aap
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କ୍ଷମତାସୀନ ଆମ ଆଦ୍ମୀ ପାର୍ଟି(ଆପ୍)ର ନେତା ତଥା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲ ଭିତରେ ଭିଭିଆଇପି ସୁବିଧା ମିଳୁଥିବା ଘଟଣାକୁ ନେଇ ବିବାଦ ଦେଖାଯାଇଛି। ମନି ଲଣ୍ଡରିଂ ମାମଲାରେ ଶ୍ରୀ ଜୈନ ୫ ମାସ ହେଲା ତିହାର ଜେଲରେ ଥିବା ବେଳେ ସେଠାରେ ତାଙ୍କୁ ମାଲିସ ଠାରୁ ଅନ୍ୟାନ୍ୟ ସୁବିଧାସୁଯୋଗ ମିଳୁଥିବା ଭିଡିଓ ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି।
ଦୁଇ ଦିନ ତଳେ ଏହି ଭିଭିଆଇ ସୁବିଧା ପାଇଁ ସତ୍ୟେନ୍ଦ୍ର ଜୈନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବିଜେପି ଦାବି କରିଥିଲା। ଆଜି ସୋଶାଲ ମିଡିଆରେ ଜେଲ ଭିତରେ ତାଙ୍କୁ ମାଲିସ କରାଯାଉଥିବା ବେଳର ସିସିଟିଭି ଫୁଟେଜ ଭାଇରାଲ ହେବାରେ ଲାଗିଛି। ଏହାକୁ ବିଜେପି କ୍ଷମତାସୀନ ଆପ୍କୁ ଟାର୍ଗେଟ କରିଛି। କିନ୍ତୁ ଆପ୍ ନିଜ ଦଳର ନେତାଙ୍କୁ ରକ୍ଷା କରିବା ପାଇଁ ଉଦ୍ୟମ କରିଛି। ସତ୍ୟେନ୍ଦ୍ର ଜୈନ ସ୍ପାଇନ ସମସ୍ୟାରେ ଥିବାରୁ ତାଙ୍କୁ ଡାକ୍ତରମାନଙ୍କ ପରାମର୍ଶକ୍ରେମ ଫିଜିଓଥେରାପି ଯାଉଥିବା ଆପ୍ କହିଛି।
ଆଜି ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜରେ ଥିବା ଦୃଶ୍ୟ ସେପ୍ଟେମ୍ବର ୧୩ ତାରିଖର। ଏହି ଭିଡିଓରେ ଦେଖାବାକୁ ମିଳୁଛି ଯେ ଜେଲର ଗୋଟିଏ ପ୍ରକୋଷ୍ଠରେ ପଡ଼ିଥିବା ବେଡ୍ ଉପରେ ଜୈନ ଶୋଇଛନ୍ତି। ଏହି ସମୟରେ ତାଙ୍କ ପାଖରେ ବସିଥିବା ଜଣେ ବ୍ୟକ୍ତି ତାଙ୍କର ବଡି ମସାଜ କରୁଛନ୍ତି।
ଏହି ଭିଡିଓକୁ ଶେୟାର କରି ବିଜେପି ଜାତୀୟ ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି ଯେ “ଜେଲରେ ସଜା ମିଳିବା ପରିବର୍ତ୍ତେ ସତ୍ୟେନ୍ଦ୍ର ଜୈନ ସଂପୂର୍ଣ୍ଣ ଭାବେ ଭିଭିଆଇପି ମଜା ନେଉଛନ୍ତି? ତିହାର ଜେଲ ଭିତରେ ମସାଜ? ହାୱାଲାବାଜ, ଯିଏ ୫ ମାସ ହେଲା ଜାମିନ ପାଇ ନାହାନ୍ତି, ତାଙ୍କ ମୁଣ୍ଡକୁ ମାଲିସ କରାଯାଉଛି! ଆପ ସରକାର ଦ୍ୱାରା ଚାଲିଥିବା ଜେଲରେ ପ୍ରଚଳିତ ନିୟମକୁ ଉଲ୍ଲଙ୍ଘନ କରାଯାଇଛି। ବଟି ଆଦା ଓ ମସାଜ ପାଇଁ କେମିତି ପଦବୀର ବ୍ୟବହାର କରାଯାଏ, ଏହା ହେଉଛି ତା’ର ଉଦହାରଣ। କେଜ୍ରିୱାଲ(ଅରବନ୍ଦ କେଜ୍ରିୱାଲ)ଙ୍କୁ ଧନ୍ୟବଦ।
ବିଜେପିର ଆଉ ଜଣେ ମୁଖ୍ୟପାତ୍ର ଗୌରଭ ଭାଟିଆ ମଧ୍ୟ ଆପ୍କୁ ଟାର୍ଗେଟ କରି କହିଛନ୍ତି ଯେ ଦଳ ଏବେ ସ୍ପା ଓ ମସାଜ ପାର୍ଟି ହୋଇଗଲାଣି। ବର୍ତ୍ତମାନ କେଜ୍ରିୱାଲ କେଉଁଠି ଲୁଚିଛନ୍ତି? ଜୈନ ଜେଲ ଭିତରେ ମାଲିସ ହେବା ସହ ସେଠାକୁ ଯାଉଥିବା ଲୋକଙ୍କୁ ଭେଟୁଛନ୍ତି। ଏହା ଜେଲ ନିୟମ ଓ ବନ୍ଦୀ ଆଇନର ଉଲ୍ଲଙ୍ଘନ।
ଏପରି ଭିଭିଆଇ ପରମ୍ପରାରେ ଗଣତନ୍ତ୍ର ପାଇଁ ଅତ୍ୟନ୍ତ ବିପଦ ପୂର୍ଣ୍ଣ। ସତ୍ୟେନ୍ଦ୍ର ଜୈନ ୫ ମାସ ହେଲା ଜେଲରେ ଥିଲେ ମଧ୍ୟ ତାଙ୍କୁ କେଜ୍ରିୱାଲ ମନ୍ତ୍ରୀ ପଦରୁ ବିଦା କରି ନଥିବା ଶ୍ରୀ ଭାଟିଆ କହିଛନ୍ତି।
ଅନ୍ୟପକ୍ଷରେ ଆପ୍ ପକ୍ଷରୁ ପୂରା ଘଟଣାରେ ପ୍ରତକ୍ରିୟା ରଖାଯାଇଛି। ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି, ସତ୍ୟେନ୍ଦ୍ର ଜୈନଙ୍କୁ ମିଛ କେସ୍ରେ ଜେଲରେ ରଖାଯାଇଛି ଓ ବଜେପି ତାଙ୍କ ଅସୁସ୍ଥତାର ମଜାକ ଉଡ଼ାଉଛି। ଜୈନ ଜେଲରେ ଥିବା ବେଳେ ଏକଦା ତଳେ ପଡ଼ି ଯାଇଥିଲେ।
ତାଙ୍କ ସ୍ପାଇନରେ ଆଘାତ ଲାଗିଥିଲା। ଏସବୁ ମେଡିକାଲ ରେକର୍ଡ ରହିଛି। ଗୁଜରାଟ ଓ ଦିଲ୍ଲୀ ପୌର ନିର୍ବାଚନରେ ହାରିବାକୁ ଯାଉଥିବା ଜାଣି ବିଜେପି ଏସବୁ ନାଟକ କରୁଛି। ଭିଡିଓ ଲିକ୍ ନ କରିବାକୁ କୋର୍ଟ ଇଡିକୁ କହିଥିଲେ। କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶକୁ ଅଣଦେଖା କରାଯାଇଛି। ବିଜେପି ଏକମାତ୍ର ଦଳ ଯିଏ ଜଣେ ଅସୁସ୍ଥ ଲୋକଙ୍କ ଅସହାୟତାକୁ ନେଇ ଏପରି ଘଟଣା ଘଟାଇପାରେ ବୋଲି ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/11/aap.jpg)