି। ଗୋଟିଏ ପଟେ ଉଦ୍ଧବ ସେନା ଥିବା ବେଳେ ଆଉ ଗୋଟିଏ ପଟେ ସିନ୍ଦେ ସେନା ରହିଛନ୍ତି। ଉଭୟ ଗୋଷ୍ଠୀ ନିଜକୁ ପ୍ରକୃତ ଶିବ ସୈନିକ କହୁଛନ୍ତି। ଏପରି ସ୍ଥିତିରେ ସିନ୍ଦେ ସେନା ଦଳରୁ ଅଲଗା ହୋଇ ବିଜେପି କିମ୍ବା ଏମଏନଏସ୍‌ରେ ଲୀନ ହେବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। କିନ୍ତୁ ଏକଥାକୁ ସିନ୍ଦେ ଖଣ୍ଡନ କରିଛନ୍ତି। ତାଙ୍କ ଗୋଷ୍ଠୀ କୌଣସି ବି ପରିସ୍ଥିତିରେ ବିଜେପି କିମ୍ବା ଏମଏନଏସରେ ଲୀନ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ବରିଷ୍ଠ ରାଜନେତା ଜଣଙ୍କ ଆହୁରି କହିଛନ୍ତି, ଯଦି ବିଦ୍ରୋହୀ ବିଧାୟକମାନେ ବିଧାନସଭାକୁ ଆସିବେ ନାହିଁ ଓ ଏମଭିଏ ସରକାର ଭାଙ୍ଗିବ, ତା’ହେଲେ ତୁରନ୍ତ ନୂଆ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବେ। ସେ ତୁରନ୍ତ ବାଚସ୍ପତି ନିର୍ବାଚନର ବ୍ୟବସ୍ଥା କରିବେ। ବାଚସ୍ପତି ଚୟନ ହେବା ମାତ୍ରେ ସେ ବିଧାନସଭାରେ ସିନ୍ଦେଙ୍କ ଗୋଷ୍ଠୀଙ୍କୁ ପ୍ରକୃତ ଶିବସେନା ଦଳର ମାନ୍ୟତା ଦେବେ। କାରଣ ୪୦ ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କୁ ହିଁ ଶିବସେନାର ବିଧାୟକ ଦଳ ନେତା ଭାବେ ଚୟନ କରିଛନ୍ତି ବୋଲି ସେ କହିଛନ୍ତି।