/odisha-reporter/media/post_attachments/uploads/2022/11/Basavalinga-Swami.jpg)
Basavalinga-Swami
ବେଙ୍ଗାଲୁରୁ: କର୍ଣ୍ଣାଟକାର ଲିଙ୍ଗାୟତ ମହନ୍ତ ବାସବାଲିଙ୍ଗା ସ୍ୱାମୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମହନ୍ତ ବାସବାଲିଙ୍ଗା ସ୍ୱାମୀ ଜଣେ ୨୧ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରୀଙ୍କ ମାୟାଜାଲରେ ଫସିଥିଲେ। ଏହି ମାୟାଜାଲରୁ ମୁକୁଳି ନ ପାରି ସେ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାରେ ପୁଲିସ୍ ମହନ୍ତଙ୍କୁ ବ୍ଲାକମେଲ କରୁଥିବା ୨୧ ବର୍ଷୀୟ ଛାତ୍ରୀ ଓ ଗୋଟିଏ ମଠର ମହନ୍ତଙ୍କୁ ଗିରଫ କରିଛି।
ପୁଲିସ କହିଛି ଯେ ଛାତ୍ରୀ ଜଣଙ୍କ କୌଶଳକ୍ରମେ ମହନ୍ତ ବାସବାଲିଙ୍ଗା ସ୍ୱାମୀଙ୍କ ସହ ବନ୍ଧୁତା କରିଥିଲେ। ମିଠାମିଠା କଥା କହି ସେ ମହନ୍ତଙ୍କୁ ନିଜ ମାୟାଜାଲରେ ଫସାଇଥିଲେ। ମହନ୍ତଙ୍କ ଜଣଙ୍କ ବି ତାଙ୍କ କଥା ଶୁଣି ଫସି ଯାଇଥିଲେ। ଏହାର ଫାଇଦା ଉଠାଇ ଛାତ୍ରୀ ଜଣଙ୍କ ଗତ ଏପ୍ରିଲ ମାସରେ ମହନ୍ତଙ୍କ ସହ ଅନ୍ତରଙ୍ଗ ଭିଡିଓ କଲକୁ ରେକର୍ଡ କରିଦେଇଥିଲେ।
ବାସ୍ ଏହି ଭିଡିଓକୁ ଦେଖାଇ ଛାତ୍ରୀ ଜଣଙ୍କ ତାଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଥିଲେ। ଏହି ପୂରା ଘଟଣାରେ କନ୍ନୁର ମଠର ମହନ୍ତ ମୃତ୍ୟୁଞ୍ଜୟ ସ୍ୱାମୀ ସହଯୋଗ କରିଥିଲେ। ମେ’ ମାସ ଠାରୁ ଦୁଇ ଅଭିଯୁକ୍ତ ମହନ୍ତ ବାସବାଲିଙ୍ଗା ସ୍ୱାମୀଙ୍କୁ ଧମକଚମକ ଦେବା ସହ ଭିଡିଓ ଭାଇରାଲ କରିଦେବାର ଧମକ ଦେବା ଆରମ୍ଭ କରିଥିଲେ।
ଶେଷରେ ବ୍ଲାକମେଲରେ ଅତିଷ୍ଠ ହୋଇ ୪୫ ବର୍ଷୀୟ ମହନ୍ତ ବାସବାଲିଙ୍ଗା ସ୍ୱାମୀ ଅକ୍ଟୋବର ୨୪ରେ ଆତ୍ମହତ୍ୟା କରିଥିଲେ। ମଠର ପ୍ରାର୍ଥନା ରୁମ ଝରକାରୁ ତାଙ୍କ ଝୁଲନ୍ତା ମୃତଦେହ ମିଳିଲା। ଆତ୍ମହତ୍ୟା ପୂର୍ବରୁ ସେ ଦୁଇ ପୃଷ୍ଠାର ଗୋଟିଏ ସୁଇସାଇଡ ନୋଟ ଲେଖିଥିଲେ। ଏଥିରେ ତାଙ୍କୁ କିଛି ଭିଡିଓ ପାଇଁ ଜଣେ ଅଜଣା ମହିଳା ବ୍ଲାକମେଲ କରୁଥିବା ସେ ଚିଠିରେ କହିଥିଲେ।
