ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ଘଟଣାକୁ ନେଇ ଗୋଟିଏ ନୂଆ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଗୋଟିଏ ଏସ୍ୟୁଭି କେମିତି ଆନ୍ଦୋଳନରତ ଚାଷୀଙ୍କ ଉପରେ ମାଡ଼ି ଯାଉଛି, ତା’ର ଦୃଶ୍ୟ ରହିଛି। ଭିଡିଓର ସତ୍ୟତା ବିଷୟରେ ଜଣାପଡ଼ିନି। କିନ୍ତୁ ଏଥିରେ ଥିବା ଦୃଶ୍ୟ ବେଶ ହୃଦୟ ବିଦାରକ।
ଭିଡିଓରେ ଚାଷୀମାନେ ରାସ୍ତାରେ ଚାଲିଚାଲି ଯାଉଥିବା ବେଳେ ହଠାତ୍ ଗୋଟିଏ କଳା ରଙ୍ଗର ଜିପ ପଛପଟୁ ସେମାନଙ୍କ ଉପରେ ମାଡ଼ି ଆଗକୁ ଚାଲି ଯାଉଥିବା ଦେଖିବାକୁ ମିଳିଛି। ଗାଡ଼ି ଚାଲିଯିବା ପରେ ଲୋକମାନେ ଏଣେତେଣେ ରକ୍ତାକ୍ତ ଅବସ୍ଥାରେ ପଡ଼ିଛନ୍ତି। ପ୍ରଥମେ ଏହାକୁ କଂଗ୍ରେସ ମହାସଚିବ ପ୍ରିୟଙ୍କ ଗାନ୍ଧି ଭଦ୍ରା ଟ୍ୱିଟ କରିଥିବା ବେଳେ ଏବେ ବିଜେପି ସାଂସଦ ବରୁଣ ଗାନ୍ଧି ଶେୟାର କରିଛନ୍ତି।
ସେ ଭିଡିଓ ଦେଖିଲେ ଯକୌଣସି ଲୋକର ଆତ୍ମା ଦୋହଲି ଯିବ ବୋଲି କହିଛନ୍ତି। ଏଥିସହ ଅଭିଯୁକ୍ତଙ୍କୁ ପୁଲିସ୍ ତୁରନ୍ତ ଗିରଫ କରୁ ବୋଲି ଦାବି କରିଛନ୍ତି।
लखीमपुर खीरी में किसानों को गाड़ियों से जानबूझकर कुचलने का यह वीडियो किसी की भी आत्मा को झखझोर देगा।
पुलिस इस वीडियो का संज्ञान लेकर इन गाड़ियों के मालिकों, इनमें बैठे लोगों, और इस प्रकरण में संलिप्त अन्य व्यक्तियों को चिन्हित कर तत्काल गिरफ्तार करे।
#LakhimpurKheri@dgpup pic.twitter.com/YmDZhUZ9xq
— Varun Gandhi (@varungandhi80) October 5, 2021
ଉତ୍ତର ପ୍ରଦେଶର ପିଲିଭିଟରୁ ସାଂସଦ ହୋଇଥିବା ବରୁଣ ଗାନ୍ଧି କହିଛନ୍ତି, “ଲଖିମପୁର ଖେରିରେ ଗାଡ଼ି ମଡ଼ାଇ ଚାଷୀଙ୍କୁ ଦଳି ଦେବାର ଏହି ଭିଡିଓ ଯେକୌଣସି ଲୋକଙ୍କର ଆତ୍ମାକୁ ଦୋହଲାଇ ଦେବ। ପୁଲିସ୍ ତୁରନ୍ତ ଏହି ଭିଡିଓକୁ ବିଚାରକୁ ନେଉ। ଏଥିସହ ଗାଡ଼ିର ମାଲିକ, ସେଥିରେ ବସିଥିବା ଲୋକ ଓ ଏହି ଘଟଣା ସହ ଜଡ଼ିତ ସମସ୍ତ ବ୍ୟକ୍ତିବିଶଷଙ୍କୁ ଚିହ୍ନଟ କରି ତୁରନ୍ତ ଗିରଫ କରୁ।”
ରବିବାର ଘଟଣା ଘଟିଥିବା ବେଳେ ଏଯାଏ କାହାକୁ ବି ଗିରଫ କରାଯାଇନାହିଁ। କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଗାଡ଼ି ମଡ଼ାଇ ଚାଷୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହେଲେ ପୁଲିସ୍ କେବଳ ଅଜୟ, ଆଶିଷ ଓ ଅନ୍ୟମାନଙ୍କ ନାଁରେ ମାମଲା ରୁଜୁ କରି ବସି ଯାଇଛି। ଏହି ଘଟଣା ଏବେ ଜାତୀୟ ପ୍ରସଙ୍ଗ ପାଲଟିଥିବା ବେଳେ ବିରୋଧୀ ଦଳର ନେତାମାନେ ବିଜେପିକୁ ଟାର୍ଗେଟ କରିବାରେ ଲାଗିଛନ୍ତି।
ବିଜେପିର ଏକମାତ୍ର ସାଂସଦ ବରୁଣ ଗାନ୍ଧି ଖୋଲାଖୋଲି ଭାବେ ଘଟଣାକୁ ବିରୋଧ କରିବା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତଦନ୍ତ ପାଇଁ ଚିଠି ଲେଖିଛନ୍ତି। ରବିବାର ଦିନ ହିଁ ବରୁଣ ଚିଠି ଲେଖି ଲଖିମପୁର ଖେରି ହିଂସାକାଣ୍ଡ ଘଟାଣର ତଦନ୍ତ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ କରିବାକୁ ଦାବି କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।