ଗିରଫ ହୋଇଥିବା ମୃତ୍ୟୁଞ୍ଜୟ ସ୍ୱାମୀ ହିଁ ବାସବାଲିଙ୍ଗା ସ୍ୱାମୀଙ୍କୁ ହନିଟ୍ରାପରେ ଫସାଇଥିଲେ। ୧୯୯୭ରୁ ବାସବାଲିଙ୍ଗା କାଞ୍ଚୁଗାଲ ବାନ୍ଦେ ମଠର ମୁଖ୍ୟ ଭାବେ କାମ କରୁଥିଲେ। ତେବେ ମୃତ୍ୟୁଞ୍ଜୟ ସ୍ୱାମୀ ତାଙ୍କ ଠାରୁ ଏହି ମଠକୁ ଆଣିବାକୁ ଚେଷ୍ଟା ଜାରି ରଖିଥିଲେ।
ଏଥିପାଇଁ ଦୁଇ ଜଣଙ୍କ ମଧ୍ୟରେ ବିବାଦ ଚାଲିଥିଲା। ବାସବାଲିଙ୍ଗା ସ୍ୱାମୀଙ୍କ ଠାରୁ ପ୍ରତିଶୋଧ ନେବାକୁ ଫେବୃଆରୀ ମାସରେ ମୃତ୍ୟୁଞ୍ଜୟ ସ୍ୱାମୀ ଯୋଜନା ଆରମ୍ଭ କରିଥିଲେ। ଶେଷରେ ଯୁବତୀଙ୍କ ସହ ମିଶି ଏପ୍ରିଲ ମାସରେ ସେ ତାଙ୍କୁ ଫସାଇବାରେ ସକ୍ଷମ ହୋଇଥିଲେ।
ଏବେ ପୁଲିସ୍ ଘଟଣାର ତଦନ୍ତ କରି ମହନ୍ତଙ୍କ ଆତ୍ମହତ୍ୟା ପଛର କାରଣ ଜାଣିବାକୁ ସକ୍ଷମ ହୋଇଛି। ତଦନ୍ତ ବେଳେ ପୁଲିସ୍ ମହନ୍ତ ବାସବାଲିଙ୍ଗା ସ୍ୱାମୀଙ୍କ ଫୋନ ଯାଞ୍ଚ କରିଥିଲା। ସେହିପରି ୨୫ ଜଣ ଲୋକଙ୍କୁ ଜେରା କରାଯାଇଥିଲା। ଏହି ଜେରା ବେଳେ ହିଁ ଅଭିଯୁକ୍ତ ମୃତ୍ୟୁଞ୍ଜୟ ଓ ଛାତ୍ରୀଙ୍କ ପାଖରେ ପୁଲିସ୍ ପହଞ୍ଚିବାକୁ ସକ୍ଷମ ହୋଇଥିଲା।
ପୁଲିସ୍ କହିଛି ଯେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରେକର୍ଡିଂ କରିବା ପରେ ଛାତ୍ରୀ ଜଣକ ଏହାକୁ ମୃତ୍ୟୁଞ୍ଜୟଙ୍କୁ ଦେଇଥିଲେ। ଏହି ଭିଡିଓକୁ ଦେଖାଇ ଉଭୟ ବାସବାଲିଙ୍ଗା ସ୍ୱାମୀଙ୍କୁ ପଦ ଛାଡ଼ିବା ପାଇଁ ଚାପ ପକାଇବା ଆରମ୍ଭ କରିଥିଲେ। ଭିଡିଓ ଭାଇରାଲ କରିଦେବାର ଧମକ ଦେଇ ଦୁଇ ଅଭିଯୁକ୍ତ ମହନ୍ତଙ୍କ ଠାରୁ ବିପୁଳ ପରିମାଣର ଟଙ୍କା ମଧ୍ୟ ନେଇଥିବା ପୁଲିସ କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
